କନିଷ୍ଠ ଜାତୀୟ ହକି:ଓଡ଼ିଶା ଓ ଗାଙ୍ଗ୍‌ପୁରର ବିଜୟ ଅଭିଯାନ

ଭୁବନେଶ୍ୱର: ଗୁରୁବାରଠୁ ଭୋପାଳରେ ଆରମ୍ଭ ହୋଇଥିବା କନିଷ୍ଠ ଜାତୀୟ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ଓଡ଼ିଶାର ଦୁଇ ଦଳ ହକି ଓଡ଼ିଶା ଏବଂ ହକି ଗାଙ୍ଗ୍‌ପୁର-ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ବିଜୟୀ ହୋଇଥିଲା ବେଳେ ଗାଙ୍ଗ୍‌ପୁର ମହିଳା ଦଳ ସହଜ ବିଜୟ ହାସଲ କରିଛି। ପୁଲ୍‌-ବିରେ ଓଡ଼ିଶା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କର୍ଣ୍ଣାଟକକୁ ୨-୧ରେ ହରାଇଥିଲା। ନିମାବତୀ ସିଂହ (ସପ୍ତମ ମିନିଟ୍‌) ଓ ମଞ୍ଜୁ ଲାକ୍ରା (୨୨ ମିନିଟ୍‌) ଓଡ଼ିଶା ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ପୁଲ୍‌-ଏରେ ଓଡ଼ିଶା ବାଳକ ଦଳ ସୁଧୀର କୁଜୁରଙ୍କ ହ୍ୟାଟ୍ରିକ୍‌ (କ୍ରମାଗତ ୩ ଗୋଲ୍‌) ବଳରେ ଭୋପାଳକୁ ସହଜରେ ପରାସ୍ତ କରିଦେଇଛି। ସୁଧୀର ମ୍ୟାଚ୍‌ର ୫୪, ୬୧ ଓ ୬୪ ମିନିଟ୍‌ରେ ତିନିଟି ଗୋଲ୍‌ କରିଥିଲା ବେଳେ ପ୍ରଥମ ଗୋଲ୍‌ଟି ପ୍ରଦୀପ ଲାକ୍ରା (୩୩ ମିନିଟ୍‌) ପ୍ରଥମେ ଦେଇଥିଲେ। ବାଳିକା ପୁଲ୍‌-ଏରେ ଗାଙ୍ଗ୍‌ପୁର ୬-୩ରେ ଚଣ୍ଡୀଗଡ଼କୁ ହରାଇଥିଲା। ଜାହ୍ନବୀ ପ୍ରଧାନ ଓ ଅଧିନାୟିକା ଜୀବନ କିଶୋରୀ ଟପ୍ପୋ ଦୁଇଟି ଲେଖାଏଁ, ନମ୍ରତା ଜସ୍ମିନ୍‌ ବାରା ଓ ପ୍ରେମାଞ୍ଜଳି ଟପ୍ପୋ ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ।
ଜାତୀୟ ହକି ଶିବିର ପାଇଁ ୭ ଓଡ଼ିଆ ମନୋନୀତ
ବାଙ୍ଗାଲୋର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କ୍ୟାମ୍ପସ୍‌ରେ ଆରମ୍ଭ ହେବ ପୁରୁଷ ହକି ଜାତୀୟ ଶିବିର। ଏହି ଶିବିର ପାଇଁ ହକି ଇଣ୍ଡିଆ ଦ୍ୱାରା ଘୋଷିତ ୫୫ ଜଣିଆ ଖେଳାଳି ତାଲିକାରେ ୭ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ-ଅମିତ୍‌ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦିପ୍‌ସାନ ତିିର୍କି, ନିଲମ୍‌ ସଞ୍ଜୀବ୍‌ ଖେସ୍‌, ଆନନ୍ଦ ଲାକ୍ରା (ସମସ୍ତେ ରକ୍ଷଣଭାଗ), ଅମୋନ୍‌ ମିରାଜ୍‌ ତିର୍କି (ମଧ୍ୟଭାଗ) ଏବଂ ପ୍ରଭାକର ମିଞ୍ଜ୍‌ (ପୂରୋଭାଗ)।

ସମ୍ବନ୍ଧିତ ଖବର