ଆଇପିଏଲ୍‌ ୧୧: ବେଙ୍ଗାଲୁରୁକୁ ୬ ଓ୍ଵିକେଟ୍‌ରେ ହରାଇଲା କୋଲକାତା

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚ୍‌ରେ କ୍ରିସ୍‌ ଲିନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ(୬୨) ବଳରେ କୋଲକାତା ନାଇଟ୍‌ ରାଇଡର୍ସ ୬ ଓ୍ଵିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କୋଲକାତା ୧୯.୧ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ ସଂଗ୍ରହ କରିଛି।

ଆରମ୍ଭରୁ କୋଲକାତା ନାଇଟ୍‌ ରାଇଡର୍ସ ଭଲ ବ୍ୟାଟିଂ କରିଛି। ୫୯ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଛି। ୧୦୮ ରନ୍‌ରେ ୨ୟ ଓ୍ଵିକେଟ୍‌ ଓ ୧୩୯ ରନ୍‌ରେ ୩ୟ ଓ୍ଵିକେଟ୍‌ ଓ ୧୭୧ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ ହରାଇଥିଲା କୋଲକାତା। ଓପନ୍‌ର ସୁନୀଲ ନାରିନ ୨୭ ରନ୍‌, ରବୀନ ଉଥାପା ୩୬ ରନ୍‌ ଓ ନୀତିଶ ରାଣା ୧୫ ରନ୍‌ ଯୋଡ଼ିଥିଲେ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୨୯ତମ ମ୍ୟାଚ୍‌ରେ ରବିବାର ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ହାରି ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ(ଅପରାଜିତ ୬୮ ରନ୍‌, ୪୪ଟି ବଲ, ୫ଟି ଚୌକା, ୩ଟି ଛକା) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିବା ପରେ କୋଲକାତା ନାଇଟ୍‌ ରାଇଡର୍ସକୁ ମ୍ୟାଚ୍‌ ବିଜୟ ପାଇଁ ୧୭୬ ରନ୍‌ ଟାର୍ଗେଟ ମିଳିଛି। କୋଲିନ ଡି ଗ୍ରାଣ୍ଡହୋମ ଅପରାଜିତ ୧୧ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ।

ଓପନର କ୍ୱିଣ୍ଟନ ଡି କକ୍‌(୨୯) ଓ ବ୍ରେଣ୍ଡନ ମ୍ୟାକ୍‌କୁଲମ (୩୮) ପ୍ରଥମ ଓ୍ଵିକେଟ୍‌ରେ ୬୭ ରନ୍‌ ଯୋଡ଼ିଥିଲେ। ଡି କକ୍‌ ଆଉଟ୍‌ ହେବା ପରେ ବେଙ୍ଗାଲୁରୁ ୭୪ ରନ୍‌ରେ ମ୍ୟାକକୁଲମକୁ ହରାଇଥିଲା। ଦଳର ସ୍କୋର ୭୫ ରନ୍‌ ଥିବା ବେଳେ କୌଣସି ରନ୍‌ ନକରି ମନନ ଭୋରା ପାଭଲିଅନ୍‌ ଫେରିଥିବା ବେଳେ ୧୪୦ ରନ୍‌ରେ ମନ୍ଦିପ ସିଂହ ଆଉଟ୍‌ ହୋଇଥିଲେ। କୋଲକାତାର ଆଦ୍ରେ ରସେଲ ୩ ଓଭର ବୋଲିଂ କରି ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ କୁଳଦୀପ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଛି।

ସମ୍ବନ୍ଧିତ ଖବର