ଅଲିମ୍ପିକ୍‌ ଯୋଗ୍ୟତା ଦୌଡ଼ରେ କେ ରବି କୁମାର

ବ୍ରହ୍ମପୁର: ଆସନ୍ତାବର୍ଷ ଆୟୋଜିତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ ପାଇଁ ଆସନ୍ତା ୭ରୁ ମେ ୨୩ ତାରିଖ ପର୍ଯ୍ୟନ୍ତ ପଞ୍ଜାବର ପାତିଆଲାଠାରେ ଜାତୀୟ ଭାରୋତ୍ତୋଳନ ଶିବିର ଅନୁଷ୍ଠିତ ହେବ। ଶିବରରେ ଯୋଗଦେବା ପାଇଁ କେ ରବିକୁମାର ମନୋନୀତ ହୋଇଛନ୍ତି। ସେହିପରି ମୟୂରଭଞ୍ଜର ସ୍ନେହା ସେ‌ାରେନ୍‌ ମଧ୍ୟ ଏହି ଶିବିର ପାଇଁ ଡକରା ପାଇଛନ୍ତି। ଚଳିତ ବର୍ଷ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନରେ ରବି କୁମାର ୮୯ କେଜି ବର୍ଗରେ ମୋଟ ୩୪୨ କେଜି (୧୫୦+୧୯୨) ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟ କୀର୍ତ୍ତିମାନ ନିଜ ନାମରେ କରିଥିଲେ। ଏହି ସଫଳତା ପାଇଁ ତାଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା ଜାତୀୟ ଶିବିରରେ ସ୍ଥାନ ମିଳିଛି। ସେଠାରେ ଉନ୍ନତ ପ୍ରଦର୍ଶନ କଲେ ଆସନ୍ତା ଜୁଲାଇରେ ଆୟୋଜିତ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହାପରେ ଏସୀୟ ପ୍ରତିଯୋଗିତା ଏବଂ ବିଶ୍ବ ପ୍ରତିଯୋଗିତାରେ ମଧ୍ୟ ଭାଗ ନେବେ‌। ଏହିସବୁ ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କଲେ ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରୋତ୍ତୋଳକ କେ ରବି କୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନପାରି ଏକାଦଶ ସ୍ଥାନରେ ରହିଥିଲେ। ଏହାପରେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଅଲିମ୍ପିକ୍‌ରେ ପଦକ ହାସଲ କରିବାର ସ୍ବପ୍ନ ତାଙ୍କର ଅଧୁରା ରହିଛି। କିଛି ବର୍ଷ ହେବ ‌ଆଘାତଜନିତ ସମସ୍ୟା ଯୋଗୁଁ ତାଙ୍କର ପ୍ରଦର୍ଶନ ପ୍ରଭାବିତ ହେଉଥିଲା। ଏବେ ନିଜ ସ୍ବପ୍ନ ପୂରଣ ପାଇଁ ‌ସେ ସମସ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି। ଆଜି ତାଙ୍କୁ ବୀର ହନୁମାନ କ୍ଲବ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଶିକ୍ଷକ ସୀତାପ୍ରସାଦ ପଟ୍ଟନାୟକଙ୍କ ସମେତ କ୍ଲବ୍‌ର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର