ଜେକେ ବୋଷ ଟ୍ରଫିରେ ହକି ବିଶ୍ୱକପ୍‌ର ପ୍ରଚାର

ବାଙ୍ଗାଲୋର: ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଓଡ଼ିଶା ସରକାରଙ୍କ ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ର ପ୍ରଚାର ଏବେ ଜୋର୍‌ସୋର୍‌ରେ ଚାଲିଛି। ସୋମବାର ବାଙ୍ଗାଲୋରର ଅତ୍ୟନ୍ତ ଆକର୍ଷଣୀୟ ଆର୍‌ଏସ୍‌ଆଇ ଷ୍ଟାଡିୟମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ହକି ବିଶ୍ୱକପ୍‌ର ଏକ ନିଆରା ପ୍ରଚାର କରାଯାଇଥିଲା। ଭାରତୀୟ କ୍ରୀଡା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଅଧିବେଶନ ଓ କ୍ରୀଡା ସମାରୋହ ପାଇଁ ସାରା ଦେଶର ପ୍ରମୁଖ କ୍ରୀଡା ସାମ୍ବାଦିକମାନେ ଏଠାରେ ଏକାଠି ହୋଇଛନ୍ତି। ସୋମବାର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ଖେଳାଯାଇଥିଲା ଜେକେ ବୋଷ ଟ୍ରଫିର ବିଶେଷ କ୍ରିକେଟ୍‌ ମ୍ୟାଚ୍‌।

ସେ ସମୟରେ ଷ୍ଟାଡିୟମରେ ଓସ୍‌ଜା ପକ୍ଷରୁ ହକି ବିଶ୍ୱକପ୍‌ର ପ୍ରଚାର ଷ୍ଟାଣ୍ଡିଂ ଏବଂ ବ୍ୟାନର ଲଗାଯାଇଥିଲା। ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳର କ୍ରୀଡ଼ା ସାମ୍ବାଦିକ ଯେଉଁଥିରେ ମୁମ୍ବାଇ, ନାଗପୁର, ଇନ୍ଦୋର, କୋଲକାତା, ଆସାମ, ତ୍ରିପୁରା ଓ ଓଡ଼ିଶା ସମେତ ବହୁ ସ୍ଥାନର କ୍ରୀଡ଼ା ସାମ୍ବାଦିକ ଉପସ୍ଥିତ ରହି ତଥ୍ୟ ସଂଗ୍ରହ କରିଥିଲେ। ଏକ ବିଶେଷ ଭିଡିଓ ପ୍ରଚାରଧର୍ମୀ ଫିଲ୍ମ ମଧ୍ୟ ଦେଖାଯାଇଥିଲା। ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି ସୁବୋଧ ମଲ୍ଲ ବରୁଆ, ଉପସଭାପତି ସରଜୁ ଚକ୍ରବର୍ତ୍ତୀ, ଓସ୍‌ଜା ସଂପାଦକ ସନାତନ ପାଣି, ଏସ୍‌ଜେଏଫ୍‌ଆଇ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଓସ୍‌ଜା ଉପସଭାପତି ସମ୍ବିତ ମହାପାତ୍ର, ସୁରେଶ ସ୍ୱାଇଁ, ଓସ୍‌ଜା ସଦସ୍ୟ ସୁକେଶ ବେହେରା, ଜଗଦୀଶ୍ୱର ଦାସ ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କ୍ରିକେଟ୍‌ ମ୍ୟାଚ୍‌ରେ ହକି ବିଶ୍ୱକପ୍‌ର ପ୍ରଚାରକୁ ସମସ୍ତେ ପ୍ରଶଂସା କରିଥିଲେ। ବହୁ ରାଜ୍ୟର କ୍ରୀଡା ସାମ୍ବାଦିକମାନେ ଏପରି ପ୍ରଚାର କାର୍ଯ୍ୟକ୍ରମ ଓସ୍‌ଜା ଓ ଓଡ଼ିଶା ସରକାର ସେମାନଙ୍କ ସହରରେ କରିବା ପାଇଁ ନିମନ୍ତ୍ରଣ ମଧ୍ୟ ଜଣାଇଥିଲେ।

ସମ୍ବନ୍ଧିତ ଖବର