ନୂଆଦିଲ୍ଲୀ: କରୋନା ଆତଙ୍କ ପାଇଁ ଅଷ୍ଟ୍ରେଲିଆ ତା’ର ଅନ୍ତର୍ଜାତୀୟ ସୀମାକୁ ୬ ମାସ ପାଇଁ ସିଲ୍ କରିଛି। ଏଭଳି ସ୍ଥିତିରେ ସେଠାରେ ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଇପିଏଲ୍ ପାଇଁ ବିସିସିଆଇ ଏବେ ସେହି ଝରକା ଉପରେ ଆଖି ପକାଇଛି। କୌଣସି କାରଣରୁ ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ଥଗିତ ହୁଏ, ତାହାଲେ ଆଇପିଏଲ୍-୧୩କୁ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବାକୁ ଚିନ୍ତା କରାଯିବ ବୋଲି ମଙ୍ଗଳବାର ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଏହି ବିଷୟରେ ବିସିସିଆଇର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ସଂପୃକ୍ତ ଅଧିକାରୀଜଣକ ମତ ରଖିଛନ୍ତି ଯେ ସଂପ୍ରତି ଅଷ୍ଟ୍ରେଲିଆରେ ତାଲାବନ୍ଦ ଜାରି ରହିଛି। ୬ ମାସ ପର୍ଯ୍ୟନ୍ତ ସୀମା ଖୋଲାଯିବ ନାହିଁ ବୋଲି ମଧ୍ୟ ସେଠାକାର ସରକାର ଘୋଷଣା କରିଛନ୍ତି। କରୋନାର କାୟା ଦିନକୁ ଦିନ ବଢ଼ି ଚାଲିଥିବାରୁ ଇଂଲଣ୍ଡ ମଧ୍ୟ ଅଷ୍ଟ୍ରେଲିଆକୁ ଅନୁସରଣ କରିପାରେ। ସେପଟେ ଭାରତ ସରକାର ସୀମା ସିଲ୍ ନେଇ ଏବେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଏଣୁ ଆମ ପାଖରେ କେବଳ ଅକ୍ଟୋବର-ନଭେମ୍ବରର ସମୟ ରହିଛି। ତେବେ ସେତେବେଳେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବାର ଅଛି। ବିଶ୍ବକପ୍ ଯଦି ନହୁଏ, ତାହାଲେ ଆମେ ଏହି ସମୟର ସଦୁପଯୋଗ କରି ପାରିବୁ। ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ସ୍ଥଗିତ କରିବା କିନ୍ତୁ ଆଇସିସି ପାଇଁ ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ହୋଇପାରେ। କାରଣ ବିଶ୍ବକପ୍ ଭଳି ଏକ ବୃହତ୍ ପ୍ରତିଯୋଗିତା ଆୟୋଜନ କରିବା ଲାଗି ୨୦୨୧ର କ୍ରିକେଟ୍ କ୍ୟାଲେଣ୍ଡରରେ ଫାଙ୍କା ସମୟ ନାହିଁ। ଏଣୁ ଏହାକୁ ୨୦୨୨କୁ ଘୁଞ୍ଚାଇବାକୁ ଆଇସିସି ବାଧ୍ୟ ହେବ। ତେବେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ସ୍ଥଗିତ ରଖିବାର କୌଣସି ଯୋଜନା ଏବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି। ଆଇସିସିର ଜଣେ ବରିଷ୍ଠ ଅଧିକାରୀ ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ସ୍ଥଗିତ ରଖିବା ନେଇ ଏବେ ଆମେ କୌଣସି ଆଲୋଚନା କିମ୍ବା ପର୍ଯ୍ୟାଲୋଚନା ଆରମ୍ଭ କରିନୁ। ପୂର୍ବ ଯୋଜନା ଅନୁସାରେ ଏହା ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବ। ବିଶ୍ବକପ୍ ଯୋଜନା ଅନୁସାରେ ଖେଳାଯିବ ବୋଲି ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ ରୋବର୍ଟ୍ସ ଆଶା ପ୍ରକାଶ କରିଛନ୍ତି।
ଅକ୍ଟୋବର-ନଭେମ୍ବରରେ ଆଇପିଏଲ୍!
ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ଥଗିତ ହେବା ଉପରେ ନିର୍ଭର କରିବ
/sambad/media/post_attachments/wp-content/uploads/2020/02/IPL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)