ଜୟଦେବ-ୟୁଏନ୍‌ ଫାଇନାଲ୍‌ ଆଜି

ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌

କଟକ: ଭୁବନେଶ୍ୱରର ଜୟଦେବ ମହାବିଦ୍ୟାଳୟ ଓ ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ (ୟୁଏନ୍‌) ମହାବିଦ୍ୟାଳୟ ମଧ୍ୟରେ ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମୁକାବିଲା ହେବ। ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଚାଲିଥିବା ଏହି ପ୍ରତିଯୋଗିତାରେ ବୁଧବାର ଜୟଦେବ ମହାବିଦ୍ୟାଳୟ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଛି। ପୂର୍ବରୁ ଫାଇନାଲ୍‌ରେ ପ୍ରବେଶ କରିସାରିଥିବା ୟୁଏନ୍‌ ମହାବିଦ୍ୟାଳୟ ସହିତ ଗୁରୁବାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ବୁଧବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଜୟଦେବ ୧୨୫ ରନ୍‌ରେ ବାଙ୍କୀ ମହାବିଦ୍ୟାଳୟକୁ ହରାଇଥିଲା। ଟସ୍‌ ହାରିଥିବା ଜୟଦେବ ୪୦ ଓଭରରେ ୫ ଓ୍ଵିକେଟ ହରାଇ ୨୪୭ ରନ୍‌ କରିଥିଲା। ସୌରଭ ଗୌଡ଼ ଅପରାଜିତ ୧୦୦, ଦେବାଶିଷ ସାମନ୍ତରାୟ ୬୬, କାର୍ତ୍ତିକ ବିଶ୍ୱାଳ ୩୭ ରନ୍‌ କରିଥିଲେ। ବାଙ୍କୀର ଅସିମାନନ୍ଦ ଦଳବେହେରା ଓ ଅବିନାଶ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବାଙ୍କୀ ୧୨୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରଭୂପଦ ସାମନ୍ତରାୟ ୫ ଓ କାର୍ତ୍ତିକ ବିଶ୍ୱାଳ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଶତକ ଅର୍ଜନ କରିଥିବା ସୌରଭ ଓ ୫ ଓ୍ଵିକେଟ ସଫଳତା ପାଇଥିବା ପ୍ରଭୂପଦଙ୍କୁ ଯୁଗ୍ମ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏହି ମ୍ୟାଚକୁ ସୁମେନ୍ଦ୍ର ପାତ୍ର, ତପନ କୁମାର ବେହେରା, ଅମୀୟ କୁମାର ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର