ଆଇପିଏଲ୍‌ରେ ସର୍ବାଧିକ ଛକା, ୨୦୦ ଦୌଡ଼ରେ ଧୋନି, ରାଇନା ଓ ରୋହିତ

ନୂଆଦିଲ୍ଲ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ବାଦଶ ସଂସ୍କରଣ ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବ। ବିଶ୍ବର ସବୁଠାରୁ ଦାମୀ କ୍ରିକେଟ୍‌ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଖେଳାଯିବ। ଏହି ଫଟାଫଟ୍‌ କ୍ରିକେଟ୍‌ର ୧୧ ସଂସ୍କରଣ ଏପର୍ଯ୍ୟନ୍ତ ସରିଲାଣି। ବିଶେଷ କରି ‌ଦର୍ଶକମାନେ ଆଇପିଏଲ୍‌ରେ ସଂଖ୍ୟାଧିକ ଛକା ଦେଖିସାରିଲେଣି। ଆଇପିଏଲ୍‌ରେ ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ ୫ ଖେଳାଳିଙ୍କୁ ନେଇ ଆମର ଅବଗଣନା। ଏହା ମଧ୍ୟରେ ଭାରତରୁ ୪ ଜଣ ଏବଂ‌ ୱେଷ୍ଟ୍‌ଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକାରୁ ଜଣେ ଲେଖାଏଁ ରହିଛନ୍ତି। ତେବେ ସେହି ୪ ଭାରତୀୟଙ୍କ ମଧ୍ୟରୁ ଆଗାମୀ ସଂସ୍କରଣରେ ୨୦୦ ଛକା ପୂରଣ କରିବା ଦୌଡ଼ରେ ରହିଛନ୍ତି ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଓ ରୋହିତ ଶର୍ମା। ଏହି ତିନିଜଣ ୨୦୦ ସଂଖ୍ୟାଠୁୁ ଯଥାକ୍ରମେ ୧୪, ୧୫ ଓ ୧୬ ଛକା ଦୂରରେ ରହିଛନ୍ତି। ତେଣୁ କିଏ ପ୍ରଥମେ ୨୦୦ ସଂଖ୍ୟା ପୂରଣ କରିବ ସେନେଇ ଏହି ତିନି ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ଅନ୍ୟତମ ଭାରତୀୟ ଭାବେ ବିରାଟ କୋହଲି ୨୦୦ ସଂଖ୍ୟାଠାରୁ ୨୨ ଦୂରରେ ରହିଛନ୍ତି।

୨୯୨ ଛକା: କ୍ରିସ୍‌ ଗେଲ୍‌ (୧୧୨ ମ୍ୟାଚ୍‌)
‌ୱେଷ୍ଟ୍‌ଇଣ୍ଡିଜ୍‌ର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଛକାର ରାଜା ଭାବେ ଜଣାଶୁଣା। ‌ସେ ୨୯୨ ଛକା ମାରି ଏହି ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ୩୦୦ ଛକାରୁ ମାତ୍ର ୮ ପଛରେ ରହିଛନ୍ତି। ଏଥିସହ ୧୧୨ ମ୍ୟାଚ୍‌ରୁ ୩୯୯୪ ରନ୍‌ କରିସାରିଛନ୍ତି। ପୁନେ ୱାରିୟର ବିପକ୍ଷରେ ୬୬ ବଲ୍‌ରେ ୧୭୫ ତାଙ୍କର ସର୍ବାଧିକ ସ୍କୋର୍‌। ଏହି ପାଳିରେ ସେ ୧୭ ଛକା ମାରିଥିଲେ। ୨୦୧୨ ସଂସ୍କରଣରେ ୫୯ ଛକା ମରିବାର କୀର୍ତିମାନ ମଧ୍ୟ ତାଙ୍କ ନାମରେ ରହିଛି। ଆଇପିଏଲ୍‌ରେ ମଧ୍ୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ୬ ଶତକ ହାସଲ କରିଛନ୍ତି। ଆର୍‌ସିବି ପକ୍ଷରୁ ଖେଳୁଥିବା ଗେଲ୍‌ ଚଳିତ ବର୍ଷ କିଙ୍ଗ୍ସ ଏକାଦଶ ପଞ୍ଜ‌ା‌ବ ପକ୍ଷରୁ ଖେଳିବାକୁ ଚୁକ୍ତି କରିଛନ୍ତି।

୧୮୬ ଛକା: ଏବି ଡି’ଭିଲିୟର୍ସ (୧୪୧ ମ୍ୟାଚ୍‌) ଓ ମହେନ୍ଦ୍ର ସିଂହ ଧୋନି (୧୭୫ ମ୍ୟାଚ୍‌)
ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଏବି ଡି’ଭିଲିୟର୍ସ ଓ ଭାରତୀୟ ତାରକା ମହେନ୍ଦ୍ର ସିଂହ ଧୋନି ୧୮୬ ଲେଖ‌ାଏଁ ଛକା ମାରି ମିଳିତ ଭାବେ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। କିନ୍ତୁ ଉଭୟଙ୍କ ମଧ୍ୟରେ ଫରକ ହେଲା ଡିଭିଲିୟର୍ସ ୧୪୧ ମ୍ୟାଚ୍‌ରୁ ଏବଂ ଧୋନି ୧୭୫ ମ୍ୟାଚ୍‌ରୁ ଏହା ହାସଲ କରିଛନ୍ତି। ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେଇ ୩ (୨୦୧୦, ୨୦୧୧, ୨୦୧୮) ଥର ବିଜେତା ହେବାର ସୌଭାଗ୍ୟ ପାଇସାରିଛନ୍ତି। କିନ୍ତୁ ଆର୍‌ସିବି ପକ୍ଷରୁ ଖେଳୁଥିବା ଡିଭିଲିୟର୍ସ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଗତ ସଂସ୍କରଣରେ ୩୦ (୧୬ ମ୍ୟାଚ୍‌) ଲେଖାଏଁ ଛକା ମାରିଥିଲେ। ଡିଭିଲିୟର୍ସ ୨୦୧୬ରେ ସର୍ବାଧିକ ଛକା ୩୬ ମାରିଥିଲା ବେଳେ ଧୋନି ସର୍ବାଧିକ ଛକା କୀର୍ତିମାନ (୩୦) ଗତ ସଂସ୍କରଣରେ ପାଇଥିଲେ।

୧୮୫ ଛକା: ସୁରେଶ ରାଇନା (୧୭୬ ମ୍ୟାଚ୍‌)
ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା (୧୮୫ ଛକା) ସର୍ବାଧିକ ଆଇପିଏଲ୍‌ ଛକା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୧୭୬ ମ୍ୟାଚ୍‌ ଖେଳି ଆଇପିଏଲ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ୩୪.୩୭ ହାର ଏବଂ ୧୩୮.୪୭ ଷ୍ଟ୍ରାଇକ୍‌ ରେଟ୍‌ରେ ୪୯୮୫ ରନ୍‌ କରିସାରିଛନ୍ତି।

୧୮୪ ଛକା: ରୋହିତ ଶର୍ମା (୧୭୩ ମ୍ୟାଚ୍‌)
‌ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ୧୮୪ ଛକା ସହ ଏହି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସେ ୧୭୩ ମ୍ୟାଚ୍‌ରୁ ୪୪୯୩ ରନ୍‌ ସଂଗ୍ରହ କରି ଆଇପିଏଲ୍‌ର ସର୍ବାଧିକ ରନ୍‌ ହାସଲକାରୀ ତାଲିକାର ତୃତୀୟରେ ରହିଛନ୍ତି। ସେ ଚାରି ଥର ଆଇପିଏଲ୍‌ ଟ୍ରଫି ଧରିବାର ‌ସୌଭାଗ୍ୟ ପାଇଛନ୍ତି। ପ୍ରଥମେ ଡେକାନ୍‌ ଚାଜର୍ସର ସଦସ୍ୟ ଭାବରେ ଏବଂ ୨୦୧୩, ୨୦୧୫ ଓ ୨୦୧୭ ସଂସ୍କରଣରେ ସେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇ ବିଜେତା ଟ୍ରଫି ହାସଲ କରିବାର ସଫଳତା ହାତେଇଥିଲେ। ଏଥିସହ ରୋହିତ (୧୦୨) ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ତାଲିକାରେ ୱେଷ୍ଟଇଣ୍ଡିଜ୍‌ର ଗେଲ୍‌ (୧୦୫) ଓ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ (୧୦୩)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।

୧୭୮ ଛକା: ବିରାଟ କୋହଲି (୧୬୩ ମ୍ୟାଚ୍‌)
ଭାରତୀୟ ଅଧିନାୟକ ବିରାଟ କୋହଲି ୧୬୩ ମ୍ୟାଚ୍‌ ଖେଳି ୧୭୮ ଛକା ମାରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ‌କୋହଲି (୪୯୪୮) ମଧ୍ୟ ସର୍ବାଧିକ ରନ୍‌ ହାସଲକାରୀ ତାଲିକାରେ ‌ସୁରେଶ ରାଇନା (୪୯୮୫)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିବାରେ କୋହଲି (୨୦୧୬ ସଂସ୍କରଣ, ୩୮ ଛକା) ଗେଲ୍‌ (୫୯ ଛକା)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ୨୦୧୮ରେ ଆର୍‌ସିବି ଅଧିନାୟକ କୋହଲି (୧୭ କୋଟି ଟଙ୍କା) ମୂଲ୍ୟବାନ ଖେଳାଳି ନିଲାମ ହୋଇଥିଲେ। ହେଲେ କୋହଲି କେବେବି ଆଇପିଏଲ୍‌ ଟ୍ରଫି ଧରିବାର ସୌଭାଗ୍ୟ ପାଇନାହାନ୍ତି।

ସମ୍ପୂର୍ଣ୍ଣ ସୂଚୀ ସୋମବାର!
ନୂଆଦିଲ୍ଲୀ: ଆଇପିଏଲ୍‌-୧୨ର ସମ୍ପୂର୍ଣ୍ଣ ଖେଳସୂଚୀ ସୋମବାର ପ୍ରକାଶ ପାଇବା ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହୋଇନଥିବାରୁ ପୂର୍ବରୁ ଆଇପିଏଲ୍‌ ପରିଚାଳନା ପରିଷଦ ପ୍ରଥମ ଦୁଇ ସପ୍ତାହ ପାଇଁ ସୂଚୀ ଘୋଷଣା କରିଥିଲା। ଯାହାକି ମାର୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ‌ଏବେ ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ସରିଥିବାରୁ ବିସିସିଆଇ ପ୍ରସ୍ତୁତି ଚୂଡାନ୍ତ କରୁଛି। ସୋମବାର ମୁମ୍ବାଇରେ କ୍ରିକେଟ୍‌ ପ୍ରଶାସନିକ ସମିତି (ସିଓଏ)ର ବୈଠକ ବସୁଥିବାରୁ ଉକ୍ତଦିନ ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା ସମ୍ଭାବନା ରହିଛି। ନିର୍ବାଚନ ସୂଚୀକୁ ନଜରରେ ରଖି କିଭଳି ଭାବେ ଆଇପିଏଲ୍‌ର ଦ୍ବାଦଶ ସଂସ୍କରଣକୁ ସମ୍ପୂର୍ଣ୍ଣ ଭାବେ ଭାରତରେ କରାଯିବ ସେ ନେଇ ବିସିସିଆଇ ମଧ୍ୟ ଦିନରାତି ଖସଡ଼ା ପ୍ରସ୍ତୁତ କରୁଛି। ପୂର୍ବରୁ ଘୋଷିତ ଆଂଶିକ ସୂଚୀ ଅନୁସାରେ ଆସନ୍ତା ରବିବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ସହିତ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ମୁକାବିଲା ହେବ।

ସମ୍ବନ୍ଧିତ ଖବର