ଜାତୀୟ ବରିଷ୍ଠ ମହିଳା ମୁଷ୍ଟିଯୁଦ୍ଧ: ଉତ୍ତର ଭାରତୀୟଙ୍କ ଆଧିପତ୍ୟ

ବ୍ରହ୍ମପୁର: ବକ୍ସିଂ ଓଡ଼ିଶା ପକ୍ଷରୁ ଆୟୋଜିତ ୧୭ତମ ଜାତୀୟ ବରିଷ୍ଠ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସୋମବାର ଦ୍ୱିତୀୟ ଦିନରେ ଉତ୍ତର ଭାରତ ରାଜ୍ୟର ପ୍ରତିଯୋଗୀଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ବର୍ଗର ମୋଟ ୧୬ଟି ବାଉଟ୍‌ ଖେଳାଯାଇଥିଲା। ସେଥି ମଧ୍ୟରୁ ହରିୟାନାର ସମସ୍ତ ୩ ଖେଳାଳି, ପଂଜାବ, ଉତ୍ତରପ୍ରଦେଶ ଏବଂ ଚଣ୍ଡିଗଡ଼ର ୨ ଜଣ ଲେଖାଏଁଙ୍କ ମଧ୍ୟରୁ ଜଣେ ନିଜ ନିଜ ବାଉଟ୍‌ ଜିତି କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। କିନ୍ତୁ ଓଡ଼ିଶା ପ୍ରତିଯୋଗୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଚାନ୍ଦମନି ଟୁଡ଼ୁ ୫୪ କେଜି ବର୍ଗରେ ରିଙ୍ଗକୁ ଓହ୍ଲାଇଥିଲେ। କିନ୍ତୁ ତାଙ୍କ ପ୍ରତିଦ୍ୱନ୍ଦୀ ଥିବା ଝାଡ଼ଖଣ୍ଡର ସୁନିତାଙ୍କ ସାମ୍ନା କରିବାରେ ସକ୍ଷମ ହୋଇନଥିଲେ। ଫଳରେ ପ୍ରଥମ ରାଉଣ୍ଡ ଅଧାରୁ ରେଫରି ଖେଳକୁ ବନ୍ଦ କରି ସୁନିତାଙ୍କୁ ବିଜୟୀ ଘୋଷଣା କରିଥିଲେ। ଅନ୍ୟପକ୍ଷେ ହରିୟାନାର ଅନ୍ତର୍ଜାତୀୟ ଖେଳାଳି ପ୍ରୀତି ଯାଦବ ୫୧ କେଜି ବର୍ଗରେ ଗୁଜୁରାଟର ସିି ରୁଷିତାଙ୍କୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ହରିୟାନାର ଅନ୍ୟ ଦୁଇ ଖେଳାଳି ମମତା ଓ ପୂଜା ନିଜ ନିଜ ବର୍ଗରେ ବିଜୟୀ ହୋଇଛନ୍ତି। ଉତ୍ତରପ୍ରଦେଶର ପୂଜା, ସ୍ନେହା, ପଂଜାବର ରିୟା, ହରମନ୍‌ଦୀପ, ଚଣ୍ଡିଗଡ଼ର ମମତା, ଛତିଶଗଡ଼ର ଭାରତୀ ପୋସଓ୍ଵାଲ, କେରଳର କ୍ରିତୀ, ଆସାମର ଶିଳ୍ପା ଲିମ୍ବୁ, ତେଲେଙ୍ଗାନାର ମାହିଥା, ଆଣ୍ଡାମାନ୍‌ର ଦୀକ୍ଷା,ନାଗାଲାଣ୍ଡର ପୂଜା ନିଜିନିଜ ପ୍ରଥମ ବାଉଟ୍‌ ଜିତି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅତିଥି ଭାବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ହୃଶୀକେଷ ପାଣିଗ୍ରାହୀ ଓ ସମ୍ବାଦର ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ନବୀନ ଚନ୍ଦ୍ର ସାହୁ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର