ଜାପାନ ପ୍ରଶଂସକଙ୍କ ସ୍ୱଚ୍ଛତା ପାଠ

ରୁସ୍ତୋଭ ଅନ୍‌ ଡନ୍‌: ଲଢ଼ୁଆ ଖେଳ ଖେଳିବା ସତ୍ତ୍ୱେ ଏସୀୟ ରାଷ୍ଟ୍ର ଜାପାନ ମସ୍କୋ ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଆଗକୁ ବଢ଼ି ପାରି ନଥିଲା। ହେଲେ ବିଶ୍ୱକପ୍‌ ବେଳେ ଏହି ଦେଶର ପ୍ରଶଂସକ ଏବଂ ଖେଳାଳି ଦେଖାଇଥିବା ସ୍ୱଚ୍ଛତା ସଚେତନତାର ବଳିଷ୍ଠ ନମୁନା ବିଶ୍ୱବାସୀଙ୍କ ହୃଦୟ ଜିତି ନେଇଛି। ଜାପାନର ପ୍ରତ୍ୟେକ ମ୍ୟାଚ୍‌ ପରେ ଏହି ଦେଶର ପ୍ରଶଂସକମାନେ ନିଜେ ବସିଥିବା ଦର୍ଶକ ଷ୍ଟାଣ୍ଡରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଥଳିରେ ଗୋଟାଇ ବାହାରେ ପକାଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ବେଲ୍‌ଜିୟମ ବିପକ୍ଷ ପ୍ରି-କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ପରେ ଜାପାନ ଖେଳାଳିମାନେ ନିଜ ଡ୍ରେସିଂ ରୁମ୍‌କୁ ନିଜ ହାତରେ ସଫା କରି ରୁଷିଆ ଛାଡ଼ିଥିଲେ। ସେମାନଙ୍କର ଏହି ପଦକ୍ଷେପକୁ ଫିଫା ମଧ୍ୟ ପ୍ରଶଂସା କରିଛି। ଏପରିକି ଚକ୍‌ ଚକ୍‌ ମାରୁଥିବା ଜାପାନ ଡ୍ରେସିଂ ରୁମ୍‌ର ଏକ ଫଟୋ ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରି ଫିଫା ପରୋକ୍ଷରେ ଅନ୍ୟ ଦଳର ଖେଳାଳିଙ୍କୁ ସ୍ୱଚ୍ଛତା ଏବଂ ଶୃଙ୍ଖଳାର ଦୂତ ହେବାକୁ ଆହ୍ଵାନ କରିଛି। ଜାପାନ ଖେଳାଳିମାନେ ନିଜ ଡ୍ରେସିଂ ରୁମକୁ କେବଳ ସଫା କରି ନଥିଲେ ସେମାନେ ଗଲା ବେଳେ ସ୍ପାସିବୋ ବା ଧନ୍ୟବାଦ ଲେଖି ଯାଇଥିଲେ। କେହି ନହେଲେ ମଧ୍ୟ ଜାପାନ ପ୍ରଶଂସକ ଏବଂ ଖେଳାଳିଙ୍କ ଏହି ପଦକ୍ଷେପରୁ ଭାରତୀୟଙ୍କୁ ବହୁତ କିଛି ଶିଖିବାର ଅଛି।

ସମ୍ବନ୍ଧିତ ଖବର