ବେଙ୍ଗାଲୁରୁକୁ ଥରେ ହରାଇଛି ଜେଏଫ୍‌ସି

ଇଣ୍ଡିଆନ୍‌ ସୁପର ଲିଗ୍‌ ବା ଆଇଏସ୍‌ଏଲ୍‌ର ଚଳିତ ସଂସ୍କରଣରେ ଉଭୟ ଜାମସେଦପୁର ଏଫ୍‌ସି ଏବଂ ବେଙ୍ଗାଲୁରୁ ଏଫ୍‌ସି ପ୍ରଥମ ଥର ପାଇଁ ଖେଳୁଛନ୍ତି। ତାରକା ଖେଳାଳି ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଖେଳୁଥିବା ବେଙ୍ଗାଲୁରୁ ସଂପ୍ରତି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରହିବା ସହ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ତେବେ କଳିଙ୍ଗ ଷ୍ଟାଡିୟମରେ ମୁହାଁ ମୁହିଁ ହେବା ପୂର୍ବରୁ ଡିସେମ୍ବର ୨୧ ତାରିଖରେ ଉଭୟ ଦଳ ବେଙ୍ଗାଲୁରୁରେ ପ୍ରଥମ ଥର ପାଇଁ ଲଢ଼େଇ କରି ସାରିଛନ୍ତି। ସେହି ମ୍ୟାଚ୍‌କୁ ସୁବ୍ରତ ପଲଙ୍କ ନେତୃତ୍ୱରେ ଖେଳୁଥିବା ଜାମସେଦପୁର ଏଫ୍‌ସି ଗୋଟିଏ ଗୋଲ୍‌ ବ୍ୟବଧାନରେ ଜିତି ନେଇଥିଲା। ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିମୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ତେବେ ତ୍ରିନ୍ଦାଦେ ଗନକ୍ଲାଭ୍ସଙ୍କ ଶେଷ ମିନିଟ୍‌ ଗୋଲ୍‌ ବଳରେ ଜାମସେଦପୁର ବିଜୟର ସ୍ୱାଦ ଚାଖିଥିଲା। ରବିବାର ମ୍ୟାଚ୍‌ରେ ମଧ୍ୟ ଏହି ଦଳ ପୂର୍ବ ସଫଳତା ଦୋହରାଇବ ବୋଲି ଆଶା କରାଯାଉଛି। ଜାମସେଦପୁର ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁକୁ ତା’ ଘରୋଇ ପଡ଼ିଆରେ ହିଁ ହରାଇ ଦେଇଥିଲା। ସେଥିପାଇଁ ରବିବାର ମ୍ୟାଚ୍‌ରେ ବେଙ୍ଗାଲୁରୁ ପାଇଁ ସେହି ପରାଜୟର ପ୍ରତିଶୋଧ ନେବା ସୁଯୋଗ ରହିବ। ଅନ୍ୟ ପକ୍ଷରେ ଜାମସେଦପୁର ଏହି ମ୍ୟାଚ୍‌ରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ପାରିବ। ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଲଗାତାର ଦ୍ୱିତୀୟ ବିଜୟ ସହ ପୂରା ୩ ପଏଣ୍ଟ ଅର୍ଜନ କରି ପ୍ଲେ ଅଫ୍‌ ବା ସେମିଫାଇନାଲରେ ଗୋଟିଏ ପାଦ ଥୋଇ ପାରିବ।

ସମ୍ବନ୍ଧିତ ଖବର