ଜୋହର୍‌ କପ୍‌: କାଂସ୍ୟ ଜିତିଲା ଭାରତ

ଜୋହର ବାହରୁ (ମାଲେସିଆ): ହକିରେ ଭାରତୀୟ ବରିଷ୍ଠ ଦଳ ଗତ ସପ୍ତାହରେ ଏସିଆ କପ୍‌ ବିଜେତା ହୋଇଥିଲା ବେଳେ ଏବେ କନିଷ୍ଠ ଦଳ ଷଡ଼ ରାଷ୍ଟ୍ରୀୟ ସପ୍ତମ ସୁଲ୍‌ତାନ ଜୋହର୍‌ କପ୍‌ରେ ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିନେଇଛି। ରବିବାର କାଂସ୍ୟ ମୁକାବିଲାରେ ପୂର୍ବରୁ ଦୁଇ ଥର (୨୦୧୩ ଓ ୨୦୧୪) ବିଜେତା ଭାରତ ୪-୦ ଗୋଲ୍‌ରେ ଆୟୋଜକ ମାଲେସିଆକୁ ପରାସ୍ତ କରିଦେଇଛି। ଏଥି ସହିତ ଚଳିତ ପ୍ରତିଯୋଗିତାରେ ମାଲେସିଆ ବିପକ୍ଷରେ ବିଜୟ ଧାରା ଅବ୍ୟାହତ ରଖିଥିଲା। ଲିଗ୍‌ ପର୍ଯ୍ୟାୟରେ ଭାରତ ମଧ୍ୟ ମାଲେସିଆକୁ ୨-୧ ଗୋଲ୍‌ରେ ହରାଇଥିଲା।

ବ୍ରିଟେନ୍‌ ନିକଟରୁ ପଞ୍ଚମ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ୧-୨ ଗୋଲ୍‌ରେ ହାରି ଫାଇନାଲ୍‌ ଖେଳିବରୁ ବଞ୍ଚିତ ହୋଇଥିବା ଭାରତ ରବିବାର ତୃତୀୟ ସ୍ଥାନ ପାଇଁ ମାଲେସିଆ ସହ ମୁହାଁମୁହିଁ ହୋଇଥିଲା। ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଥିଲେ। ୧୧ ମିନିଟ୍‌ରେ ଅଧିନାୟକ ବିବେକ ପ୍ରସାଦ ଭାରତ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ଏହାର ୪ ମିନିଟ୍‌ ପରେ ବିଶାଲ ଅନ୍ତିଲ୍‌ (୧୫ ମିନିଟ୍‌) ଗୋଲ୍‌ ବ୍ୟବଧାନ ବଢ଼ାଇଥିଲେ। ଉଭୟଙ୍କ ଗୋଟିଏ ଲେଖାଏଁ ଫିଲ୍‌ଡ ଗୋଲ୍‌ ବଳରେ ଭାରତ ପ୍ରଥମ କ୍ୱାର୍ଟରରେ ୨-୦ରେ ଆଗୁଆ ହୋଇଯାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ବି ଭାରତ ନିରବ ରହିନଥିଲା। ପ୍ରଥମ କ୍ୱାର୍ଟର ଭଳି ଏହି କ୍ୱାର୍ଟରରେ ବି ପୁଣି ୨ ଗୋଲ୍‌ ଲଦି ଦେଇଥିଲା। ୨୧ ମିନିଟ୍‌ରେ ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ଚମତ୍କାର ଫିଲ୍‌ଡ ଗୋଲ୍‌ କରି ଦଳକୁ ୩-୦ର ଅଗ୍ରଣୀ ଦେଇଥିଲା ବେଳେ ୨୫ ମିନିଟ୍‌ରେ ବିଶାଲ ଅନ୍ତିଲ ଆଉ ଏକ ଫିଲ୍‌ଡ ଗୋଲ୍‌ କରିଥିଲେ। ତାଙ୍କର ଏହି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ହିଁ ଭାରତକୁ ମଧ୍ୟାନ୍ତର ସୁଦ୍ଧା ୪-୦ରେ ଆଗେଇ ନେଇଥିଲା। ତେବେ ଦ୍ୱିତୀୟାର୍ଧ (ତୃତୀୟ ଓ ଚତୁର୍ଥ କ୍ୱାର୍ଟର)ରେ କୌଣସି ଗୋଲ୍‌ ନହେବାରୁ ଭାରତ ଶେଷରେ ୪-୦ରେ ମ୍ୟାଚ୍‌ ଜିତି ନେଇଥିଲା। ମାଲେସିଆ ଅନେକ ପ୍ରୟାସ କରିଥିଲେ ମଧ୍ୟ ଗୋଟିଏ ହେଲେ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା। ମାଲେସିଆ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା।

ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ୧୧-୦ ଗୋଲ୍‌ରେ ପରାସ୍ତ କରି ଜାପାନ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଛି। ଏହି ପ୍ରତିଯୋଗିତାରେ ମୋଟ ୯୫ ଗୋଲ୍‌ ବରଣ କରିଥିବା ଆମେରିକା ଗୋଟିଏ ବି ଗୋଲ୍‌ କରିନପାରି ଷଷ୍ଠ ତଥା ଶେଷ ସ୍ଥାନରେ ସନ୍ତୁଷ୍ଟ ରହିଲା।

ଟ୍ରଫି ବଜାୟ ରଖିଲା ଅଷ୍ଟ୍ରେଲିଆ

ବ୍ରିଟେନ୍‌ଠୁ ଲିଗ୍‌ ପରାଜୟ ପ୍ରତିଶୋଧ ନେଇ ଅଷ୍ଟ୍ରେଲିଆ ଚଳିତ ଷଡ଼ ରାଷ୍ଟ୍ରୀୟ ସୁଲ୍‌ତାନ ଜୋହର୍‌ କପ୍‌ ହକି ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ଲିଗ୍‌ ପର୍ଯ୍ୟାୟର ଅପରାଜେୟ ବ୍ରିଟେନ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଟ୍ରଫି ହାସଲ କରିନେଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରେ ବ୍ରିଟେନ୍‌ ଦଳ ପୂରା ହାର୍‌ ମାନିଥିଲା। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଓ ତୃତୀୟ କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା। ପ୍ରଥମ କ୍ୱାର୍ଟରରେ ଜୋଏଲ୍‌ ରିଣ୍ଟାଲା (୪ ମିନିଟ୍‌) ପେନାଲ୍‌ଟି କର୍ନରରୁ ଗୋଲ୍‌ କରିଥିଲା ବେଳେ ପ୍ରଥମାର୍ଧ ସୁଦ୍ଧା ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ତୃତୀୟ କ୍ୱାର୍ଟରରେ ନାଥନ୍‌ ଇଫ୍ରାମସ୍‌ (୩୫ ମିନିଟ୍‌) ଚମତ୍କାର ଫିଲ୍‌ଡ ଗୋଲ୍‌ କରି ବ୍ୟବଧାନ ୨-୦ରେ ପହଞ୍ଚାଇ ଦେଇଥିଲେ। ଚତୁର୍ଥ ତଥା ଶେଷ କ୍ୱାର୍ଟରରେ କୌଣସି ଗୋଲ୍‌ ନହେବାରୁ ଅଷ୍ଟ୍ରେଲିଆ ୨-୦ ବିଜୟ ସହ ଜୋହର୍‌ କପ୍‌ ହାତେଇ ନେଇଥିଲା। ଏଥି ସହିତ ଅଷ୍ଟ୍ରେଲିଆ କ୍ରମାଗତ ଦ୍ୱିତୀୟ ଥର ଲାଗି ଏହି ଟ୍ରଫି ଜିତିନେଇଛି। ୨୦୧୬ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୩-୧ ଗୋଲ୍‌ରେ ପାକିସ୍ତାନକୁ ହରାଇଥିଲା। ଏବେ ସର୍ବାଧିକ ଥର ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆ ମଧ୍ୟ ଭାରତର ସମକକ୍ଷ ହୋଇଛି।

ସମ୍ବନ୍ଧିତ ଖବର