ଅଲିମ୍ପିକ୍‌ ରୌପ୍ୟ ବିଜେତାଙ୍କୁ ହରାଇଲେ ମନୁ-ସୁମିତ୍‌

ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ

ଟୋକିଓ: ଏଠାରେ ଚାଲିଥିବା ଜାପାନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବୁଧବାର ଭାରତୀୟ ପୁରୁଷ ଯୋଡ଼ି ମନୁ ଅତ୍ରି ଓ ବି ସୁମିତ୍‌ ରେଡ୍ଡୀ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଏହି ଯୋଡ଼ି ଅଲିମ୍ପିକ୍‌ ରୌପ୍ୟ ବିଜେତା ମାଲେସିଆ ଯୋଡ଼ି ଗୋହ ଭ ସେମ୍‌ ଓ ଟାନ୍‌ ଓ୍ଵି କିଓଙ୍ଗ୍‌ଙ୍କୁ ପରାସ୍ତ କରି ପୁରୁଷ ଯୁଗଳ କ୍ୱାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଭାରତର ଜାତୀୟ ବିଜେତା ମନୁ ଓ ସୁମିତ୍‌ ପୂର୍ବରୁ ୨୦୧୫ ସୟଦ୍‌ ମୋଦି ଗ୍ରାଁ ପ୍ରି ଗୋଲ୍‌ଡ ପ୍ରତିଯୋଗିତାରେ ଏହି ମାଲେସିଆ ଯୋଡ଼ିକୁ ପରାସ୍ତ କରିଥିଲେ। ଆଉ ଏଠାରେ ବୁଧବାର ୫୪ ମିନିଟ୍‌ ଧରି ସଂଘର୍ଷ କରିବା ପରେ ବିଶ୍ୱ ମାନ୍ୟତାର ଦଶମ ଏହି ଯୋଡ଼ିକୁ ୧୫-୨୧, ୨୩-୨୧ ଓ ୨୧-୧୯ରେ ପରାସ୍ତ କରି ଦେଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ମନୁ-ସୁମିତ୍‌ଙ୍କ ମୁକାବିଲା ଚୀନ୍‌ ଯୋଡ଼ି ହେ ଜିଟିଙ୍ଗ୍‌ ଓ ଟାନ୍‌ କ୍ୱିଆଙ୍ଗ୍‌ଙ୍କ ସହ ହେବ। ବୁଧବାର ଏହି ପ୍ରତିଯୋଗିତାରେ କେବଳ ପୁରୁଷ ଓ ମହିଳା ଯୁଗଳ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ଭାରତ ପୁରୁଷ ଯୁଗଳରେ ଗୋଟିଏ ମୁକାବିଲା ଜିତିଥିଲା ବେଳେ ଅନ୍ୟ ଏକ ପୁରୁଷ ଯୁଗଳ ସହ ମହିଳା ଯୁଗଳରେ ପରାଜୟର ସାମ୍‌ନା କରିଛି। ଅନ୍ୟଏକ ପୁରୁଷ ଯୁଗଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ଯୋଡ଼ି ସାତ୍ତ୍ୱିକ୍‌ ସାଇରାଜ୍‌ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୧୨-୨୧ ଓ ୧୭-୨୧ରେ ତୃତୀୟ ମାନ୍ୟତା ଜାପାନି ଯୋଡ଼ି ଟାକେସୀ କାମୁରା ଓ କିଗୋ ସୋନୋଦାଙ୍କଠୁ ଏବଂ ମହିଳା ଯୁଗଳରେ ଅଶ୍ୱିନୀ ପୋନାପ୍ପା ଓ ଏନ୍‌ ସିକି ରେଡ୍ଡୀ ୧୭-୨୧, ୧୩-୨୧ରେ କୋରିଆ ଯୋଡ଼ି ଚାଙ୍ଗ୍‌ ୟେ ନା ଓ ଜଙ୍ଗ୍‌ କ୍ୟୁଙ୍ଗ୍‌ ଇଉନ୍‌ଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର