ଆଇପିଏଲ୍‌ ୧୧: ପଞ୍ଜାବ ବିପକ୍ଷରେ ଖାତା ଖୋଲିବାକୁ ଉଦ୍ୟମ କରିବ ବିରାଟଙ୍କ ରୋୟାଲ ଚ୍ୟାଲେଞ୍ଜର୍ସ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୧ରେ ନିଜର ପ୍ରଥମ ମ୍ୟାଚ୍‌ରେ ହାରି ଥିବା ବିରାଟ କୋହଲିଙ୍କ ଟିମ୍‌ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ ଶୁକ୍ରବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ବିରୋଧରେ ୨ୟ ମ୍ୟାଚ୍‌ ଖେଳି ଟୁର୍ଣ୍ଣାମେଣ୍ଟରେ ବିଜୟର ଖାତା ଖୋଲିବାକୁ ସମସ୍ତ ପ୍ରକାରର ଉଦ୍ୟମ କରିବ।

ଆରସିବିକୁ ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ହାତରେ ୪ ଓ୍ଵିକେଟ୍‌ରେ ହାରିବାକୁ ପଡ଼ିଥିଲା। ଏହି ମ୍ୟାଚ୍‌ରେ ସୁନୀଲ ନାରିନ ୧୭ଟି ବଲ ଖେଳି ଅର୍ଦ୍ଧଶତକ ମାରିଥିଲେ। ସେହିଭଳି ନୀତିଶ ରାଣା ଗୋଟିଏ ଓଭରରେ ବିରାଟ ଓ ଏବି ଡିଭିଲିୟର୍ସଙ୍କୁ ଆଉଟ୍‌ କରିଥିଲେ।

ଆରସିବିକୁ ପଞ୍ଜାବ ବିରୋଧରେ ବ୍ରେଣ୍ଡନ ମ୍ୟାକୁଲମ ଓ ଏବି ଡିଭିଲିୟର୍ସଙ୍କ ଠାରୁ ବିସ୍ଫୋରକ ବ୍ୟାଟିଂ ଆଶା ଅଛି। ମ୍ୟାକୁଲମ ନିଜର ଗତ ମ୍ୟାଚ୍‌ରେ ଟି-୨୦ ମ୍ୟାଚ୍‌ରେ ୯୦୦୦ ରନ୍‌ ପୂରା କରିଛନ୍ତି। ଏଥି ପାଇଁ ତାଙ୍କର ଆତ୍ମବିଶ୍ୱାସ ବଢ଼ିଛି।

ସେହିଭଳି କ୍ୱିଣ୍ଟନ୍‌ ଡି କକ୍‌, ସରଫରାଜ ଖାଁ ଓ କ୍ରିସ ଓ୍ଵକସ୍‌ ଭଲ ପ୍ରଦର୍ଶନ କରିବେ ବୋଲି ଆରସିବି ଆଶା ରଖିଛି। ବୋଲିଂରେ ଉମେଶ ଯାଦବ ଓ କ୍ରିସ ଓ୍ଵକସ୍‌ଙ୍କ ବ୍ୟତୀତ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଓ୍ଵାସିଙ୍ଗଟନ୍‌ ସୁନ୍ଦର ଏହି ମୁକାବିଲାରେ ଫର୍ମକୁ ଫେରିବାର ଆଶା ଦେଖାଯାଉଛି। ଉଭୟ ବୋଲର କୋଲକାତା ବିରୋଧରେ ୭୭ ରନ୍‌ ଖର୍ଚ୍ଚ କରିଥିଲେ।

ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଥିବା ପଞ୍ଜାବ ନିଜର ପାଳିରେ ଲୋକେଶ ରାହୁଲଙ୍କ ଠାରୁ ଅନେକ ଆଶା ରଖିବ। ରାହୁଲ ଦିଲ୍ଲୀ ବିରୋଧରେ ୧୪ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଥିଲା ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ। ପୁଣି ଗତ ମ୍ୟାଚରେ ଖେଳି ନଥିବା କ୍ରିସ ଗେଲ ଓ ଅରୁଣ ଫିଞ୍ଚଙ୍କୁ ପଞ୍ଜାବ ଖେଳାଇପାରେ।

ସମ୍ବନ୍ଧିତ ଖବର