ଜେଏଫ୍‌ସିକୁ ଟାଟା ଉତ୍କଳିକା କପ୍‌

ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍‌-୬ ବାଳକ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଟାଟା ଉତ୍କଳିକା କପ୍‌ ଫୁଟବଲ୍‌ ପ୍ରତିଯୋଗିତାରେ ଟାଟା ଫୁଟବଲ୍ ଏକାଡେମି (ଟିଏଫଏ) ଅଧିନ ଜେଏଫସି ଯୁବ ଦଳ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲରେ ଜେଏଫସି ୨-୧‌ ଗୋଲ୍‌ରେ ଫୁଲବାଣୀର ଓଡ଼ିଶା ଫୁଟବଲ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ମ୍ୟାଚ୍‌ର ୭୨ତମ ମିନିଟ୍ ପର୍ଯ୍ୟନ୍ତ ଫୁଲବାଣୀ ଦଳ ପ୍ରଧାନ୍ୟ ବିସ୍ତାର କରିବା ସହିତ ୧-୦ରେ ଆଗୁଆ ରହିଥିଲା। ଶେଷ ୧୮ ମିନିଟ୍‌ରେ ଜେଏଫସି ଯୁବକମାନେ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ସପ୍ତମ ମିନିଟରେ ଟିଏଫଏର ପୂର୍ବତନ ପ୍ରଶିକ୍ଷାର୍ଥୀ ରଜତ ନାଗଙ୍କ ଗୋଲ୍‌ ବଳରେ ଫୁଲବାଣୀ ଆଗୁଆ ରହିଥିଲା। ଖେଳାଳିଙ୍କ ଉତ୍ତମ ସମନ୍ବୟ ଏବଂ ଆକ୍ରମଣାତ୍ମକ ସ୍ବଭାବ ସେମାନଙ୍କୁ ମୁକୁଟର ନିକଟତର କରାଇଥିଲା। କିନ୍ତୁ ୭୨ ତମ ମିନିଟ୍‌ରେ ରବି ବାହାଦୂର ରାଣା ଏବଂ ୮୬ତମ ମିନିଟ୍‌ରେ ଲାଲ ବୈଲେନ୍‌ କିଲଙ୍ଗଙ୍କ ଗୋଲ୍‌ ବଳରେ ସୁଭାଷ ବରୁଆଙ୍କ ଦଳ ବିଜୟକୁ ନିଶ୍ଚିତ କରିଥିଲା। ଏହା ସତ୍ତ୍ବେ ଏକାଧିକ ସୁଯୋଗକୁ ଗୋଲ୍‌ରେ ପରିଣତ କରି ନ ପାରି ଫୁଲବାଣୀକୁ ଶେଷରେ ଉପ ବିଜେତାରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।

ରେଫରି ରାଜୁ ମହାନ୍ତି, ଅଶୋକ କହଁର, ରାଜେନ୍ଦ୍ର ବାରିକ, ସେଖାୱତ ଖାନ୍ ଏବଂ ମ୍ୟାଚ୍‌ କମିଶନର ମହେଶ୍ବର ସିଂହ ମ୍ୟାଚ୍‌ ପରିଚାଳନା କରିଥିଲେ। ଜେଏଫସିର ଏଲ୍‌ କିଲଙ୍ଗ ଫାଇନାଲର ଶ୍ରେଷ୍ଠ ଖେଳାଳି, ସୁଦର୍ଶନ ମାହାତୋ ଶ୍ରେଷ୍ଠ ଗୋଲରକ୍ଷକ, ମଣ୍ଡି ଶ୍ରେଷ୍ଠ ରକ୍ଷଣଭାଗ, ଫୁଲବାଣୀର ନରେଶ ସୋନା ଶ୍ରେଷ୍ଠ ମଧ୍ୟଭାଗ ଏବଂ ରଜତ ନାଗ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟାଟା ସ୍ପଞ୍ଜ୍ ଆଇରନ୍‌ର ବରିଷ୍ଠ ଅଧିକାରୀ ସଂଜୟ ପଟ୍ଟନାୟକ, ଟାଟା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀ ଦେବାଶିଷ ଜେନା, ପୂର୍ବତନ ରେଳବାଇ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସମ୍ପାଦକ ମନୋଜ କୁମାର ପାଢ଼ୀ, ଅଭିନେତ୍ରୀ ଜିନା ସାମଲ, ଅଭିନେତା ରୁଦ୍ର ପାଣିଗ୍ରାହୀ, ଡକ୍ଟର ଅନଙ୍ଗ ଦ୍ବିବେଦୀ, ତଟୁ ପରିଜା ଏବଂ ଫାଓର ଉପ ସଭାପତି ଭକ୍ତବଲ୍ଲଭ ଦାସ ପ୍ରମୁଖ ଅତିଥିଭାବେ ‌ଯୋଗ ଦେଇଥିଲେ। ଆୟୋଜକ କ୍ଲବ୍ ସଭାପତି ତପନ ମହାନ୍ତି, ଉପ ସଭାପତି ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ କୁମାର ଦାସ, ନବରଂଜନ ପଟ୍ଟନାୟକ, ଅମିୟ କୁମାର ମିଶ୍ର, ପ୍ରିୟନାଥ ମିଶ୍ର, ନରେନ୍ଦ୍ର ସେଠୀ ଉପସ୍ଥିତ ଥିଲେ। ବିଜେତା ଦଳକୁ ୨୫,୦୦୦ ଟଙ୍କା ଏବଂ ଉପ ବିଜେଦା ଦଳକୁ ୧୫,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର