ଈରାନୀ କପ୍‌: ବିଜୟ ଦ୍ୱାରରେ ବିଦର୍ଭ

ନାଗପୁର: ଗୋଟିଏ ଦ୍ୱିଶତକ, ଦୁଇଟି ଶତକ ଏବଂ ଦୁଇଟି ଅର୍ଧଶତକ ବଳରେ ବିଶାଳ ପ୍ରଥମ ପାଳି ସ୍କୋର୍‌ ଛିଡ଼ା କରିଥିବା ରଣଜୀ ଟ୍ରଫି ବିଜେତା ବିଦର୍ଭ ଏଠାରେ ଚାଲିଥିବା ଈରାନୀ କପ୍‌ରେ ବିଜୟୀ ହେବାର ଦ୍ୱାରଦେଶରେ ପହଞ୍ଚିଯାଇଛି। ଓ୍ଵାସିମ୍‌ ଜାଫରଙ୍କ ୨୮୬, ଗଣେଶ ସତୀଶଙ୍କ ୧୨୦, ଓ୍ଵାଙ୍ଖାଡେଙ୍କ ଅପରାଜିତ ୧୫୭, ଅଧିନାୟକ ଫୈଜ୍‌ ଫଜଲ୍‌ଙ୍କ ୮୯ ଓ ସଞ୍ଜୟ ରାମାସ୍ୱାମୀଙ୍କ ୫୩ ରନ୍‌ ସାଙ୍ଗକୁ ଓ୍ଵିକେଟ୍‌ରକ୍ଷକ ଓ୍ଵାଦ୍‌କରଙ୍କ ୩୭ ଓ ଗୁର୍‌ବାନୀଙ୍କ ଅପରାଜିତ ୨୨ ରନ୍‌କୁ ପାଥେୟ କରି ବିଦର୍ଭ ପ୍ରଥମ ପାଳିକୁ ୭/୮୦୦ରେ ଘୋଷଣା କରିଦେଇଛି। ତୃତୀୟ ଦିବସ ଶେଷରେ ୫/୭୦୨ ରନ୍‌ କରିଥିବା ବିଦର୍ଭ ଶନିବାର ଚତୁର୍ଥ ଦିବସରେ ଆଉ ୧୮.୩ ଓଭର ଖେଳି ୯୮ ରନ୍‌ ଯୋଡ଼ିଥିଲା ବେଳେ ୨ଟି ଓ୍ଵିକେଟ୍‌ ହରାଇଥିଲା। ପୂର୍ବଦିନ ୯୯ ରନ୍‌ରେ ଅପରାଜିତ ଥିବା ଓ୍ଵାଙ୍ଖାଡେ ଶତକ ପୂରଣ କରିଥିଲେ। ସେ ୧୬ ଚୌକା ଓ ୬ ଛକା ସହାୟତାରେ ୨୨୧ ବଲ୍‌ରୁ ୧୫୭ ରନ୍‌ କରି ଅପରାଜିତ ରହିଥିଲେ। ବିଦର୍ଭ ବ୍ୟାଟ୍‌ସମ୍ୟାନ୍‌ମାନେ ଅବଶିଷ୍ଟ ଭାରତ ବୋଲରମାନଙ୍କୁ ମନଭରି ପ୍ରହାର କରି ପାହାଡ଼ ସଦୃଶ ଦଳୀୟ ସ୍କୋର୍‌ ଛିଡ଼ା କରିବା ପରେ ଏହାର ବୋଲରମାନେ ମଧ୍ୟ ଅବଶିଷ୍ଟ ଭାରତ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ନୟାନ୍ତ କରିଥିଲେ। ୮୦୦ ରନ୍‌ର ପ୍ରଥମ ପାଳି ସ୍କୋର୍‌ ପିଛା କରିଥିବା ଅବଶିଷ୍ଟ ଭାରତ ଦଳୀୟ ସ୍କୋର୍‌ରେ ୯୦ ରନ୍‌ ଯୋଡ଼ି ଯୋଡ଼ିଲା ବେଳେକୁ ଅଧା ବ୍ୟାଟ୍‌ସମ୍ୟାନ୍‌ ପାଭିଲିୟନ୍‌ ଫେରି ଯାଇଥିଲେ। ଏପରିକି ୧୦୦ ରନ୍‌ ଛୁଇଁବା ପୂର୍ବରୁ ୬ ବ୍ୟାଟ୍‌ସମ୍ୟାନ୍‌ଙ୍କ ହରାଇ ଅବଶିଷ୍ଟ ଭାରତ ଗଭୀର ସଂକଟରେ ପଡ଼ିଯାଇଥିଲା। ବିଶେଷକରି ଚଳିତ ଋତୁ ସାରା ଦମ୍‌ଦାର ପ୍ରଦର୍ଶନ କରି ଆସିଥିବା ଗୁରବାନୀ ୪୬ ରନ୍‌ରେ ୪ ଓ୍ଵିକେଟ୍‌ ନେଇ ଅବଶିଷ୍ଟ ଭାରତକୁ ଝଟ୍‌କା ପରେ ଝଟ୍‌କା ଦେଇ ଚାଲିଥିଲେ। ପ୍ରଥମ ୬ ଓ୍ଵିକେଟ୍‌ ପତନ ମଧ୍ୟରେ କେବଳ ଯୁବ ତାରକା ପୃଥ୍ଵୀ ସ (୫୧) ଅର୍ଧଶତକ ଜମାଇଥିଲେ। ତେବେ ହନୁମା ବିହାରୀ ଏବଂ ଜୟନ୍ତ ଯାଦବ ଦଳକୁ ଶୋଚନୀୟ ସ୍ଥିତିରୁ ଉଦ୍ଧାର କରିଛନ୍ତି। ଏ ଦୁହେଁ ନିଜ ନିଜର ଅର୍ଧଶତକ ପୂରଣ କରିବା ସାଙ୍ଗକୁ ଅସମାପ୍ତ ସପ୍ତମ ଓ୍ଵିକେଟ୍‌ରେ ୧୩୮ ରନ୍‌ ଯୋଡ଼ି କିଛିଟା ସମ୍ମାନ ରଖିଛନ୍ତି। ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ବିହାରୀ ୮୧ ଏବଂ ଯାଦବ ୬୨ ରନ୍‌ରେ ଅପରାଜିତ ରହିଛନ୍ତି। ଅବିଶିଷ୍ଟ ଭାରତ ଏବେ ବି ହାତରେ ୪ ଓ୍ଵିକେଟ୍‌ ରଖି ବିଦର୍ଭ ପ୍ରଥମ ପାଳିଠୁ ୫୬୪ ରନ୍‌ ପଛରେ ରହିଥିବାରୁ ଏବଂ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାରୁ ମ୍ୟାଚ୍‌ ଅମୀମାଂସିତ ରହିବା ନିଶ୍ଚିତ ହୋଇଯାଇଛି। ଫଳରେ ରଣଜୀ ବିଜେତା ବିଦର୍ଭ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଈରାନୀ କପ୍‌ ମଧ୍ୟ ଜିତିବା ଦ୍ୱାରରେ ପହଞ୍ଚିଯାଇଛି।

ସଂକ୍ଷିପ୍ତ ସ୍କୋର୍‌: ବିଦର୍ଭ ପ୍ରଥମ ପାଳି-୨୨୬.୩ ଓଭରରେ ୮୦୦/୭ ଘୋଷିତ (ଓ୍ଵାସିମ୍‌ ଜାଫର ୨୮୬, ଓ୍ଵାଙ୍ଖାଡେ ୧୫୭*, ଗଣେଶ ସତୀଶ ୧୨୦, ଫୈଜ୍‌ ପଜଲ୍‌ ୮୯, ସଞ୍ଜୟ ରାମାସ୍ୱାମୀ ୫୩, ସିଦ୍ଧାର୍ଥ କୌଲ ୨/୯୧)। ବିଦର୍ଭ ପ୍ରଥମ ପାଳି-୭୭ ଓଭରରେ ୨୩୬/୬ (ପୃଥ୍ଵୀ ସ ୫୧, ହନୁମା ବିହାରୀ ୮୧*, ଜୟନ୍ତ ଯାଦବ ୬୨*, ଗୁରୁବାନୀ ୪/୪୬, ଉମେଶ ଯାଦବ ୧/୪୫)।

ସମ୍ବନ୍ଧିତ ଖବର