ଈଶାନ୍ତ-ଅଶ୍ବିନ୍‌ ଦେଖାଇଲେ ଦମ୍, ଭାରତ ୨୫୦, ଅଷ୍ଟ୍ରେଲିଆ ୧୯୧/୭

ଆଡିଲେଡ୍: ଚେତେଶ୍ବର ପୂଜାରାଙ୍କ ଚିତ୍ତାକର୍ଷକ ଶତକ ପରେ ରବିଚନ୍ଦ୍ରନ୍ ଅଶ୍ବିନ (୩/୫୦), ଈଶାନ୍ତ ଶର୍ମା (୨/୩୧)ଏବଂ ଯଶ୍‌ପ୍ରୀତ ବୁମ୍‌ରା (୨/୩୪)ଙ୍କ ଶାଣିତ ବୋଲିଂ ପାଇଁ ଆଡିଲେଡ୍ ଟେଷ୍ଟ୍‌ରେ ଭାରତ ଏକପ୍ରକାର ଭଲ ସ୍ଥିତିରେ ରହିଛି। ଶୁକ୍ରବାର ଖେଳର ପ୍ରଥମ ବଲ୍‌ରେ ବଳକା ୱିକେଟ୍‌ଟି ହରାଇବା ପରେ ଭାରତର ପ୍ରଥମ ପାଳି ୨୫୦ରେ ହିଁ ଶେଷ ହୋଇ ଯାଇଥିଲା। ଏହା ପରେ ଈଶାନ୍ତ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ ଫିଞ୍ଚ୍‌ଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ। ହେଲେ କଙ୍ଗାରୁ ଦଳର ଅଣ୍ଟାକୁ ଅଶ୍ବିନ ହିଁ ଭାଙ୍ଗି ଦେଇଥିଲେ। ବାକି କାମ ବୁମ୍‌ରା କରିଥିଲେ। ତିନି ଜଣ ମିଳିତ ଭାବେ ୭ ୱିକେଟ୍ କରାୟତ କରିବା ପରେ ଦିନ ସାରା ମନ୍ଥର ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଶୁକ୍ରବାର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ବିନିମୟରେ ୧୯୧ ରନ୍ କରିଥିଲା। ଫଳରେ ହାତରେ ୩ ୱିକେଟ୍ ଥାଇ ଭାରତଠାରୁ ୫୯ ରନ୍ ପଛରେ ରହିଥିଲା। ଘରୋଇ ମାଟିରେ ପ୍ରଥମ ଟେଷ୍ଟ୍‌ ଖେଳୁଥିବା ଟ୍ରାଭିସ୍ ହେଡ୍ (୬୧ ରନ୍, ୧୪୯ ବଲ୍, ୮ ଚୌକା) ହିଁ ଅଷ୍ଟ୍ରେଲିଆକୁ କିଛି ମାତ୍ରାରେ ସଙ୍କଟରୁ ବାହାର କରି ନେଇଥି‌ଲେ। ବିଶେଷ କରି ଟେଲ୍‌ଏଣ୍ଡର୍‌ ପ୍ୟାଟ୍ କମିନ୍ସ (୧୦) ଏବଂ ହେଡ୍ ସପ୍ତମ ୱିକେଟ୍‌ରେ ଯୋଡ଼ିଥିବା ୫୦ ରନ୍ ଭାରତକୁ ବେଶ୍ ବାଧିଥିଲା। ସେପଟେ ୧୨୬ ରନ୍‌ରେ ୬ ୱିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିବା ଅଷ୍ଟ୍ରେଲିଆ ନିଜ ସ୍ଥିତି କିଛିଟା ସୁଧାରି ନେଇଥିଲା। ଏହା ପୂର୍ବରୁ ହେଡ୍ ଆଉ ଜଣେ ନବାଗତ ପିଟର ହ୍ୟାଣ୍ଡ୍ସକମ୍ବ (୩୪)ଙ୍କୁ ସାଥୀ କରି ପଞ୍ଚମ ୱି‌କେଟ୍‌ରେ ୩୩ ରନ୍ ଯୋଡ଼ିଥିଲେ। ୬୧ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳି ହେଡ୍ ଅପରାଜିତ ରହିବା ମଧ୍ୟ ଭାରତ ପାଇଁ ଚିନ୍ତାର କରଣ ହୋଇଥିଲା। ଆଜି ଷ୍ଟମ୍ପ୍‌ସ ଅପସାରଣ ବେଳକୁ ହେଡଙ୍କ ସହ ମିଚେଲ ଷ୍ଟାର୍କ ୮ ରନ୍ କରି ବ୍ୟାଟିଂ କରୁଥିଲେ।

ଭାରତୀୟ ବୋଲର ଶୁକ୍ରବାର ପୂରା ଶୃଙ୍ଖଳିତ ବୋଲିଂ କରିଥିଲେ। ଅଶ୍ବିନଙ୍କ ସ୍ପିନ୍ କଳା ଏବଂ ହେଡ୍‌ଙ୍କ ଦ୍ବିତୀୟ ଅର୍ଧଶତକ ଶୁକ୍ରବାରର ମୁଖ୍ୟ ଆକର୍ଷଣ ଥିଲା। ଅଶ୍ବିନ ନିଜ ୨୨ ଓଭରିଆ ଅବିଭା‌ଜିତ ପ୍ରଥମ ସ୍ପେଲ୍‌ରେ ଅଷ୍ଟ୍ରେଲିଆର ତିନି ଜଣ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ସହ ମାତ୍ର ୩୮ ରନ୍ ବ୍ୟୟ କରିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମାତ୍ର ୨.୧୭ ହାରରେ ରନ୍ କରିଥିଲା। ଯାହା ୧୯୯୦ ମସିହା ପରେ କୌଣସି ଘରୋଇ ଟେଷ୍ଟ୍‌ରେ ଏହି ଦଳର ସବୁଠାରୁ ମନ୍ଥର ବ୍ୟାଟିଂ ଥିଲା। ସେଥିମଧ୍ୟରୁ ପାଖାପାଖି ଏକତୃତୀୟାଂଶ ରନ୍ ହେଡ୍ ଏକାକି ସଂଗ୍ରହ କରିଥିଲେ। ୭୩ତମ ଓଭରରେ ଭାରତର କାମଚଳା ସ୍ପିନର ମୁରଲୀ ବିଜୟଙ୍କ ବଲରୁ ଡିପ୍ କଭର ଅଞ୍ଚଳରୁ ସିଙ୍ଗଲ ନେଇ ୧୦୩ ବଲ୍‌ରୁ ସେ ନିଜ ଅର୍ଧଶତକ ପୂରଣ କରିଥିଲେ। ଭାରତ ଶୁକ୍ରବାର ନିଜ ଗୁରୁବାର ସ୍କୋର ୨୫୦/୯ରେ କୌଣସି ରନ୍ ଯୋଡ଼ି ପାରି ନଥିଲା। ମିଚେଲ ଷ୍ଟାର୍କ ନିଜ ପ୍ରଥମ ବଲ୍‌ରେ ମହମ୍ମଦ ସାମିଙ୍କୁ ବୋଲ୍ଡ କରିବା ପରେ ଭାରତ ସେହି ୨୫୦ ରନ୍‌ରେ ସୀମିତ ରହି ଯାଇଥିଲା। ତା’ ସହ ଅଷ୍ଟ୍ରେଲିଆ ପାଳି ମଧ୍ୟ ମାତ୍ର କିଛି ମିନିଟ୍ ଭିତରେ ଆରମ୍ଭ ହୋଇ ଯାଇଥିଲା। ଇଶାନ୍ତ ନିଜ ପ୍ରଥମ ଓଭରର ତୃତୀୟ ଓଭରରେ ଆରୋନ ଫିଞ୍ଚଙ୍କୁ କ୍ଲିନ୍ ବୋଲ୍ଡ କରି ଏହାର ମଧୁର ପ୍ରତିଶୋଧ ନେଇଥିଲେ। ପଦାର୍ପଣକାରୀ ମାର୍କସ ହାରିସ୍ (୨୬) ଓ ଉସ୍‌ମାନ ଖୱାଜା (୨୮) ବିପଜ୍ଜନକ ହେବା ପୂର୍ବରୁ ଅଶ୍ବିନ ଉଭୟଙ୍କ ଖେଳ ଖତମ କରି ଦେଇଥିଲେ। ସନ୍ ମାର୍ସ (୨) ମଧ୍ୟ ଅଶ୍ବିନଙ୍କ ଚତୁର ବୋଲିଂକୁ ବୁଝି ନପାରି ଷ୍ଟମ୍ପ୍‌ ହରାଇଥିଲେ। ହ୍ୟାଣ୍ଡ୍ସକମ୍ବ-ହେଡ୍ ଯୋଡ଼ିକୁ ଭାଙ୍ଗି ବୁମରା ନିଜ ୱିକେଟ୍ ଖାତା ଖୋଲିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପାଇନ୍‌ (୫) ଈଶାନ୍ତଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଦିନର ଶେଷ ୱିକେଟ୍ ଭାବେ ବୁମରା ୧୦ ରନ୍‌ରେ କମିନ୍ସଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ଅଷ୍ଟ୍ରେଲିଆ ୨ ୱିକେଟ୍ ବିନିମୟରେ ୫୦ ରନ୍ କରିଥିଲା। ଦିନର ଅବଶିଷ୍ଟ ଖେଳରେ ଆଉ ୫ ୱିକେଟ୍ ହରାଇ ୧୪୧ ରନ୍ ଯୋଡ଼ିଥିଲା।

ଦ୍ରୁତତମ ୩୫୦ରୁ ୧୧ ୱିକେଟ୍‌ ଦୂରରେ ଅଶ୍ବିନ୍‌
ଟେଷ୍ଟ୍‌ରେ ୨୫୦ ଓ ୩୦୦ ୱିକେଟ୍‌ ଅକ୍ତିଆର କରିବାରେ ଦ୍ରୁତତମ କୀର୍ତିମାନ ପାଇ ସାରିଥିବା ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଆଉ ଏକ ମାଇଲଖୁଣ୍ଟ୍‌ ଛୁଇଁବାର ନିକଟତର ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପୂର୍ବରୁ ୬୪ ଟେଷ୍ଟ୍‌ ଖେଳିଥିବା ଅଶ୍ବିନ୍‌ ମୋଟ ୩୩୬ ୱିକେଟ୍‌ ନିଜ ଖାତାରେ ଯୋଡ଼ି ସାରିଛନ୍ତି। ପୁଣି ଅଷ୍ଟ୍ରେଲିଆ ବିପକ୍ଷ ଆଡି‌ଲେଡ୍‌ ଟେଷ୍ଟ୍‌ରେ ଅସମାପ୍ତ ପ୍ରଥମ ପାଳିରେ ସେ ୩ ୱିକେଟ୍‌ ଦଖଲ କରିସାରିଲେଣି। ଫଳରେ ତାଙ୍କ ୱିକେଟ୍‌ ସଂଖ୍ୟା ୬୫* ଟେଷ୍ଟ୍‌ରୁ ୩୩୯ରେ ପହଞ୍ଚିଛି। ତେଣୁ ଆଉ ୧୧ ୱିକେଟ୍‌ ପାଇଗଲେ ସେ ୩୫୦ର ଦ୍ରୁତତମ କୀର୍ତିମାନ ପ୍ରତିଷ୍ଠା କରିବାରେ ସିଂହଳୀ କିମ୍ବଦନ୍ତୀ ସ୍ପିନର ମୁଥେୟା ମୁରଲୀଧରନ୍‌ଙ୍କ ସମକକ୍ଷ ହୋଇଯିବେ। ଅବଶ୍ୟ ଅଶ୍ବିନ୍‌ଙ୍କୁ ଏଥିପାଇଁ ଚଳିତ ଗସ୍ତର ପର୍ଥରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ମଧ୍ୟରେ ହିଁ ୧୧ ୱିକେଟ୍‌ ଦଖଲ କରିବାକୁ ପଡ଼ିବ। କାରଣ ମୁରଲୀଧରନ୍‌ ୬୬ ଟେଷ୍ଟ୍‌ରୁ ୩୫୦ ୱିକେଟ୍‌ ପୂରଣ କରି ଏବେ ବି ବିଶ୍ବର ଦ୍ରୁତତମ କୀର୍ତିମାନ ନିଜ ନାମରେ ଅତୁଟ ରଖିଛନ୍ତି। ତାଙ୍କ ପଛକୁ ନ୍ୟୁଜିଲାର୍ଡ୍‌ର ରିଚାର୍ଡ ହାଡ୍‌ଲି (୬୯) ଓ ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ୍‌ (୬୯) ସମାନ ସଂଖ୍ୟକ ଟେଷ୍ଟ୍‌ରୁ ୩୫୦ ୱିକେଟ୍‌ ନେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ମାତ୍ର ଗୋଟିଏ ଟେଷ୍ଟ୍‌ ପାଇଁ ଅଶ୍ବିନ୍‌ ଦ୍ରୁତତମ ୨୦୦ ୱିକେଟ୍‌ କୀର୍ତିମାନରୁ ବଞ୍ଚିତ ହୋଇଥିଲେ। ଅଶ୍ବିନ୍‌ ନିଜର ୩୩୯ ୱିକେଟ୍‌ ମଧ୍ୟରେ ୨୬ ଥର ୫ ଏବଂ ୭ ଥର ୧୦ ୱିକେଟ୍‌ ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର