‌ଜେରଭଙ୍କୁ ଏଟିପି ଟୁର୍‌ ଫାଇନାଲ୍ସ ଟ୍ରଫି

ଲଣ୍ଡନ୍‌: ବିଶ୍ବର ଶୀର୍ଷ ମାନ୍ୟତା ଟେନିସ୍‌ ତାରକା ନୋଭାକ ଜୋକୋଭିକ୍‌ଙ୍କୁ ହରାଇ ଜର୍ମାନି ଯୁବକ ଆଲେକ୍‌ଜାଣ୍ଡର ଜେରଭ ଏଟିପି ଟୁର୍‌ ଫାଇନାଲ୍‌ସ ଟ୍ରଫି କରାୟତ କରିଛନ୍ତି। ରବିବାର ମଧ୍ୟରାତିରେ ଖେଳାଯାଇଥିବା ଚଳିତ ଋତୁର ଏହି ଶେଷ ପ୍ରତିଯୋଗିତାର ଫାଇନାଲ୍‌ରେ ୨୧ ବର୍ଷୀୟ ଜେରଭ ୬-୪, ୬-୩ ସିଧାସଳଖ ସେଟ୍‌ରେ ୩୧ ବର୍ଷୀୟ ଜୋକୋଭିକ୍‌ଙ୍କୁ ମାତ୍‌ ଦେଇଥିଲେ। ବିଶ୍ବର ଶୀର୍ଷ ୮ ଖେଳାଳିଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଜେରଭ ଦ୍ବିତୀୟ ଥର ଲାଗି ଅଂଶଗ୍ରହଣ କରିଥିଲେ। ଏଥିରେ ସେ ବିପର୍ଯ୍ୟୟ ଘଟାଇ ଜୀବନର ଶ୍ରେଷ୍ଠ ବିଜୟ ହାସଲ କରିଥିଲେ। ଏ ପର୍ଯ୍ୟନ୍ତ ‌କୌଣସି ଗ୍ରାଣ୍ଡସ୍ଲାମ୍‌ ଜିତିନଥିବା ଜେରଭ୍‌ ସେମିଫାଇନାଲରେ ଏଠାରେ ୬ ଥରଟ୍ରଫି ଜିତିଥିବା ସ୍ବିଜରଲାଣ୍ଡର ରୋଜର ଫେଡେରର୍‌ଙ୍କୁ ୭-୫, ୭-୬ରେ ହରାଇଥିଲେ। ହେଲେ ଗ୍ରୁପ୍‌ ପର୍ଯ୍ୟାରେ ସେ ଜୋକୋଭିକ୍‌ଙ୍କଠୁ ହାରି ଯାଇଥିଲେ। ଯୁଗଳରେ ମାଇକ୍‌ ବ୍ରାଏନ୍‌ ଓ ଜାକ୍‌ ସକ୍‌ ଟ୍ରଫି ଜିତିଥିଲେ। ଏମାନେ‌ ଫ୍ରେଞ୍ଚ୍‌ ଯୋଡ଼ି ପିଏରେ-ହ୍ୟୁଗ୍ସ ହର୍ବର୍ଟ ଓ ନିକୋଲାସ ମ‌ାହୁତଙ୍କୁ ୫-୭, ୬-୧, ୧୩-୧୧ରେ ହରାଇ ଟ୍ରଫି କବ୍‌ଜା କରିଥିଲେ। ପ୍ରଥମ ଥର ଲାଗି ନିଜ ଯମଜ ଭାଇ ବବ୍‌ଙ୍କ ବିନା ଖେଳୁଥିବା ୪୦ ବର୍ଷୀୟ ମାଇକ୍‌ ପଞ୍ଚମ ଏଟିପି ଟୁର୍‌ ଫାଇନାଲ୍ସ ଟ୍ରଫି ନିଜ ନାମରେ କରିଥିଲେ।

ସମ୍ବନ୍ଧିତ ଖବର