କନିଷ୍ଠ ଏସିଆ କପ୍ ଜିତିଲା ଭାରତ

ରାଜେଶ ରଚିଲେ ଇତିହାସ

ଭୁବନେଶ୍ବର/ମୀରପୁର: ସପ୍ତାହକ ତଳେ ରୋହିତ ଶର୍ମାଙ୍କ ବରିଷ୍ଠ ଦଳ ଦୁବାଇରେ ଏସିଆ କପ୍ ମୁକୁଟ ଜିତିଥିବା ବେଳେ ରବିବାର ଭାରତୀୟ କନିଷ୍ଠ ଦଳ ଅନୁରୂପ ସଫଳତା ଅର୍ଜନ କରିଛି। ବାଂଲାଦେଶର ମୀରପୁରଠାରେ ରବିବାର ଅନୁଷ୍ଠିତ ଫାଇନାଲ୍‌ରେ ଭାରତ ଶ୍ରୀଲଙ୍କାକୁ ୧୪୪ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଏହି ଗୌରବ ଅର୍ଜନ କରିଛି। ଏଥି ସହ ଉଦୀୟମାନ ଦ୍ରୁତ ବୋଲର ରାଜେଶ ମହାନ୍ତି ମଧ୍ୟ ଏସିଆ କପ୍ ଜିତିବାର ବିରଳ ଓଡ଼ିଆଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଢାକା ନିକଟସ୍ଥ ‌ମୀରପୁରର ସେରେ ବାଙ୍ଗ୍‌ଲା ନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସ୍ବାଲ (୮୫, ୧୧୩ ବଲ, ୮‌ ଚୌକା, ୧ ଛକା) ଏବଂ ଅନୂଜ ରାୱତ (୫୭, ୭୯ ବଲ, ୪ ଚୌକା, ୩ ଛକା) ପ୍ରଥମ ୱିକେଟ୍‌ ପାଇଁ ୧୨୧ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ଦେବଦତ୍ତ ପଦିକଲ୍ଲ (୩୧, ୪୩ ବଲ, ୧ ଚୌକା, ୧ ଛକା) ସୁଯୋଗ ହାତଛଡ଼ା କରିଥିଲେ। କିନ୍ତୁ ୱିକେଟରକ୍ଷକ ଅଧିନାୟକ ପି ସୀମରନ୍ ସିଂହ (୬୫*, ୩୭ ବଲ, ୩ ଚୌକା, ୪ ଛକା) ଏବଂ ଆୟୁଷ ବଦୋନି (୫୨*, ୨୮ ବଲ୍‌, ୨‌ ଚୌକା, ୫ ଛକା) ବିସ୍ଫୋରକ ବ୍ୟାଟିଂ କରି ଶେଷ ୯ ଓଭରରେ ୧୧୦ ରନ୍ ଯୋଡ଼ିବାରୁ ଭାରତ ନିର୍ଧାରିତ ୫୦ ଓଭରରେ ୩ ୱିକେଟ୍ ବିନିମୟରେ ୩୦୪ ରନ୍ କରିଥିଲା।

ଜବାବରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୩୮.୪ ଓଭରରେ ୧୬୦ ରନ୍‌ରେ ସୀମିତ ରହିଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ତଥା ୱିକେଟରକ୍ଷକ ନିଶାନ ମଦୁକ୍ଷା ଫର୍ନାଣ୍ଡୋ ସର୍ବାଧିକ ୪୯ ରନ୍ କରିପାରିଥିଲେ। ମଧ୍ୟକ୍ରମରେ ନଭୋଦ ପରଣଭିତନା ୪୮ ରନ୍ କରିଥିଲେ। ଭାରତ ପକ୍ଷରୁ ମୋହିତ ଜାଙ୍ଗରା ଓ ରାଜେଶ ମହାନ୍ତି ବୋଲିଂ ଆରମ୍ଭ କରିଥିଲେ ମଧ୍ୟ ବାମହାତୀ ସ୍ପିନର ହର୍ଷ ତ୍ୟାଗୀ ସଫଳତମ ବୋଲର ଭାବେ ଶ୍ରୀଲଙ୍କାକୁ ଧରାଶାୟୀ କରିଥିଲେ। ଚମତ୍କାର ବୋଲିଂ ଚିତ୍ର ୧୦-୦-୩୮-୬ ସହିତ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତେବେ ଏସିଆ କପ୍ ସାରା ପ୍ରାଧାନ୍ୟ ବିସ୍ତାର କରିଥିବା ଯଶସ୍ବୀ ଜୟସ୍ବାଲ (୪ ମ୍ୟାଚ୍‌ରୁ ୩୧୮ ରନ୍) ପ୍ରତିଯୋଗିତାର‌ ଶ୍ରେଷ୍ଠ ଖେଳାଳି ସମ୍ମାନ ଅର୍ଜନ କରିଥିଲେ। ରାମେଶ୍ବର ତାରକା ରାଜେଶ ମହାନ୍ତି ପ୍ରତିଯୋଗିତାରେ ୩ ମ୍ୟାଚ୍ ‌ଖେଳି ଗୋଟିଏ ୱିକେଟ୍‌ ପାଇଥିଲେ ମଧ୍ୟ ମିତ୍ତବ୍ୟୟୀ ବୋଲିଂ କରିଥିଲେ। ଫାଇନାଲରେ ରାଜେଶ ୪-୧-୧୮-୦ ବୋଲିଂ ଚିତ୍ର ସହ ଏସିଆ କପ୍ ବିଜୟର ଅଂଶୀଦାର ରହିଥିଲେ।

ଦେଶ ଜିତିଥିବାରୁ ଅଧିକ ଖୁସି: ରାଜେଶ
ଭୁବନେଶ୍ବର (ସୁରେଶ ସ୍ବାଇଁ): ଭାରତୀୟ ଦଳର ସଦସ୍ୟ ହେବା ଏବଂ ଦେଶ ପାଇଁ ଏସିଆ କପ୍ ଜିତିଥିବାରୁ ବହୁତ ଖୁସି ଲାଗୁଛି। ବ୍ୟକ୍ତିଗତ ପ୍ରଦର୍ଶନରେ ସନ୍ତୁଷ୍ଟ ନ ଥିଲେ ବି ଦଳର ସଫଳତା ମୋତେ ଆନନ୍ଦିତ କରିଛି ବୋଲି ଢ଼ାକାରୁ ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଛନ୍ତି ଦଳର ଓଡ଼ିଆ ଦ୍ରୁତ ବୋଲର ରାଜେଶ ମହାନ୍ତି। ଏହି ସଫଳତା ଓ ଅନୁଭବ ମୋତେ ଉତ୍ସାହିତ କରିଛି। ଗସ୍ତର ଅଭିଜ୍ଞତା ମଧ୍ୟ ମୋତେ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ପ୍ରେରିତ କରିଛି। ଦଳର ତାଲିମଦାତା, ଫିଜିଓ ଏବଂ ଖାଦ୍ୟପାନୀୟ ବ୍ୟବସ୍ଥାରୁ ବି ଅନେକ କଥା ଶିଖି‌ ହୋଇଛି‌ ବୋଲି ରାଜେଶ କହିଛନ୍ତି। ଭାରତୀୟ ଦଳର ପ୍ରଶିକ୍ଷକ ଡବଲ୍ୟୁ ଭି ରମଣ ମୋ‌େତ ଢ଼େର ସମର୍ଥନ କରିଥିଲେ। ମୋ ବୋଲିଂରେ ଆବଶ୍ୟକ ଉନ୍ନତି ଲାଗି ମଧ୍ୟ ପରାମର୍ଶ ଦେଇଥିଲେ ବୋଲି ରାଜେଶ ପ୍ରକାଶ କରିଥିଲେ। ଏସବୁ ସଫଳତାର ଶ୍ରେୟ ସବୁ ମୋ କ୍ରିକେଟ୍ ଗୁରୁ ଓ ମାର୍ଗଦର୍ଶକ ଦୀପକ ମଙ୍ଗରାଜଙ୍କୁ ପ୍ରଦାନ କରିବି। ତାଙ୍କ ବିନା ମୁଁ ଏତେ ବାଟ ଆସି ପାରିନଥାନ୍ତି। ମାମୁଁ ବିଜୟ ମହାନ୍ତି ଏବଂ ମଉସା ସତ୍ୟବ୍ରତ ଛୋଟରାୟଙ୍କ ସମର୍ଥନ ବିନା ବି ଆଗକୁ ବଢ଼ି ପାରିନଥାନ୍ତି ବୋଲି ରାଜେଶ କହିଛନ୍ତି।

ସମ୍ବନ୍ଧିତ ଖବର