ଜାଫର ଇକବାଲ :ଅମିତଙ୍କ ଭିତରେ ଗୁରବାଜଙ୍କୁ ଦେଖୁଛି

ହକି ବିଶ୍ୱ ଲିଗ୍‌ରେ ଭାରତୀୟ ଦଳ ଚମତ୍କାର ଖେଳ ଖେଳି କାଂସ୍ୟ ପଦକ ଜିତିଲା। ଆମେ ଦଳଗତ ଭାବେ ଭଲ ଖେଳିଲେ ଏବଂ ଏକ ଶକ୍ତିଶାଳୀ ଯନ୍ତ୍ର ଭଳି ପ୍ରତିପକ୍ଷ ଉପରେ ଚାପ ପକାଇଲେ। ହଁ ଏକଥା ବି ମାନିବାକୁ ହେବ ଯେ ଜମାନି ତା’ର ପୂର୍ଣ୍ଣ ଶକ୍ତି ନେଇ ପଡ଼ିଆକୁ ଓହ୍ଲାଇ ପାରି ନଥିଲା। ସେମାନଙ୍କ ଭିତରୁ ଅଧିକାଂଶ ଅସୁସ୍ଥ କିମ୍ବା ଆହତ ଥିଲେ। ତଥାପି ସେମାନେ ଆମଠାରୁ ଅଧିକ ଆକ୍ରମଣ କଲେ। ତୁଳନାତ୍ମକ ଭାବେ ସେମାନେ ଅଧିକ ପେନାଲ୍ଟି କର୍ନର ଅର୍ଜନ କଲେ। ଜର୍ମାନି ଦେଖାଇ ଦେଲା ଯେ ଦ୍ୱିତୀୟ ସ୍ତରୀୟ ଦଳରେ ବି ସେମାନେ ଭାରତକୁ ଘାଇଲା କରି ପାରିବେ। ଆମ ଦଳରେ ଥିବା ଅଧିକାଂଶ ଖେଳାଳି ଭଲ ହକି ଖେଳିଲେ। ସେମାନେ ବଲ୍‌କୁ ଚତୁରତାର ସହ ନିୟନ୍ତ୍ରଣ କଲେ ଏବଂ ଦାୟିତ୍ୱବାନ ଭାବେ ସାଥୀ ଖେଳାଳିଙ୍କୁ ପାସ୍‌ କରୁଥିଲେ। ହକିରେ କେବଳ ଯୋଜନା ପ୍ରସ୍ତୁତ କଲେ କିଛି ହୁଏନି। ପରିସ୍ଥିତି ଯାହା ହେଉ ନା କାହିଁକି ଏହାକୁ ଅନୁସରଣ କରିବା ହିଁ ମହତ୍ୱପୂର୍ଣ୍ଣ। ବିଶ୍ୱକପ୍‌ ଆଉ ମାତ୍ର କିଛି ମାସ ଥିବାରୁ ହକି ବିଶ୍ୱ ଲିଗ୍‌ କାଂସ୍ୟ ଆମ ପାଇଁ ଶୁଭ ସଂକେତ। ଅନ୍ୟ ଏକ ଭଲ କଥା ହେଲା କାଂସ୍ୟ ପଦକ ଜିତିବା ବାଟରେ ଆମେ ବେଲଜିୟମକୁ ପରାସ୍ତ କଲେ।

ସେମାନେ ଏକ ଦକ୍ଷ ଦଳ ଥିଲେ। ଜର୍ମାନି ବି କିଛି କମ୍‌ ନଥିଲା। ଏକଦା ଭାରତୀୟ ଦଳ ଭଳି ଖେଳିବା ଅନ୍ୟ ଦଳଗୁଡ଼ିର ଲକ୍ଷ୍ୟ ଥିଲା। ଏବେ କିନ୍ତୁ ଆମକୁ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ୁଛି। ହେଲେ ଏହି ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନକୁ ଦେଖିଲା ପରେ ମୁଁ ଦୃଢ଼ତାର ସହ କହି ପାରିବି ଯେ ଭାରତ ଯେ କୌଣସି ଶୀର୍ଷ ଦଳ ସହ ସମାନ। ସେମାନେ ଏବେ କାହାକୁ ବି ହରାଇ ପାରିବେ। ବିଶ୍ୱକପକୁ ଆଖି ଆଗରେ ରଖି ଆମକୁ ଯୁବ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବାକୁ ପଡ଼ିବ। ମୋ ମତରେ କିଛି ବରିଷ୍ଠ କନିଷ୍ଠଙ୍କ ପାଇଁ ବାଟ ଛାଡ଼ିଦେଲେ ଭଲ ହେବ। ସୁମିତ, ହରମନପ୍ରୀତ ଓ ଅମିତ ରୋହିଦାସଙ୍କ ଭଳି ଖେଳାଳି ମୋତେ ବେଶ୍‌ ପ୍ରଭାବିତ କରିଛନ୍ତି। ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯାଉ। ଅମିତ ଚେଷ୍ଟା କଲେ ଗୁରବାଜ ସିଂହଙ୍କ ଭଳି କିମ୍ବଦନ୍ତୀ ଖେଳାଳି ହୋଇ ପାରିବେ।

ଗୁରବାଜ ଭାରତ ତିଆରି କରିଥିବା ରାଇଟ୍‌ ହାଫଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ। ଅମିତ ତାଙ୍କ ସ୍ଥାନ ପୂରଣ କରିପାରିବେ ବୋଲି ମୁଁ ଭାବୁଛି। ଆଗକୁ ଏସୀୟ କ୍ରୀଡ଼ା, ରାଷ୍ଟ୍ରମଣ୍ଡଳ ଖେଳ ଆସୁଛି। ହେଲେ ଆମର ମୂଳ ଧ୍ୟାନ ବିଶ୍ୱକପ୍‌ ଉପରେ ହେବା ଉଚିତ। ଭୁବନେଶ୍ୱରରେ କାଂସ୍ୟ ପଦକ ମ୍ୟାଚ୍‌ ପରେ ଫାଇନାଲ୍‌ ଖେଳା ଯାଇଥିଲା। ହେଲେ ଏହା ଯେତିକି ଉତ୍କଣ୍ଠୂପର୍ଣ୍ଣ ହେବା କଥା ସେତିକି ହୋଇ ନଥିଲା। ମ୍ୟାଚ୍‌ର ପ୍ରଥମ ଦୁଇ କ୍ୱାର୍ଟର ପୂରା ରୋମାଞ୍ଚହୀନ ଥିଲା। ଭାରତ-ଜର୍ମାନି ମ୍ୟାଚ୍‌ ତୁଳନାରେ ଏହା କିଛି ନଥିଲା। (ଗେମପ୍ଲାନ୍‌)

ସମ୍ବନ୍ଧିତ ଖବର