ଆଇପିଏଲ୍‌ ଟ୍ରଫିରେ ସଂସ୍କୃତ ଲେଖା

ମୁମ୍ବାଇ: ଆଇପିଏଲ-୧୧ର ପ୍ରଥମାର୍ଧ ଶେଷ ହୋଇଥିଲା ବେଳେ ଦ୍ୱିତୀୟାର୍ଧରେ ପ୍ରତିଦ୍ୱନ୍ଦ୍ୱିତା ଆହୁରି ତୀବ୍ରତର ହେବ ବୋଲି ଆଶା କରାଯାଉଛି। ତେବେ ଏହି ପ୍ରତିଦ୍ୱନ୍ଦ୍ୱିତା ଯେଉଁ ସୁନେଲି ରଙ୍ଗର ଟ୍ରଫି ପାଇଁ ହେଉଛି ତା’ ଉପରେ ସଂସ୍କୃତରେ କ’ଣ ଲେଖାଅଛି ତାହାକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଛି। ଅଧିକାଂଶ ଖେଳାଳି ଏବଂ ପ୍ରଶଂସକ ଏ ବିଷୟରେ ପୂରା ଅଜ୍ଞ ଅଛନ୍ତି। ଏହାର କାରଣ ହେଲା ଏହି ପଂକ୍ତିଟି ଏତେ ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଛି ଯେ ଖାଲି ଆଖିରେ ଏହାକୁ ପଢ଼ିବା ସମ୍ଭବ ହେଉନାହିଁ। ସେହିଭଳି ଏହି ଚର୍ଚିତ ଲିଗ୍‌ରେ ଖେଳୁଥିବା ଅଧିକାଂଶ ଖେଳାଳି ମଧ୍ୟ ସଂସ୍କୃତ ଭାଷା ଜାଣି ନାହାନ୍ତି। ତେବେ ନିକଟରେ ଏକ ବେଦିକ ଗୁରୁକୁଳ ଆଇପିଏଲ୍‌ ଟ୍ରଫିରେ ଲେଖାଥିବା ସଂସ୍କୃତ ଲେଖାର ଅନୁବାଦ କରି ଏହାକୁ ଟ୍ଵିଟରରେ ପ୍ରକାଶ କରିଛି । ତଦନୁଯାୟୀ ଆଇପିଏଲ୍‌ ଟ୍ରଫିରେ ଅତି ଛୋଟ ଛୋଟ ଅକ୍ଷରରେ ସଂସ୍କୃତରେ ‘ୟତ୍ର ପ୍ରତିଭା ଅବସର ପ୍ରପ୍ନୋତିଃ’ ବୋଲି ଲେଖା ହୋଇଛି। ଯାହାର ମାନେ ହେଉଛି ‘ଯେଉଁଠି ପ୍ରତିଭା ଓ ସୁଯୋଗର ମିଳନ’ ହୋଇଥାଏ। ଏଣୁ ଆଇପିଏଲର ଅସଲ ଲକ୍ଷ୍ୟ ହେଉଛି ପ୍ରତିଭାବାନ ଖେଳାଳିଙ୍କୁ ସେମାନଙ୍କ ପ୍ରତିଭାର ପରିପ୍ରକାଶ ପାଇଁ ମଞ୍ଚ ଏବଂ ସୁଯୋଗ ପ୍ରଦାନ କରିବା। ଯାହା ଏହି ଲିଗ୍‌ ଗତ ୧୧ ବର୍ଷ ହେବ କରି ଆସୁଛି। ବହୁ ଯୁବ ତାରକା ଆଇପିଏଲ୍‌ ପ୍ରଦର୍ଶନ ବଳରେ ହିଁ ନିଜ ନିଜର ଜାତୀୟ ଦଳରେ ସ୍ଥାନ ପାଉଛନ୍ତି। ଅନେକ ଜିରୋରୁ ହିରୋ ପାଲଟି ଯାଉଛନ୍ତି। ମୟଙ୍କ ମାର୍କଣ୍ଡ, ଦୀପକ ଚହର, ହାର୍ଦିକ ପାଣ୍ଡ୍ୟା, ଅମ୍ବାତି ରାୟୁଡୁ ଓ ଅଙ୍କିତ ରାଜପୁତଙ୍କ ଭଳି ଖେଳାଳି ଆଇପିଏଲ ପାଇଁ ହିଁ ଲୋକଲୋଚନକୁ ଆସି ପାରିଛନ୍ତି।

ସମ୍ବନ୍ଧିତ ଖବର