୧୯୩୮: ଇଟାଲିକୁ ଦ୍ଵିତୀୟ ମୁକୁଟ

ଅନେକ ଆଶଙ୍କା ଭିତରେ ତୃତୀୟ ସଂସ୍କରଣ ୟୁରୋପରେ ରହିଥିଲେ ମଧ୍ୟ ଫ୍ରାନ୍‌ସ ଆୟୋଜକ ହୋଇଥିଲା। ସବୁଠାରୁ ଶକ୍ତିଶାଳୀ ଓ ସଂଗତିପୂର୍ଣ ପ୍ରଦର୍ଶନ ଦେଖାଇଥିବା ଇଟାଲି ପୁଣି ବିଜେତା ହୋଇଥିଲା। କ୍ରମାଗତ ଦ୍ଵିତୀୟ ଥର ବିଶ୍ୱକପ୍‌ ଜିତି ଇଟାଲି ଟ୍ରେନର ଭିଟେରିଓ ପୋଜୋ ଇତିହାସ ରଚିଥିଲେ। ରାଜନୈତିକ ଉତ୍ତେଜନା ଓ କେତେକ ଅଗ୍ରଣୀ ଦଳର ଅନୁପସ୍ଥିତି କିନ୍ତୁ ଏହି ସଂସ୍କରଣର ପ୍ରମୁଖ କଥା ଥିଲା। ପ୍ୟାରିସ୍‌ର ଷ୍ଟାଡ୍‌ କଲମ୍ବସ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା। ପୂର୍ବ ସଂସ୍କରଣ ବିଜେତା ଦଳରୁ ମାତ୍ର ୩ ଜଣ ଖେଳାଳିଙ୍କୁ ନେଇ ଆସିଥିବା ପୋଜୋଙ୍କ ଇଟାଲି ଦଳ ଫାଇନାଲରେ ୪-୨ ଗୋଲ୍‌ରେ ହଙ୍ଗେରିକୁ ହରାଇଥିଲା। ବ୍ରାଜିଲ ତୃତୀୟ ଓ ସ୍ୱିଡେନ୍‌ ଚତୁର୍ଥ ସ୍ଥାନ ଅକ୍ତିଆର କରିଥିଲା। ବ୍ରାଜିଲର ହ୍ୟାଟ୍ରିକ ହାସଲକାରୀ ଫରଓ୍ଵାର୍ଡ ଲିଓନିଡାସ ଗୋଲ୍‌ଡେନ୍‌ ସୁ’ ହାସଲ କରିଥିଲେ। ରବରମ୍ୟାନ୍‌ ଭାବେ ବ୍ରାଜିଲରେ ପରିଚିତ ଲିଓନିଡାସ ସର୍ବାଧିକ ୭ ଗୋଲ ଦେଇଥିଲେ ସେହି ବିଶ୍ୱକପ୍‌ରେ। ସ୍ପେନ୍‌ରେ ବେସାମରିକ ଯୁଦ୍ଧ କାରଣରୁ ଫ୍ରାନ୍‌ସ ନିଜ ପଡୋଶୀକୁ ହରାଇଥିବା ବେଳେ ଜର୍ମାନିର ଜବରଦଖଲ କାରଣରୁ ଅଷ୍ଟ୍ରିଆ ଅଂଶଗ୍ରହଣ କରି ପାରି ନ ଥିଲା। ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଅଷ୍ଟ୍ରିଆ ଓହରିଯାଇଥିଲା। ଏହି ଦେଶର କିଛି ଖେଳାଳି ଅବଶ୍ୟ ଜର୍ମାନି ପକ୍ଷରୁ ଖେଳିଥିଲେ। ବେସାମରିକ ଯୁଦ୍ଧ କାରଣରୁ ସ୍ପେନ୍‌ ଅନୁପସ୍ଥିତ ରହିଥିଲା। ଆର୍ଜେଣ୍ଟିନା ଏବଂ ଉରୁଗୁଏ ମଧ୍ୟ ଖେଳି ନ ଥିଲେ।

ଗେ୍ଵରେରୋଙ୍କ ପାଇଁ ବାଟ ବନ୍ଦ
ଜୁରିକ୍‌: ପେରୁ ଅଧିନାୟକ ପାଓଲୋ ଗେ୍ଵରେରୋଙ୍କ ପାଇଁ ବିଶ୍ୱକପ୍‌ ବାଟ ବନ୍ଦ ହୋଇଯାଇଛି। ନିଷିଦ୍ଧ ଔଷଧ ସେବନ ମାମଲାରେ ତାଙ୍କ ବାସନ୍ଦାଦେଶକୁ କାସ୍‌ (କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌) ୬ରୁ ୧୪ ମାସକୁ ବଢ଼ାଇବା ପରେ ପେରୁ ଫୁଟବଲ୍‌ ଦଳକୁ ଶକ୍ତ ଧକ୍କା ଲାଗିଛି। ଗେ୍ଵରେରା ପୂର୍ବରୁ ଏହି ମାମଲାରେ ମାତ୍ର ୬ ମାସ ପାଇଁ ବାସନ୍ଦ ହୋଇଥିଲେ। ହେଲେ ବିଶ୍ୱ ନିଷିଦ୍ଧ ଔଷଧ ସେବନ ସଂସ୍ଥା ବା ଓ୍ଵାଡା ଏହାକୁ ତୀବ୍ର ବିରୋଧ କରିବା ପରେ କାସ୍‌ ନିଜ ନିଷ୍ପତ୍ତି ବଦଳାଇ ତାଙ୍କ ବାସନ୍ଦାଦେଶକୁ ୧୪ ମାସକୁ ବଢ଼ାଇ ଦେଇଛି। ଫଳରେ ୩୨ ବର୍ଷୀୟ ଗେ୍ଵରେରା ବିଶ୍ୱକପରୁ ବାଦ୍‌ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଛି। ସୂଚନା ଯୋଗ୍ୟ ଯେ ଆର୍ଜେଣ୍ଟିନା ବିପକ୍ଷ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍‌ ବେଳେ ଗେ୍ଵରେରୋ ଚା’ରେ ନିଷିଦ୍ଧ ଔଷଧ ସେବନ କରିଥିବା ପ୍ରମାଣିତ ହୋଇଥିଲା। ଡେନ୍‌ମାର୍କ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ସହ ଗ୍ରୁପ୍‌-ସିରେ ସ୍ଥାନ ପାଇଥିବା ପେରୁ ୩୬ ବର୍ଷ ପରେ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛି।

ସମ୍ବନ୍ଧିତ ଖବର