ସର୍ବାଧିକ ୫ ୱିକେଟ୍‌ ସଫଳତା, ଜାହିରଙ୍କ ସମକକ୍ଷ ଈଶାନ୍ତ

ୱେଲିଂଟନ୍‌: ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ରବିବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିବସରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିର ୫ ୱିକେଟ୍‌ ଦଖଲ କରିବା ପରେ ଈଶାନ୍ତ ଏକ୍ଷେତ୍ରରେ ସର୍ବାଧିକ ସଫଳତା ପାଇବାରେ ପୂର୍ବତନ ଭାରତୀୟ ବାମହାତୀ ଦ୍ରୁତ ବୋଲର ଜାହିର ଖାନ୍‌ଙ୍କ ସମକକ୍ଷ ହୋଇଛନ୍ତି। ଈଶାନ୍ତ ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ୍‌ର ଟମ୍‌ ବ୍ଲଣ୍ଡେ୍‌ଲ, ଟମ୍‌ ଲାଥାମ୍‌, ରସ୍‌ ଟେଲର, ଟିମ୍‌ ସାଉଦି ଓ ଟ୍ରେଣ୍ଟ୍‌ ବୋଲ୍‌ଟଙ୍କୁ ଶିକାର କରିଥିଲେ। ଏଥି ସହିତ ଟେଷ୍ଟ୍‌ କ୍ରିକେଟ୍‌ରେ ୧୧ ଥର ପାଇଁ ୫ ୱିକେଟ୍‌ ଅକ୍ତିଆର କରିଥିଲେ। ନିଜର ୯୭ତମ ଟେଷ୍ଟ୍‌ ଖେଳୁଥିବା ଈଶାନ୍ତ ୧୧ ଥର ୫ ୱିକେଟ୍‌ ସଫଳତା ହାତେଇଥିଲା ବେଳେ ଜାହିର ଏହି ମାଇଲଖୁଣ୍ଟ ଛୁଇଁବାକୁ ୯୨ ଟେଷ୍ଟ୍‌ ଖେଳିଥିଲେ। କେବଳ କପିଳ ଦେବ ହିଁ ଭାରତୀୟ ଦ୍ରୁତ ବୋଲର ଭାବେ ସର୍ବାଧିକ ୨୩ ଥର ୫ ୱିକେଟ୍‌ ସଫଳତା ହାତେଇଥିବା ତାଲିକାର ସର୍ବାଗ୍ରେ ରହିଛନ୍ତି। ପୁଣି ଈଶାନ୍ତ ମଧ୍ୟ ଭାରତୀୟ ଦ୍ରୁତ ବୋଲର ଭାବେ ସେନା (ସାଉଥ୍‌ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ବିପକ୍ଷରେ ସର୍ବାଧିକ ୱିକେଟ୍‌ ଅକ୍ତିଆର କରିବାରେ ଜାହିର ଖାନ୍‌ଙ୍କୁ ଟପି ଯାଇଛନ୍ତି। ଏହି ୪ ଦେଶ ବିପକ୍ଷରେ ଇଶାନ୍ତ ସର୍ବାଧିକ ୧୨୧ ୱିକେଟ୍‌ ଦଖଲ କରିସାରିଥିଲା ବେଳେ ଜାହିର ଖାନ୍‌ (୧୨୦), କପିଳ ଦେବ (୧୧୭), ଜଭଗଲ୍‌ ଶ୍ରୀନାଥ (୮୯) ଓ ମହମ୍ମଦ ସାମି (୮୪) ପଛକୁ ପଛ ରହିଛନ୍ତି।

ଅନ୍ୟପକ୍ଷରେ ବିଦେଶ ମାଟିରେ ଭାରତୀୟ ବୋଲର ଭାବେ ସର୍ବାଧିକ ୫ ୱିକେଟ୍‌ ସଫଳତା ହାତେଇବାରେ ଈଶାନ୍ତ ମଧ୍ୟ ଭଗବତ ଚନ୍ଦ୍ରଶେଖର ଓ ଜାହିର ଖାନ୍‌ଙ୍କୁ ଟପି ଯାଇଛନ୍ତି। ବିଦେଶରେ ସର୍ବାଧିକ ୯ ଥର ୫ ୱିକେଟ୍‌ ସଫଳତା ହାତେଇ ଈଶାନ୍ତ ଏହି ତାଲିକାର ତୃତୀୟ ବୋଲର ହୋଇଛନ୍ତି। କେବଳ କପିଳ ଦେବ (୧୨ ଥର) ଏବଂ ଅନିଲ କୁମ୍ବଲେ (୧୦) ଏହି ତାଲିକାରେ ଈଶାନ୍ତଙ୍କ ଉପରକୁ ରହିଛନ୍ତି।

ସମ୍ବନ୍ଧିତ ଖବର