ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରୁ ଝୁଲଣଙ୍କ ଅବସର

କୋଲ୍‌କାତା: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରୁ ଅବସର ଘୋଷଣା କରିଦେଇଛନ୍ତି। େଓ୍ଵଷ୍ଟଇଣ୍ଡିଜ୍‌ରେ ଆୟୋଜିତ ହେବାକୁ ଥିବା ମହିଳା ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ଆଉ ୩ ମାସରୁ କମ୍‌ ସମୟ ବାକିଥିଲା ବେଳେ ଝୁଲଣ ଗୁରୁବାର ଅଚାନକ ତାଙ୍କ ଅବସର ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ଏହି ଘୋଷଣା ଯୋଗୁଁ ଝୁଲଣଙ୍କ ୧୨ ବର୍ଷର ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ଜୀବନର ଅନ୍ତ ଘଟିଛି। ୨୦୦୬ ଅଗଷ୍ଟରେ ଝୁଲଣ ଭାରତ ପାଇଁ ପ୍ରଥମ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ କୁଆଲାଲୁମ୍ପୁରରେ ବାଂଲାଦେଶ ବିପକ୍ଷ ଏସିଆ କପ୍‌ ଫାଇନାଲ୍‌ ତାଙ୍କର ଶେଷ ମ୍ୟାଚ୍‌ ଥିଲା। ସେ ମଧ୍ୟ ୬୦ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୫୬ ଓ୍ଵିକେଟ୍‌ ସହ ଭାରତର ଅଗ୍ରଣୀ ଓ୍ଵିକେଟ୍‌ ଦଖଲକାରୀ ବୋଲର ରହିଛନ୍ତି। ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷ ୫/୧୧ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ରହିଛି। ଦେଶ ପାଇଁ ସେବା କରିବାର ଲମ୍ବା ସୁଯୋଗ ପାଇଥିବାରୁ ଏହି ବେଙ୍ଗଲ ଲଳନା ଝୁଲଣ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏବଂ ଦଳୀୟ ସାଥୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ଆଗକୁ ବଢ଼ିଚାଲୁ ବୋଲି ଝୁଲଣ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ୪ ବର୍ଷ ପୂର୍ବରୁ ଝୁଲଣ ଟେଷ୍ଟ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇ ସାରିଥିଲେ। ଫଳରେ ଏବେ ଝୁଲଣଙ୍କୁ କେବଳ ଦିନିକିଆ ଆନ୍ତର୍ଜାତିକରେ ଦେଖିବାକୁ ମିଳିବ। ୨୦୦୨ରୁ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ଝୁଲଣ ମଧ୍ୟ ଦିନିକିଆର ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ବୋଲର ରହିଛନ୍ତି। ୧୬୯ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରୁ ସେ ନେଇଛନ୍ତିି ୨୦୩ ଓ୍ଵିକେଟ୍‌। ଯାହାକି ଏହି ଫର୍ମାଟ୍‌ରେ ସେ ଏକମାତ୍ର ବୋଲର ଭାବେ ୨୦୦ରୁ ଅଧିକ ଓ୍ଵିକେଟ୍‌ ନିଜ ନାମରେ ରଖିଛନ୍ତିି। ଝୁଲଣ ଭାରତ ପାଇଁ ୧୦ ଟେଷ୍ଟ ଖେଳି ୪୦ ଓ୍ଵିକେଟ୍‌ ନେଇଥିଲେ। ଝୁଲଣ ମଧ୍ୟ ଏକମାତ୍ର ଭାରତୀୟ ବୋଲର ଯିଏକି କ୍ରିକେଟ୍‌ର ତିନି ଫର୍ମାଟ୍‌ (ଟେଷ୍ଟ, ଦିନିକିଆ ଓ ଟେ୍ଵଣ୍ଟି-୨୦)ରେ ୫ ଓ୍ଵିକେଟ୍‌ ସଫଳତା ହାତେଇଛନ୍ତି।

ସମ୍ବନ୍ଧିତ ଖବର