ଆଇଟା-ଓଟିଏ ଟେନିସ୍: ଅଂଶୁ ଏକକ ଉପବିଜେତା; ଯୁଗଳ ବିଜେତା

ଭୁବନେଶ୍ବର: ମେଣ୍ଡାଶାଳସ୍ଥିତ ଗୁରୁକୁଳ ଟେନିସ୍ ଏକାଡେମିଠାରେ ଆୟୋଜିତ ଗୁରୁକୁଳ-ଆଇଟା-ଓଟିଏ ୧ ଲକ୍ଷ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଉପବିଜେତା ହୋଇଛନ୍ତି। ଫାଇନାଲରେ ଶୀର୍ଷ ମାନ୍ୟତା ଅଂଶୁଙ୍କୁ ଯୋଗ୍ୟତାପର୍ଯ୍ୟାୟ ଦେଇ ମୁଖ୍ୟ ଡ୍ର’କୁ ଯାଇଥିବା ତେଲେଙ୍ଗାନାର ଜି ସାଇ କୁମାର ରେଡ୍ଡୀ ୬-୩, ୬-୩ରେ ହରାଇ ଦେଇଥିଲେ। ତେବେ ଏହା ପୂର୍ବରୁ ଅନୁଷ୍ଠିତ ଯୁଗଳ ଫାଇନାଲରେ ଅଂଶୁ ଏବଂ କବିର ହଂସଙ୍କ ଯୋଡ଼ି ୭-୫, ୪-୬ (୧୦-୪)ରେ ତାମିଲନାଡୁର ସିଦ୍ଧାର୍ଥ ଆର୍ଯ୍ୟା ଓ ହରିଆଣାର ଭିଲାସିଏର ଖଟେଙ୍କୁ ପରାସ୍ତ କରି ବିଜେତା ଆଖ୍ୟା ଅର୍ଜନ କରିଥିଲେ। ଏହି ପ୍ରତିଯୋଗିତାରେ ବିହାର, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ପ୍ରବେଶ, ମହାରାଷ୍ଟ୍ର ଭଳି ୧୬ ରାଜ୍ୟର ୫୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏକକ ବିଜେତା ଓ ଉପ ବିଜେତା ଯଥାକ୍ରମେ ୨୦ ଏବଂ ୧୫ ରୢାଙ୍କିଙ୍ଗ୍ ପଏଣ୍ଟ ସହ ୧୨୫୦୦ ଏବଂ ୮୪୦୦ ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଥିଲେ। ଯୁଗଳ ବିଜେତା ୧୫ ଏବଂ ୧୦ ମାନ୍ୟତା ପଏଣ୍ଟ ସହ ୬୨୦୦ ଏବଂ ୩୮୦୦ ଟଙ୍କା ପାଇଥିଲେ। ପ୍ରତିଯୋଗିତା ନିର୍ଦେଶକ ପ୍ରଦୀପ ପ୍ରଧାନ ପୁରସ୍କାର ବିତରଣ କରିଥିଲେ। ପ୍ରତିଯୋଗିତା ରେଫରି ଯତିନ ବତ୍ସ୍ୟ, ଓଡ଼ିଶା ଟେନିସ ସଂଘ ପ୍ରବନ୍ଧକ ପ୍ରକାଶ ପଟ୍ଟନାୟକ ଓ ଗୁରୁକୁଳ ରିସର୍ଟସର ନିର୍ଦେଶକ ଚିନ୍ମୟ ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର