ୟୁଏସ୍‌ ଓପେନ୍‌ସ୍‌ରେ ସେରିନା ଓ୍ଵିଲିୟମ୍‌ସ୍‌ଙ୍କୁ ପରାସ୍ତ କଲେ ଜାପାନର ନାଓମି ଓସାକା

0 173

ନ୍ୟୁୟର୍କ: ଶନିବାର ଦିନ ୟୁଏସ୍‌ ଓପେନ୍‌ର ଚୂଡ଼ାନ୍ତ ମ୍ୟାଚ୍‌ରେ ନାଓମି ଓସାକା ଷ୍ଟ୍ରେଟ୍‌ ସେଟ୍‌ସ୍‌ରେ (୬-୨, ୬-୪) ସେରିନା ଓ୍ଵିଲିୟମ୍‌ସ୍‌ଙ୍କୁ ପରାସ୍ତ କରି ଜାପାନର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଚାମ୍ପିୟନ୍‌ ହୋଇଛନ୍ତି।

କୋର୍ଟରେ ବଳିଷ୍ଠ ପ୍ରଦର୍ଶନ କରି ଓସାକା ଇତିହାସ ରଚିଥିଲେ। ଭାଓଲେସନ୍‌ କୋଡ୍‌ ଦିଆଯିବା ପରେ ଏକ ପ୍ରକାର ଭାଙ୍ଗିପଡ଼ିଥିବା ସେରିନା ନାଟକୀୟ ଢଙ୍ଗରେ ପରାଜିତ ହୋଇଥିଲେ। ୟୁଏସ୍‌ ଓପେନ୍‌ ଫାଇନାଲ୍‌ରେ ଲୁହ ଓ ଚିତ୍କାର ସହ ବଡ଼ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇ ଥିଲେ ବି ଓସାକା ଏବଂ ଜାପାନୀୟ ଟେନିସ୍‌ ଲାଗି ଏହା ଥିଲା ବିଶେଷ ମୁହୂର୍ତ୍ତ।

ଟ୍ରଫି ଆଣିବା ଲାଗି ଓସାକା ପୋଡିୟମ୍‌ ଉପରକୁ ଯିବାବେଳେ ମଧ୍ୟ ଅନେକ ଦର୍ଶକ ପର୍ତ୍ତୁଗିଜ୍‌ର ଚେୟାର୍‌ ଅମ୍ପାୟାର୍‌ କାରୋଲ୍‌ସ୍‌ ରାମୋସ୍‌ଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଖେଳ ଚାଲିଥିବା ବେଳେ ସେରିନାଙ୍କୁ ଭାଓଲେସନ୍‌ କୋଡ୍‌ ନିଷ୍ପତ୍ତି ଭୁଲ୍‌ ବୋଲି ସେମାନେ କହିଥିଲେ।

କିନ୍ତୁ କୋଚ୍‌ ସେରିନାଙ୍କୁ ହାତ ଠାରି ଇସାରା ଦେଉଥିବା କଥା ରାମୋସ୍‌ ସ୍ପଷ୍ଟ ଦେଖି ପାରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ।

ଏଥିଯୋଗୁଁ ସେରିନା ଖୁବ୍‌ ବିବ୍ରତ ହୋଇ ପଡ଼ିଥିଲେ ବୋଲି ଜଣାପଡୁଥିଲା।

ସେରିନା ନିଜର ରାକେଟ୍‌ ପିଟିବା ଏବଂ ଗୋଟିଏ ପଏଣ୍ଟ୍‌ ଚୋରାଇ ନେଇଥିବାରୁ ରାମୋସ୍‌ଙ୍କୁ ମିଛୁଆ ବୋଲି କହିବା ଆଦି କଥାରୁ ତାଙ୍କର ଅସନ୍ତୋଷ ଜଣାପଡ଼ିଥିଲା।

ଅନ୍ୟ ପକ୍ଷରେ ଓସାକା ନିଜକୁ ନିୟନ୍ତ୍ରଣ କରି ରଖିବା ସହ ଶେଷରେ ଟାଇଟଲ୍‌ ଏବଂ ୩. ୮ ମିଲିୟନ୍‌ ଡଲାର୍‌ର ବିଜୟୀ ଚେକ୍‌ ଧରି ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.