ରୋନାଲ୍‌ଡୋଙ୍କୁ ଶୁଆଇଦେଲେନି ଇରାନ ପ୍ରଶଂସକ

ମସ୍କୋ : ସୋମବାରର ପର୍ତୁଗାଲ ବିପକ୍ଷ ମ୍ୟାଚ୍‌ ଇରାନ ପାଇଁ ଥିଲା କର ବା ମର। ଏହି ମ୍ୟାଚ୍‌ ଜିତିଥିଲେ ହିଁ ଇରାନ ପ୍ରି-କ୍ୱାର୍ଟରକୁ ଯାଇ ଥାଆନ୍ତା। ଇରାନ ଖେଳାଳିମାନେ ତ ପଡ଼ିଆ ଭିତରେ ବିଶେଷ କିଛି କରି ପାରିଲେ ନାହିଁ, ହେଲେ ପ୍ରଶଂସକମାନେ ପ୍ରତିପକ୍ଷ ପର୍ତୁଗାଲ ଦଳର ଖେଳାଳିଙ୍କୁ ରବିବାର ରାତିରେ ପୂରା ଅନିଦ୍ରା ରଖିବାର ସବୁ ବନ୍ଦୋବସ୍ତ କରି ଦେଇଥିଲେ। ବିଶେଷ କରି ସେମାନେ ପର୍ତୁଗାଲ ଦଳର ମେରୁଦଣ୍ଡ କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ଶୁଆଇ ନ ଦେଇ ତାଙ୍କ ଧ୍ୟାନ ଭଗ୍ନ କରିବାର ଯୋଜନା କରିଥିଲେ। ସେଥିପାଇଁ ପର୍ତୁଗାଲ ଦଳ ରହୁଥିବା ହୋଟେଲ ଚାରିପଟେ ରୁଣ୍ଡ ହୋଇ ପାଟିତୁଣ୍ଡ କରିବା ସହ ଖୁବ୍‌ ଜୋରରେ ମାଇକ୍‌ ବଜାଇଥିଲେ। ରୋନାଲଡୋଙ୍କ ନିଦ ମଧ୍ୟ ଏଥିରେ ଭାଙ୍ଗି ଯାଇଥିଲା। ସେ ନିଜ ହୋଟେଲ ରୁମର ଝରକା ପାଖକୁ ଯାଇ ପାଟି ତୁଣ୍ଡ ନ କରିବାକୁ ଇରାନ ପ୍ରଶଂସକଙ୍କୁ ସଂକେତ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ବିଷୟରେ ହୋଟେଲ କର୍ତୁପକ୍ଷ ପୁଲିସକୁ ଜଣାଇଥିଲେ। ପୁଲିସ ଆସି ସେମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲା। ହେଲେ ଏହାର କିଛି ସମୟ ପରେ ଇରାନର ଆଉ ଦଳେ ପ୍ରଶଂସକ ସେଠାରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲେ। ତଥାପି ଏକ ଡଜନରୁ ଅଧିକ ଇରାନ ପ୍ରଶଂସକ ସାରାଂସ୍କର ଏହି ହୋଟେଲ ନିକଟରେ ଜମି ରହି ଖୁବ୍‌ ଜୋରରେ ମାଇକ୍‌ ବଜାଇଥିଲେ।

ସମ୍ବନ୍ଧିତ ଖବର