ଆଇପିଏଲ୍‌ରେ ବିପର୍ଯ୍ୟୟ ଧାରା

ନୂଆଦିଲ୍ଲୀ: ମୋହାଲିରେ ସୋମବାର ରାତିରେ ୧୬୬ ରନ୍‌କୁ ପିଛା କରି ୧୬.୩ ଓଭର ସୁଦ୍ଧା ୧୪୪/୩ ସ୍ଥିତିରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା। ୧୭ ବଲ୍ ଏବଂ ୮ ରନ୍‌ ଭିତରେ ଶେଷ ୭ ୱିକେଟ୍ ହରାଇ ମ୍ୟାଚ୍ ହାରିଯାଇଥିଲା। ଆଇପିଏଲ୍‌ ଇତିହାସରେ ଏହା ସବୁଠୁ ଖରାପ ପ୍ରଦର୍ଶନ ଏବଂ ବଡ଼ ବିପର୍ଯ୍ୟୟର ଆଖ୍ୟା ପାଇଛି। ଏହି ଅବସରରେ ଆସନ୍ତୁ ଆଇପିଏଲ୍‌ ଇତିହାସରେ ଥିବା କିଛି ନାଟକୀୟ ବିପର୍ଯ୍ୟୟ ମୁହୂର୍ତ ଉପରେ ନଜର ପକାଇନେବା।
୭ ୱିକେଟ୍, ୧୨ ରନ୍‌
(ଡେକାନ୍‌ ବନାମ ଦିଲ୍ଲୀ, ୨୦୦୯)
୧୭୪ ରନ୍‌କୁ ପିଛା କରିଥିବା ଡେକାନ୍ ଚାର୍ଜର୍ସ ପାଇଁ ଆଡାମ୍ ଗିଲକ୍ରିଷ୍ଟ୍‌ ପ୍ରତିପକ୍ଷ ବୋଲର ଆଶିଷ ନେହେରାଙ୍କୁ ପ୍ରଥମ ଓଭରରେ ୪ ଚୌକା ମାରିବା ସହିତ ୨୪ ବଲରୁ ଅର୍ଧଶତକ ଜମାଇଥିଲେ। ଆଣ୍ଡ୍ରିଉ ସାଇମଣ୍ଡ୍ସ ଆକ୍ରମଣାତ୍ମକ ଖେଳିବା ପରେ ଶେଷ ୩ ଓଭରରୁ ଦଳକୁ ୨୫ ରନ୍ ଆବଶ୍ୟକ ଥିଲା ଏବଂ ହାତରେ ଥିଲା ୬ ୱିକେଟ୍‌। ଏହି ସମୟରେ ବୋଲିଂ କରିବାକୁ ଆସିଥିବା ରଜତ ଭାଟିଆ ବିପର୍ଯ୍ୟୟ ଘଟାଇଥିଲେ। ସାଇମଣ୍ଡସ ଏବଂ ଡ୍ବାନ୍ ସ୍ମିଥଙ୍କ ୱିକେଟ୍ ସହିତ ୧୮ ଏବଂ ୨୦ତମ ଓଭରରେ ମାତ୍ର ୪ ରନ୍ ବିନିମୟରେ ୪ ୱିକେଟ୍‌ ଦଖଲ କରିଥିଲେ। ଫଳରେ ଡେକାନ୍ ନିଜର ଶେଷ ୭ ୱିକେଟ୍‌କୁ ୧୨ ରନ୍ ଭିତରେ ହରାଇ ଦିଲ୍ଲୀ ଡେୟାର ଡେଭିଲ୍ସକୁ ବିଜୟ ସମର୍ପି‌ ଦେଇଥିଲା।
୬ ୱିକେଟ୍, ୭ ରନ୍‌
(ରାଜସ୍ଥାନ ବନାମ ବାଙ୍ଗାଲୋର, ୨୦୧୦)
ଡେଲ୍ ଷ୍ଟେନ, ଜ୍ୟାକ୍ କାଲିସ ଏବଂ ବିନୟ କୁମାରଙ୍କ ପରେ ପ୍ରବୀଣ କୁମାରଙ୍କ ବିରଳ ହ୍ୟାଟ୍ରିକ୍ କାରଣରୁ ରାଜସ୍ଥାନ ରୟାଲ୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୬.୨ ଓଭରରେ ୮୫/୪ରେ ଥିବା ରାଜସ୍ଥାନ ପାଳି ୯୨ ରନ୍‌ରେ ଶେଷ ହୋଇଯାଇଥିଲା। ଏହା ପରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୦ ଓଭର ବାକି ଥାଇ ୧୦ ୱିକେଟ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରି ନେଇଥିଲା।
୬ ୱିକେଟ୍, ୭ ରନ୍‌
(ପୁନେ ବନାମ ହାଇଦ୍ରାବାଦ, ୨୦୧୩)
ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୨୦ ରନ୍‌କୁ ପିଛା କରିଥିବା ପୁନେ ୱାରିୟର୍ସ ଏକଦା ୧୦୧/୪ରେ ଥିଲା। କିନ୍ତୁ ମାତ୍ର ୭ ରନ୍‌ ଭିତରେ ଶେଷ ୬ ୱିକେଟ୍ ହରାଇ ଦେଇଥିଲା। ଏଥର ଅମିତ ମିଶ୍ର ମଧ୍ୟ ହ୍ୟାଟ୍ରିକ୍ ନେଇଥିଲେ। କିନ୍ତୁ ପୁନେ ଖେଳାଳିଙ୍କ ଦାୟିତ୍ବହୀନ ପ୍ରଦର୍ଶନ କାରଣରୁ ଏହାର ମଧ୍ୟ ଓ ନିମ୍ନକ୍ରମ ବିପର୍ଯ୍ୟୟ ଘଟିଥିଲା। ଏପରିକି ଅମିତ ମିଶ୍ରା କହିଥିଲେ ‘ମୁଁ ସେଭଳି କିଛି‌ ପ୍ରୟାସ କରିନଥିଲି। ଏହା କହୁଥିଲା ପୁନେର ଦାୟିତ୍ବହୀନ କଥା।
୮ ୱିକେଟ୍, ୨୯ ରନ୍‌
(ରାଜସ୍ଥାନ ବନାମ ମୁମ୍ବାଇ, ୨୦୦୮)
ଲଗାତାର ୫ ବିଜୟ ସହ ଆସିଥିବା ରାଜସ୍ଥାନ ରୟାଲ୍‌ସ ଭଲ ସ୍ଥିତିରେ ଥିଲେ ମଧ୍ୟ ସେ ରାତି ତାଙ୍କର ନଥିଲା। ସେନ୍ ୱାଟସନ୍‌ ଏବଂ ସ୍ବପ୍ନୀଲ ଆସନୋଦକରଙ୍କ ବିସ୍ଫୋରକ ପ୍ରଦର୍ଶନ ପରେ ଡିୱାଇ ପାଟିଲର ଦୋମୁହାଁ ପିଚ୍‌ରେ ଆଶିଷ ନେହେରା ଏବଂ କୋ ରୟାଲ୍ସକୁ ୧୬.୨ ଓଭରରେ ୧୦୩ ରନ୍‌ରେ ସୀମିତ ରଖି ଦେଇଥିଲେ। ଏହା ପୂର୍ବରୁ ଦଳ ନବମ ଓଭର ବେଳକୁ ୭୪/୨ରେ ଥିଲା। ୨୯ ରନ୍‌ରେ ୮ ୱିକେଟ୍ ହରାଇବା ପରେ ରୟାଲ୍ସ ଖେଳ ଖତମ ହୋଇଯାଇଥିଲା।
୫ ୱିକେଟ୍ ୧ ରନ୍‌
(ଡେକାନ୍‌ ବନାମ ବାଙ୍ଗାଲୋର୍‌, ୨୦୦୮)
ପାଳିକୁ ଭଲରେ ଶେଷ ନ କରିପାରିବାର ଶିକ୍ଷା ପାଇଥିଲା ଡେକାନ୍‌। ଦୁଇଟି ରନ୍‌ ଆଉଟ୍ ଏବଂ କିଛି ଖରାପ ସଟ୍ ପାଇଁ ଏହି ଦଳ ମାତ୍ର ୮ ବଲ୍‌ ଓ ୧ ରନ୍‌ ଭିତରେ ଶେଷ ୫ ୱିକେଟ୍‌ ହରାଇ ଦେଇଥିଲା। ବିଶ୍ବାସ ହେଉ ନ ଥିବା ଭଳି ତଥ୍ୟ। ଆଦାମ୍ ଗିଲକ୍ରିଷ୍ଟ ଏବଂ ହରସେଲ୍ ଗିବ୍ସ ପ୍ରଥମ ୱିକେଟ୍‌ ପାଇଁ ୧୦୧ ରନ୍ ଉଠାଇଥିଲେ। କିନ୍ତୁ ଡେକାନ୍‌ ୧୬୪/୫ରେ ଥାଇ ମଧ୍ୟ ୧୬୫ ରନ୍‌ ଡେଇଁ ପାରିନଥିଲା। ବାଙ୍ଗାଲୋର୍ ମ୍ୟାଚ୍‌କୁ ଜିତି ଯାଇଥିଲା।

ସମ୍ବନ୍ଧିତ ଖବର