ଓଡ଼ିଶାରେ ଆଇଏସ୍‌ଏଲ୍‌ ମ୍ୟାଚ୍‌ ସମ୍ଭାବନା 

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ସଫଳ ଆୟୋଜନ ପରେ ଓଡ଼ିଶା ସରକାର ଏବେ ବିଶ୍ୱର ସବୁଠୁ ଲୋକପ୍ରିୟ ଖେଳ ଫୁଟ୍‌ବଲ୍‌ର ବିକାଶ ତଥା ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଓଡ଼ିଶାକୁ ପ୍ରଥମ ଥର ପାଇଁ ଆଇ ଲିଗ୍‌ରେ ଖେଳିବା ପାଇଁ ଯୋଜନା ଚୂଡାନ୍ତ ରୂପରେଖ ନେଇଛି। ଓଡ଼ିଶା କ୍ରୀଡ଼ା ଛାତ୍ରାବାସର ଦୁଇଟି ଦଳ (୧୮ ଏବଂ ୧୫ ବର୍ଷରୁ କମ୍‌) ଚଳିତ ବର୍ଷ ଆଇଲିଗ୍‌ରେ ପଦାର୍ପଣ କରିବେ। ଅନ୍ୟପକ୍ଷରେ ଦେଶର ପେସାଦାର ଫୁଟ୍‌ବଲ୍‌ ପ୍ରତିଯୋଗିତା ଆଇଏସ୍‌ଏଲ୍‌ (ଇଣ୍ଡିଆନ୍‌ ସୁପର୍‌ ଲିଗ୍‌)ର କିଛି ମ୍ୟାଚ୍‌ ଓଡ଼ିଶାରେ କରାଇବା ପାଇଁ ଯୋଜନା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଗ୍ରହ କାରଣରୁ କ୍ରୀଡ଼ା ଓ ଯୁବ ସେବା ବିଭାଗରେ ତତ୍ପରତା ଦେଖା ଦେଇଛି। ମଙ୍ଗଳବାର ଆଇଏସ୍‌ଏଲ୍‌ର ମୁଖ୍ୟ ପ୍ରାୟୋଜକ ରିଲାଏନ୍‌ସ ଆଇଏମ୍‌ଜିର ଏକ ୩ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି କଟକ ଓ ଭୁବନେଶ୍ୱରରେ ଥିବା ଭିତ୍ତିଭୂମୀ ବୁଲି ଦେଖିଛନ୍ତି। ରୋଚକ୍‌ ଲାଙ୍ଗର, ରାହୁଲ ଏବଂ ସଇନିଙ୍କୁ ନେଇ ଗଠିତ ଏହି ଦଳ ମଙ୍ଗଳବାର ସକାଳେ କଟକର ବାରବାଟୀ ଷ୍ଟାଡିୟମ୍‌ ଏବଂ ଅପରାହଣ୍‌ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଫୁଟ୍‌ବଲ୍‌ ପାଇଁ ଥିବା ଭିତ୍ତିଭୂମୀ, ସୁବିଧା ସୁଯୋଗ ଆଦିର ପ୍ରାରମ୍ଭିକ ଅନୁସଂଧାନ କରିଥିଲେ। ପଡ଼ିଆରେ ଘାସଠୁ ଆରମ୍ଭ କରି, ପରିବେଶ, ପିଚ୍‌, ଫ୍ଲଡ୍‌ ଲାଇଟ୍‌, ଅଭ୍ୟାସ ପଡ଼ିଆ, ବକେଟ୍‌ ସିଟ୍‌, ଜଳ ନିଷ୍କାସନ, ଖେଳାଳିଙ୍କ ଡ୍ରେସିଂ ରୁମ, ଗଣମାଧ୍ୟମ ସୁବିଧା, ପ୍ରସାରଣ ବ୍ୟବସ୍ଥା ସହିତ ସୁରକ୍ଷା ଆଦି ସମସ୍ତ ସମ୍ଭାବ୍ୟ ଦୃଷ୍ଟିକୋଣରୁ ତଦାରଖ କରିଥିଲେ। ଏହା ପରେ ଏହି ପ୍ରତିନିଧି ଦଳ (ଷ୍ଟାଡିୟମ୍‌ ରେକି) କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ମଧ୍ୟ କରିଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୧୭ ତାରିଖରୁ ଦେଶର ବିଭିନ୍ନ ଭାଗରେ ଆରମ୍ଭ ହୋଇ ୨୦୧୮ ମାର୍ଚ ୪ ତାରିଖରେ ଶେଷ ହେବ। ଓଡ଼ିଶାର ଦୁଇ ପଡ଼ିଆକୁ ସବୁଜ ସଙ୍କେତ ମିଳିଲେ ପ୍ରତିଯୋଗିତାର ଶେଷ ଭାଗରେ କିଛି ମ୍ୟାଚ୍‌ ମିଳିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର