କନିଷ୍ଠ ଜାତୀୟ ହକି: ଗାଙ୍ଗ୍‌ପୁରକୁ ଯୁଗଳ କାଂସ୍ୟ

ବାଳିକା ୨-୧ରେ ୟୁପିକୁ, ବାଳକ ୬-୧ରେ ଓଡ଼ିଶାକୁ ହରାଇଲେ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ରବିବାର ଶେଷ ହୋଇଥିବା କନିଷ୍ଠ ବାଳକ ଓ ବାଳିକା ଜାତୀୟ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ର ଅଷ୍ଟମ ସଂସ୍କରଣରେ ହକି ଗାଙ୍ଗ୍‌ପୁର-ଓଡ଼ିଶା ଦଳ ଯୁଗଳ କାଂସ୍ୟ ପଦକ ହାସଲ କରିଛି। ଗାଙ୍ଗ୍‌ପୁର ଦଳ ରବିବାର ଉଭୟ ବାଳକ ଓ ବାଳିକା ବର୍ଗରେ ତୃତୀୟ ସ୍ଥାନ ପାଇଁ ଖେଳିଥିଲା। ବାଳିକା ବର୍ଗରେ ଉତ୍ତର ପ୍ରଦେଶକୁ ୨-୧ ଏବଂ ବାଳକ ବର୍ଗରେ ଓଡ଼ିଶାକୁ ୬-୧ ଗୋଲ୍‌ରେ ପରାସ୍ତ କରି ଗାଙ୍ଗ୍‌ପୁର କାଂସ୍ୟ ପଦକ ଜିତି ନେଇଥିଲା। ବାଳିକାରେ ଝାଡ଼ଖଣ୍ଡ ୪-୨ରେ ହରିଆନାକୁ ହରାଇ ବିଜେତା ହୋଇଥିଲା। ସେମିଫାଇନାଲ୍‌ରେ ଝାଡ଼ଖଣ୍ଡ ନିକଟରୁ ୦-୨ ଗୋଲ୍‌ରେ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିବା ବାଳିକା ଦଳ ରବିବାର କିନ୍ତୁ ପରାଜୟ ସ୍ୱୀକାର କରିବା ଲକ୍ଷ୍ୟରେ ନଥିଲା। ଉତ୍ତର ପ୍ରଦେଶ ବିପକ୍ଷ ଏହି ମୁକାବିଲା ମଧ୍ୟ ସଂଘର୍ଷପୂର୍ଣ୍ଣ ରହିଥିଲା। ତଥାପି ମ୍ୟାଚ୍‌ର ୨୪ ମିନିଟ୍‌ରେ ଜାହ୍ନବୀ ପ୍ରଧାନ ଗାଙ୍ଗ୍‌ପୁର ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ଅଧିନାୟିକା ଜୀବନକିଶୋରୀ ଟପ୍ପୋ ୩୫ ମିନିଟ୍‌ରେ ଗୋଟିଏ ଗୋଲ୍‌ କରି ଗାଙ୍ଗ୍‌ପୁର ଦଳକୁ ୨-୦ର ଅଗ୍ରଣୀ ଦେଇଥିଲେ। ତେବେ ଉତ୍ତର ପ୍ରଦେଶ କିଛିଟା ଆକ୍ରମଣାତ୍ମକ ଖେଳି ୪୦ ମିନିଟ୍‌ରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ମମ୍‌ତାଜ ଖାନ୍‌ ଏହି ଗୋଲ୍‌ କରି ସ୍ଥିତି ୧-୨ କରିଥିଲେ। ହେଲେ ଗାଙ୍ଗ୍‌ପୁର ଖେଳାଳିମାନେ ନିର୍ଧାରିତ ସମୟରେ ଅଧିକ ଗୋଲ୍‌ ଯୋଡ଼ିପାରିନଥିଲେ ମଧ୍ୟ ପ୍ରତିପକ୍ଷକୁ ଆଉ କୌଣସି ସୁଯୋଗ ଦେଇନଥିଲେ। ଶେଷରେ ୨-୧ ଗୋଲ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତି ଗାଙ୍ଗ୍‌ପୁର ଦଳ କାଂସ୍ୟ ପଦକ ହାତେଇ ନେଇଥିଲା।

ବାଳିକାଙ୍କ ଭଳି ଗାଙ୍ଗ୍‌ପୁର ବାଳକ ଦଳ ମଧ୍ୟ ପଦକ ସହ ଅଭିଯାନ ଶେଷ କରିଥିଲା। ରବିବାର ଦୁଇ ଓଡ଼ିଶା ଦଳ ମଧ୍ୟରେ ହୋଇଥିବା ତୃତୀୟ ସ୍ଥାନ ମୁକାବିଲାରେ ଗାଙ୍ଗ୍‌ପୁର ପୂରା ପ୍ରାଧାନ୍ୟ ବିସ୍ତାର କରିଥିଲା। ବିଶେଷକରି ଅଧିନାୟକ ପ୍ରତାପ ଲାକ୍ରା, ସଞ୍ଜୟ ଖାଲ୍‌କୋ ଏବଂ ସୁଦୀପ୍‌ ଚିର୍ମାକୋଙ୍କ ଷ୍ଟିକ୍‌ ଚାଳନା ଆଗରେ ଓଡ଼ିଶା ଦଳ ଘାଇଲା ହୋଇଯାଇଥିଲା। ଫଳସ୍ୱରୂପ ପ୍ରଥମାର୍ଧ ବେଳକୁ ୪-୧ ଗୋଲ୍‌ରେ ଗାଙ୍ଗ୍‌ପୁର ଆଗୁଆ ହୋଇଯାଇଥିଲା। ପ୍ରତାପ ଏକାକି ୩ ଗୋଲ୍‌ କରିଥିଲେ। ସେ ମ୍ୟାଚ୍‌ର ୨୭, ୫୯ ଓ ୬୩ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ସଞ୍ଜୟ ୨୪ ଓ ୩୫ ମିନିଟ୍‌ରେ ଦୁଇଟି ଗୋଲ୍‌ କରିଥିଲେ। ସୁଦୀପ୍‌ ୩୨ ମିନିଟ୍‌ରେ ଗୋଟିଏ ଗୋଲ୍‌ ଯୋଡ଼ିବାରୁ ଗାଙ୍ଗ୍‌ପୁର ୬-୧ ବ୍ୟବଧାନରେ ମ୍ୟାଚ୍‌ ଜିତି ନେଇଥିଲା। ଓଡ଼ିଶା ଦଳ ପକ୍ଷରୁ ଏକମାତ୍ର ଗୋଲ୍‌ ଦୀବେଶ ଜୋଜୋ ୧୬ ମିନିଟ୍‌ରେ ଶୁଝି ଦେଇଥିଲେ। ଗାଙ୍ଗ୍‌ପୁର ଦଳ ଏଥି ସହିତି ଯୁଗଳ କାଂସ୍ୟ ପଦକର ଖୁସି ପାଳନ କରିଥିଲା। ଦଳର ପଦକ ସଫଳତା ପାଇଁ ହକି ଗାଙ୍ଗ୍‌ପୁର ଦଳର ସଂପାଦକ ଦେବାଶିଷ ଗୌଡ଼ା ପ୍ରଶିକ୍ଷକ ବିଜୟ ଲାକ୍ରା ଓ ପ୍ରବନ୍ଧକ ପ୍ଲୋରେନ୍‌ସିଆ ଏକ୍କାଙ୍କ ସହିତ ଅଲିମ୍ପିଆନ୍‌ ଲାଜରୁସ ବାର୍ଲା, ସୁରଜ କେର୍କେଟା ଏବଂ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର