ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌:ସିନ୍ଧୁ, ଶ୍ରୀକାନ୍ତ, ପ୍ରଣୟ ଆଗେଇଲେ

ଟୋକିଓ: ଭାରତୀୟ ଲଲନା ପିଭି ସିନ୍ଧୁଙ୍କ ସହ କିଦାମ୍ବି ଶ୍ରୀକାନ୍ତ ଏବଂ ଏଚ୍‌ଏସ୍‌ ପ୍ରଣୟ ଜାପାନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିଜୟରୁ ଆଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ମହିଳା ଏକକରେ ତୃତୀୟ ମାନ୍ୟତା ସିନ୍ଧୁ ୨୧-୧୭, ୭-୨୧, ୨୧-୧୩ରେ ଅଣମାନ୍ୟତା ସ୍ଥାନୀୟ ଝିଅ ସାୟକା ତାକାହାସିଙ୍କୁ ହରାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏସୀୟ କ୍ରୀଡ଼ା ରୌପ୍ୟ ବିଜୟିନୀ ସିନ୍ଧୁ ଚୀନ୍‌ର ଫାଙ୍ଗଜିଏ ଗାଓଙ୍କୁ ଭେଟିବେ। ଗାଓ ୨୧-୧୦, ୨୧-୮ରେ ଭାରତର ଜାକ୍କା ବୈଷ୍ଣବୀ ରେଡ୍ଡୀଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପୁରୁଷ ଏକକରେ ଶ୍ରୀକାନ୍ତ ୨୧-୧୩, ୨୧-୧୫ରେ ଚୀନ୍‌ର ୟୁଜିଆଙ୍ଗ୍‌ ହୁଆଙ୍ଗ୍‌ଙ୍କୁ ଏବଂ ପ୍ରଣୟ ୨୧-୧୮, ୨୧-୧୭ରେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ପରାସ୍ତ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ଶ୍ରୀକାନ୍ତ ହଂକଂର ଭିନ୍‌ସେଣ୍ଟ୍‌ ଓ୍ଵଙ୍ଗ୍‌ ଓ୍ଵିଙ୍ଗ୍‌ କି’ଙ୍କୁ ଏବଂ ପ୍ରଣୟ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଜିଣ୍ଟିଙ୍ଗ୍‌ଙ୍କୁ ଭେଟିବେ। ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀ ୨୧-୯, ୨୧-୬ରେ ମାଲେସିଆର ମାଥ୍ୟୁ ଫୋଗାର୍ତି ଓ ଇସାବେଲ୍‌ ଝଙ୍ଗ୍‌ଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟ ସ୍ଥାନ ପକ୍କା କରିଥିଲେ। ଏହି ଯୋଡ଼ି ପରବର୍ତୀ ପର୍ଯ୍ୟାୟରେ ମାଲେସିଆ ଯୋଡ଼ି ପେଙ୍ଗ୍‌ ସୁନ୍‌ ଚାଙ୍ଗ୍‌ ଓ ଲିଉ ୟିଙ୍ଗ୍‌ ଗୋଙ୍କୁ ଭେଟିବେ। ତେବେ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ୧୩-୨୧, ୧୭-୨୧ରେ ଚୀନ୍‌ର ୟିଲୁ ଓ୍ଵାଙ୍ଗ୍‌ ଓ ଡଙ୍ଗପିଙ୍ଗ୍‌ ହୁଆଙ୍ଗ୍‌ଠୁ ହାରି ଯାଇଥିଲେ। ସେହିପରି ପୁରୁଷ ଏକକରେ ସମୀର ବର୍ମା ୧୮-୨୧, ୨୨-୨୦, ୧୦-୨୧ରେ କୋରିଆର ଲି ଡଙ୍ଗ୍‌ କିଓନ୍‌ଙ୍କଠୁ ପରାସ୍ତ ହୋଇ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର