ଅଷ୍ଟ୍ରେଲିଆକୁ ବଞ୍ଚାଇଲେ ଜେଦିନାକ

ସମାରା: ଚଳିତ ଫିଫା ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଗୁରୁବାର ତା’ର ପଏଣ୍ଟ୍‌ ଖାତା ଖୋଲିଛି। ଡେନ୍‌ମାର୍କ ବିପକ୍ଷ ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌କୁ ୧-୧ରେ ଅମୀମାଂସିତ ରଖି ପ୍ରି-କ୍ୱାର୍ଟର ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି। ପ୍ରଥମ ମ୍ୟାଚ୍‌ରେ ପୂର୍ବ ବିଜେତା ଫ୍ରାନ୍ସଠାରୁ (୧-୨) ହାରିଥିବା ଅଷ୍ଟ୍ରେଲିଆ ଆଜି ଅପେକ୍ଷାକୃତ ଉନ୍ନତ ଫୁଟ୍‌ବଲ୍‌ ଖେଳିଥିଲା। ତେବେ ଭାର୍‌ ବୈଷୟିକ ଜ୍ଞାନ କୌଶଳରେ ମିଳିଥିବା ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତର କରି ପରାଜୟକୁ ଏଡ଼ାଇଥିଲା। ଗୁରୁବାର ସଂଧ୍ୟାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଡେନ୍‌ମାର୍କ କ୍ରିଷ୍ଟିଆନ ଏରିକସନ (୭ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଆଗୁଆ ହୋଇଥିଲା। ତେବେ ଅଷ୍ଟ୍ରେଲିଆ ଅଧିନାୟକ ମିଲେ ଜେଦିନାକ (୩୮ ମିନିଟ୍‌)ଙ୍କ ସ୍ପଟ୍‌ କିକ୍‌ ଗୋଲ୍‌ ବଳରେ ଏହାକୁ ଶୁଝି ଦେଇଥିଲା। ମ୍ୟାଚ୍‌ର ଦୁଇଟି ଯାକ ଗୋଲ୍‌ ପ୍ରଥମାର୍ଧରେ ଦେଖିବାକୁ ମିଳିଥିଲା। ପ୍ରଥମାର୍ଧ ଶେଷ ସୁଦ୍ଧା ସ୍ଥିତି ୧-୧ ରହିବା ପରେ ଦ୍ୱିତୀୟାର୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଫଳରେ ୧ ପଏଣ୍ଟ୍‌ ଲେଖାଏଁ ବାଣ୍ଟିବାକୁ ବାଧ୍ୟ ହୋଇଥିଲେ। ଡେନମାର୍କ ସଂପ୍ରତି ଗୋଟିଏ ବିଜୟ ଏବଂ ଗୋଟିଏ ଡ୍ର’ ସହ ୪ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୧ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ଅଛି। ଦୁଇଟି ଯାକ ଦଳ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବାର ଥିବାର ଦି ଜଣଙ୍କ ପାଖରେ ପ୍ରି-କ୍ୱାର୍ଟର ଯିବାର ସୁଯୋଗ ରହିଚି। ସମାରା ଏରିନାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପୂର୍ବର ଅନେକ ମ୍ୟାଚ୍‌ ଭଳି ଭାର୍‌ ହିଁ ପୁଣି ଥରେ ଚର୍ଚାର ବିଷୟ ହୋଇଥିଲା। ୟୁସୁଫ ପଲସେନ୍‌ଙ୍କ ହାତରେ ବଲ୍‌ ବାଜିଥିବା ଭାର୍‌ରୁ ଜଣାପଡ଼ିବା ପରେ ସ୍ପେନୀୟ ରେଫରି ଆଣ୍ଟୋନିଓ ମାଟେୟୁ ଅଷ୍ଟ୍ରେଲିଆକୁ ୧୨ ଗଜ ଦୂରରୁ ପେନାଲ୍ଟି ପ୍ରଦାନ କରିଥିଲେ। ଯାହାକୁ ଜେଦିନାକ ସଫଳତାର ସହ ଗୋଲ୍‌ରେ ବଦଳାଇ ଦେଇଥିଲେ। ଫ୍ରାନ୍ସ ବିପକ୍ଷ ପରାଜୟରେ ମଧ୍ୟ ସେ ସେହି ଭାର୍‌ ବଳରେ ଗୋଲ୍‌ ଦେଇଥିଲେ। ସେପଟେ ନିକୋଲାଇ ଜର୍ଗେନସନଙ୍କଠାରୁ ପାସ୍‌ ପାଇବା ପରେ ଏରିକସନ୍‌ ବାମ ପାଦ ହାଫ୍‌ ଭଲିରେ ବଲ୍‌କୁ ଗୋଲ୍‌ ପୋଷ୍ଟର ଭିତର ଛାତରେ ବଜାଇ ଡେନମାର୍କ ପାଇଁ ଗୋଲ୍‌ ଅର୍ଜନ କରିଥିଲେ। ଡେନମାର୍କ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ଥର ପାଇଁ ମୁହାଁ ମୁହିଁ ହୋଇଥିଲେ। ହେଲେ ପ୍ରଥମ ଥର ପଏଣ୍ଟ ବାଣ୍ଟିଥିଲେ। ଏହା ପୁର୍ବରୁ ଉଭୟ ଦଳ ତିନି ଥର ପରସ୍ପରକୁ ଭେଟିଥିଲା ବେଳେ ଡେନମାର୍କ ଦୁଇ ଥର ଏବଂ ଅଷ୍ଟ୍ରେଲିଆ ଥରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ତା’ର ଗତ ପାଞ୍ଚଟି ବିଶ୍ୱକପ୍‌ ମ୍ୟାଚ୍‌ରେ ବିଜୟ ଶୂନ୍ୟ (ଗୋଟିଏ ଡ୍ର’, ଚାରିଟି ପରାଜୟ) ରହିଲା।

ନାବୋଟଙ୍କ କାନ୍ଧ ଖସିଲା

ଡେନ୍‌ମାର୍କ ବିପକ୍ଷ ମୁକାବିଲାକୁ ଅମୀମାଂସିତ ରଖି ଅଷ୍ଟ୍ରେଲିଆ ତା’ ପ୍ରି-କ୍ୱାର୍ଟର ଆଶା ଅତୁଟ ରଖିଛି। ତେବେ ଏହି ମ୍ୟାଚ୍‌ରେ ଏହି ଦଳର ତାରକା ଖେଳାଳି ଆଣ୍ଡ୍ର୍ୟୁ ନାବୋଟ ଗୁରୁତର ଆହତ ହୋଇଛନ୍ତି। ଯାହା ପେରୁ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମାଚ୍‌ ପୂର୍ବରୁ କଙ୍ଗାରୁ ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ୬୯ ମିନିଟ୍‌ ପର୍ଯ୍ୟନ୍ତ ନିଜ ଦଳ ପାଇଁ ପାରୁ ପର୍ଯର୍୍ୟନ୍ତ ଲଢ଼ିଥିବା ନାବୋଟ ଦୁର୍ଭାଗ୍ୟଜନକ ଭାବେ ୭୦ ମିନିଟ୍‌ରେ ବଲ୍‌କୁ ପିଛା କରୁଥିଲା ବେଳେ ଖୁବ୍‌ ଜୋରରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ କାନ୍ଧ ହାଡ଼ ଖଞ୍ଜାରୁ ଖସି ଯାଇଥିଲା। ପଡ଼ିଆ ଛାଡ଼ିଲା ବେଳେ ସେ ଯେ ଅସହ୍ୟ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ତାହା ତାଙ୍କ ମୁଖ ମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ଯାଉଥିଲା। ତାଙ୍କ ସ୍ଥାନରେ ଟୋମି ଜୁରିକ୍‌ ପଡ଼ିଆକୁ ଆସିଥିଲେ। କାନ୍ଧ ହାଡ଼ ଖସିବା ପରେ ତାଙ୍କ ବିଶ୍ୱକପ୍‌ ଅଭିଯାନ ବି ଆଜି ସମ୍ଭବତଃ ଶେଷ ହୋଇ ଯାଇଛି। ନାବୋଟ ଅଷ୍ଟ୍ରେଲିଆ ପକ୍ଷରୁ ୬ ମ୍ୟାଚ୍‌ ଖେଳି ଗୋଟିଏ ଗୋଲ୍‌ କରିଛନ୍ତି। ଏହି ୨୫ ବର୍ଷୀୟ ଖେଳାଳି ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳୁଥିଲେ। ଲେବାନନ୍‌ ବଂଶୋଦ୍ଭବର ଏହି ଖେଳାଳି ମେଲବର୍ନରେ ୧୯୯୨ ମସିହା ଡିସେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର