କିଟ୍‌ରେ ଜାତୀୟ ଉପକନିଷ୍ଠ ବଲ୍‌ ବ୍ୟାଡ୍‌ମିଣ୍ଟନ ୨୬ରୁ

୧୫ ବର୍ଷ ପରେ ଓଡ଼ିଶାରେ ପ୍ରଥମ; ଭାଗନେବେ ୫୦୦ ଖେଳାଳି

ଭୁବନେଶ୍ୱର: ଓଡ଼ିଶା ବଲ୍‌ ବ୍ୟାଡ୍‌ମିଣ୍ଟ୍‌ନ ସଂଘ ଆନୁକୂଲ୍ୟରେ ଚଳିତ ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଉପକନିଷ୍ଠ ବଲ୍‌ ବ୍ୟାଡ୍‌ମିଣ୍ଟ୍‌ନ ପ୍ରତିଯୋଗିତା ଆୟୋଜିତ ହେବ। ଉଭୟ ବାଳକ ଓ ବାଳିକା ବର୍ଗରେ ଏହି ୪ ଦିନିଆ ପ୍ରତିଯୋଗିତା ଭୁବନେଶ୍ୱରର କିଟ୍‌ରେ ଅନୁଷ୍ଠିତ ହେବ। ଫଳରେ ପ୍ରାୟ ୧୫ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥିରେ ୨୫ ରାଜ୍ୟର ପ୍ରାୟ ୫୦୦ ପ୍ରତିଯୋଗୀ ଓ ୧୦୦ ମ୍ୟାଚ୍‌ ଅଧିକାରୀ ଭାଗ ନେବେ ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଘ ସଂପାଦକ ସୁକାନ୍ତ ଦାଶ ସୂଚନା ଦେଇଥିଲେ। ପ୍ରତିଯୋଗୀମାନଙ୍କ ପାଇଁ କିଟ୍‌ରେ ରହିବା, ଖାଇବାର ବ୍ୟବସ୍ଥା ହୋଇଥିଲା ବେଳେ ଅଧିକାରୀମାନଙ୍କ ପାଇଁ ଯାତ୍ରୀନିବାସ ଓ ହୋଟେଲରେ ବ୍ୟବସ୍ଥା କରାଯାଇଛି। ଏଥର ପ୍ରତିଯୋଗିତାରେ ଭାରତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ ସଂଘର ସଂପାଦକ ଓ୍ଵାଇ ରାଜା ଓ ବରିଷ୍ଠ ଉପସଭାପତି ଡ. ସୁରେଶ ବୋଙ୍ଗାଡେ ଯୋଗଦେବାର ସମ୍ଭାବନା ରହିଛି। ଉପକନିଷ୍ଠ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ (୧୦ ଜଣ ଲେଖାଏଁ) ଭାଗ ନେବ। ଓଡ଼ିଶା ପ୍ରତିଯୋଗିତାର ପ୍ରତି ସଂସ୍କରଣରେ ଭାଗ ନେଇ ଆସୁଥିଲା ବେଳେ ଗତବର୍ଷ କେରଳର କୋଏମ୍ବାଟୋର୍‌ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ ହିଁ ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘର ଉପସଭାପତି ଚିନ୍ତନ ବ୍ରହ୍ଵା, ପ୍ରଦ୍ୟୁମ୍ନ ମିଶ୍ର ଓ ଦୀପକ ଦାସଙ୍କ ବ୍ୟତୀତ ଭୁବନେଶ୍ୱର ସଂଘର ସଭାପତି ତାଲିମ ପରିଜା ଓ ଯୁଗ୍ମ ସଂପାଦକ ଅନିଲ ମହାରଣା ଯୋଗଦେଇ ପ୍ରତିଯୋଗିତା ଆୟୋଜନ ସଂପର୍କରେ ଅଧିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର