ବୀରମହାରାଜପୁର: ତାଳଚେର ଫ୍ରେଣ୍ଡସ୍‌କୁ ୪ ଓ୍ଵିକେଟରେ ହରାଇ ଫାଇନାଲରେ ଭୁବନେଶ୍ୱରର ଜାଗୃତି

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିିକେଟ କପ୍‌: ମନରନ ତ୍ରିପାଠୀ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ବୀରମହାରାଜପୁର: ଭୁବନେଶ୍ୱରର ଜାଗୃତି କ୍ରିକେଟ ଏକାଡେମୀ ସୋମବାର ପ୍ରଥମ ସେମି ଫାଇନାଲ ମ୍ୟାଚରେ ଅନୁଗୁଳ ଜିଲ୍ଲା ତାଳଚେରର ଫ୍ରେଣ୍ଡସ କ୍ଲବକୁ ୪ ଓ୍ଵିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡିଆ ଠାରେ ୨୨ତମ ସର୍ବ ଭାରତୀୟ ଲୁତୁରପଙ୍କ କ୍ରିିକେଟ କପ୍‌ର ସେମିଫାଇନାଲରେ ଜାଗୃତି ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଫ୍ରେଣ୍ଡସ୍‌ କ୍ଲବ ବ୍ୟାଟିଂ କରିଥିଲା।

୩୦ ଓଭର ମ୍ୟାଚ ବିଶିଷ୍ଟ ତାଲଚେର ୨୫.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରାକେଶ ଦାସ ୪୧ ରନ୍‌, କୁନାଲ ପାତ୍ର ୨୭ ରନ୍‌ ଓ ଜୟ ପ୍ରକାଶ ସାହୁ ୧୪ ରନ୍‌ ସଂଗ୍ରହ କରିଥିଲେ । ବିପକ୍ଷ ଜାଗୃତି ପକ୍ଷରୁ ବାଦଳ ଭୋଳ ୩ ଟି, ସତ୍ୟାନନ୍ଦ ରେଡ୍ଡି ୨ ଓ୍ଵିକେଟ ଅକ୍ତିଆର କରିଥିଲେ ।

୧୪୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳିରେ ଜାଗୃତି ଏକାଡେମୀ ୨୧.୩ ଓଭରରେ ୬ ଉଇକେଟ ଲକ୍ଷ୍ୟ ପୂରା କରିଥିଲା। ଏଥି ସହିତ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି। ଦଳ ପକ୍ଷରୁ ମନରନ ତ୍ରିପାଠୀ ୪୭ ରନ୍‌, ଦୁର୍ଗା ବେହେରା ୩୭ ରନ୍‌ ଓ ସୁଭ୍ରାଂଶୁ ହରିଚନ୍ଦନ ୩୦ ରନ୍‌ ସଂଗ୍ରହ କରିଥିଲେ । ତାଲଚେର ପକ୍ଷରୁ ରାଜେଶ ଦଲେଇ ୩ ଟି ଓ ମଣି ଦଲେଇ ୨ ଟି ଉଇକେଟ ଅକ୍ତିଆର କରିଥିଲେ ।

ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରଷ୍କାର ବିତରଣୀ ଉତ୍ସବରେ ରଘୁନାଥ ଜଗଦଲା, ସରପଂଚ ବ୍ୟାମକେଶ ପଣ୍ଡା, ସମାଜସେବୀ କୁଶ କୁମାର ସାହୁୁ ଆୟୋଜକ କମିଟିର ସମ୍ପାଦକ ପ୍ରଭାସ ବେବୋକ୍ତା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଜାଗୃତି ଏକାଡେମୀର ମନରନ ତ୍ରିପାଠୀଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ପୁରଷ୍କାର ପ୍ରଦାନ କରିଥିଲେ ।

ଅମ୍ପିୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ସୁଶୀଳ ପଧାନ ଖେଳ ପରିଚାଳନା କରିଥିଲେ । ବାଙ୍କ ବିହାରୀ ମହାକୁର ସ୍କୋରିଙ୍ଗ୍‌ ଏବଂ ଆଶିଶ ଦେଓ, ମ୍ୟାକ୍‌ ମିଳନ ମହାକୁର ଓ ପିତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଫୁଲ-ବିର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ସମ୍ବଲପୁର ମେହେତା କ୍ଲବ ଓ କଟକ ଜୁଭେନାଇଲ କ୍ଲବ ମଧ୍ୟରେ ହେବ ବୋଲି ଆୟୋଜକ ଜୟ ଜଗନ୍ନାଥ ସ୍ପୋଟିଙ୍ଗ୍‌ କ୍ଲବ କମିଟି ସୁତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର