ଜୋହର୍‌ କପ୍‌ରେ ଭାରତର ଚତୁର୍ଥ ବିଜୟ

ବିଜେତା ଅ‌େ‌ଷ୍ଟ୍ରଲିଆକୁ ୫-୪ରେ ହରାଇଲା

ଜୋହର ବାହରୁ (ମାଲେସିଆ): ଉତ୍ସାହିତ ଭାରତୀୟ ଯୁବ ହକି ଦଳ ଏଠାରେ ଚାଲିଥିବା ଅଷ୍ଟମ ସୁଲ୍‌ତାନ ଜୋହର୍‌ କପ୍‌ରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ମାଲେସିଆକୁ ୨-୧, ନ୍ୟୁଜିଲାଣ୍ଡ୍‌କୁ ୭-୧ ଓ ଜାପାନକୁ ୧-୦ରେ ପରାସ୍ତ କରିଥିବା ଭାରତ ବୁଧବାର ଚତୁର୍ଥ ମ୍ୟାଚ୍‌ରେ ଗତଥର ବିଜେତା ଅଷ୍ଟ୍ରେଲିଆକୁ ୫-୪ ଗୋଲ୍‌ରେ ପରାସ୍ତ କରିଦେଇଛି। ଆଉ ଅପରାଜେୟ ସହ ଭାରତୀୟ ଦଳ ମଧ୍ୟ ପଏଣ୍ଟ୍‌ ତାଲିକାର ଶୀର୍ଷରେ ପହଞ୍ଚି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ସେମିଫାଇନାଲ୍‌ ପୂର୍ବରୁ ଭାରତ ଏହି ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିତା‌େର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଶୁକ୍ରବାର ବ୍ରିଟେନ୍‌ ସହ ଖେଳିବ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା। ଏକ ପେନାଲ୍‌ଟି ସୁଯୋଗ ନିଷ୍ଫଳ ହୋଇଯିବା ସତ୍ତ୍ବେ ପଞ୍ଚମ ମିନିଟ୍‌ରେ ଗୁରସାହିବ୍‌ଜିତ୍‌ ସିଂହଙ୍କ ଚମତ୍କାର ଫିଲ୍‌ଡ ଗୋଲ୍‌ ବଳରେ ଭାରତ ୧-୦ରେ ଆଗେଇ ଯାଇଥିଲା। ଏହାପରେ ୧୧, ୧୪ ଓ ୧୫ ମିନିଟ୍‌ରେ ପୁଣି ଲାଗ ଲାଗ ତିନିଟି ଗୋଲ୍‌ ଲଦି ଦେଇ ଅଷ୍ଟ୍ରେଲିଆକୁ ପ୍ରବଳ ଚାପରେ ରଖିଥିଲା। ହସ୍‌ପ୍ରୀତ୍‌ ସିଂହ, ଅଧିନାୟକ ମନ୍‌ଦୀପ୍‌ ମୋର୍‌ ଏବଂ ବିଷ୍ଣୁକାନ୍ତ ସିଂହଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଭାରତ ପ୍ରଥମ କ୍ବାର୍ଟରରେ ହିଁ ୪-୦ର ଅଗ୍ରଣୀ ପାଇଥିଲା। ତେବେ ଦ୍ବିତୀୟ କ୍ବାର୍ଟରରେ ଦମ୍‌ଦାର ପ୍ରତ୍ୟାବତର୍ନ କରି ଅଷ୍ଟ୍ରେଲିଆ ୧୮ ଓ ୩୫ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ଶୁଝି ବ୍ୟବଧାନ ୨-୪ କରିଥିଲା। ଡାମୋଡ଼୍ ଷ୍ଟିଫେନ୍‌ସ ଏହି ଦୁଇଟି ଗୋଲ୍‌ ଦେଇଥିଲେ। ତେବେ ୪୩ ମିନିଟ୍‌ରେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ଗୋଟିଏ ଗୋଲ୍‌ କରିବାରୁ ଭାରତ ୫-୨ରେ ଆଗୁଆ ରହିଥିଲା। ଏହାପରେ ଅବଶ୍ୟ ଅଷ୍ଟ୍ରେଲିଆ ଆଉ ଦୁଇଟି ଗୋଲ୍‌ କରିବା ସତ୍ତ୍ବେ ଭାରତ ୫-୪ରେ ମ୍ୟାଚ୍‌ ଜିତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଫେନ୍‌ସ ଏକାକି ୩ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର