ବ୍ୟକ୍ତିଗତ ଭାବନାରୁ ଊର୍ଧ୍ୱକୁ ଯାଇ ଦେଶ ପାଇଁ ମୈଦାନକୁ ଗଲେ; ବାପାଙ୍କ ଶେଷକୃତ୍ୟରେ ଯୋଗ ଦେବା ବଦଳରେ ଭାରତ ପାଇଁ ମ୍ୟାଚ୍‌ ଖେଳିଲେ

ନୂଆଦିଲ୍ଲୀ: ବେଳେ ବେଳେ ବ୍ୟକ୍ତି ସ୍ୱାର୍ଥକୈନ୍ଦ୍ରିକ ପାଲଟି ସମୂହ ସ୍ୱାର୍ଥକୁ ଅଣଦେଖା କରିବାକୁ ବାଧ୍ୟ ହୋଇପଡ଼େ ତ ପୁଣି ବେଳେ ବେଳେ ସେହି ମଣିଷ ଆପଣା ଭାବନାକୁ ଆୟତ୍ତରେ ରଖି ସାମୂହିକ ମୈଦାନକୁ ଡେଇଁ ପଡ଼େ, ନିଜ ଦେଶର ଟେକ ପାଇଁ, ଜାତିର ଗୌରବ ପାଇଁ। ଏମିତି ଏକ ଚରିତ୍ର ଓ ଉଦାହାରଣ ହେଉଛନ୍ତି ଭାରତୀୟ ହକି ଟିମ୍‌ର ଗୋଲ୍‌ କିପର୍‌ କ୍ରିଷ୍ଣା ପଥକ। ନିକଟରେ ସେ ନିଜର ଦମ୍ଭପଣ ପାଇଁ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଯଦିଓ ଘଟଣାଟି ପୁରୁଣା, ମାତ୍ର କ୍ରିଷ୍ଣାଙ୍କ ଜୀବନର ଏତେ ବଡ଼ ଖୁଲାସା ନିକଟରେ ହୋଇଛି।

କ୍ରିଷ୍ଣା ପଥକଙ୍କ ବାପା ଟେକ୍‌ ବାହାଦୁରଙ୍କର ୨ ବର୍ଷ ତଳେ ଦେହାନ୍ତ ହୋଇ ଯାଇଛି। କ୍ରିଷ୍ଣାଙ୍କ ଦୁଃଖ ଏତିକିରେ ସରେ ନାହିଁ, ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ସେ ନିଜ ମାଆଙ୍କୁ ହରାଇଥିଲେ। ୨୧ ବର୍ଷିଅ ଏହି ଖେଳାଳୀ ୨୦ ବର୍ଷ ଭିତରେ ଉଭୟ ବାପାମାଆଙ୍କୁ ହରାଇଛନ୍ତି।

କ୍ରିଷ୍ଣାଙ୍କ ବାପାଙ୍କ ମୃତ୍ୟୁର ୬ ମାସ ପୂର୍ବରୁ କ୍ରିଷ୍ଣା ଭାରତୀୟ ଜୁନିୟର୍‌ ହକି ଟିମ୍‌ରେ ଲିଡ୍‌ ଗୋଲି ଭାବେ ଓ୍ଵାର୍ଲଡ କପ୍‌ ଖେଳିଥିଲେ। ସେହିବର୍ଷ ମୈଡାନ ଇଣ୍ଟରନ୍ୟାସ୍‌ନାଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଖେଳିବାର ମାତ୍ର ୨ ଦିନ ପୂର୍ବରୁ ତାଙ୍କୁ ମିଳିଥିଲା ଏକ ହୃଦୟବିଦାରକ ଖବର, ତାଙ୍କ ବାପାଙ୍କ ମୃତ୍ୟୁ ଖବର।

କ୍ରିଷ୍ଣା ନିକଟରେ ଏକ ସାକ୍ଷାତ୍‌କାରରେ ଭାବପ୍ରବଣ ହୋଇ କହନ୍ତି, ‘ମୁଁ ବର୍ତ୍ତମାନ ପରିସ୍ଥିତିରେ ଜଣେ ଅନାଥ। ଘରେ ଏମିତି କେହି ନାହିଁ ଯିଏ ମୋତେ କଲ୍‌ କରି ଘରକୁ ଡାକିବ। ମୋ ପାଇଁ କେହି ଅପେକ୍ଷା କରିନାହାନ୍ତି। ମୁଁ ମୋ ସ୍ୱପ୍ନ ସହ ବଞ୍ଚେ। ସେ ଏକା ଏବେ ମୋ ସାଥିରେ ଅଛି। ମୋ ଜୀବନ୍ତ ସ୍ୱପ୍ନ ହେଉଛି ଦେଶପାଇଁ ହକି ଖେଳିବା ଓ ଏହା ହିଁ ଏକମାତ୍ର ମୋତେ ସନ୍ତୋଷ ଦେଉଛି।’

କ୍ରିଷ୍ଣା ଏବେ କପୁରଥାଲାଠାରେ ନିଜ ଦାଦା ଚନ୍ଦ୍ର ପାଥକଙ୍କ ସହ ରହୁଛନ୍ତି। କ୍ରିଷ୍ଣା ରହୁଥିବା ଗୃହଟି ଖୁବ୍‌ ସାନ। ତାଙ୍କର ଜନ୍ମ ୧୯୯୭ ମସିହାରେ। ସେ ୧୨ ବର୍ଷ ବୟସରୁ ହକି ଖେଳି ଆସୁଛନ୍ତି।

ସମ୍ବନ୍ଧିତ ଖବର