କବାଡ଼ି ଦ୍ରୋଣାଚାର୍ଯ୍ୟ ପ୍ରସାଦ ରାଓ:‘ଓଡ଼ିଶାରୁ ଅନ୍ତର୍ଜାତୀୟ ଖେଳାଳି ନ ବାହାରିବା ଆଶ୍ଚର୍ଯ୍ୟ’

କଟକ (ଦୀପ୍ତିରଂଜନ ସାମଲ): ଆଧୁନିକ କବାଡ଼ିର ମହାନାୟକ ତଥା ବିଶ୍ୱ କବାଡ଼ିର ସ୍ରଷ୍ଟା ଭାବେ ଇ.ପ୍ରସାଦ ରାଓ ବେଶ୍‌ ଜଣାଶୁଣା। ମାଟିର ଖେଳକୁ ମ୍ୟାଟ୍‌କୁ ରୂପାନ୍ତରିତ କରିବାରେ ତାଙ୍କର ହିଁ ପରିକଳ୍ପନା ରହିଥିଲା। ଏହି ଭାରତୀୟ ଖେଳକୁ ସଂପୂର୍ଣ୍ଣ ବିଶ୍ୱରେ ପରିଚିତ କରାଇବାରେ ମଧ୍ୟ ତାଙ୍କର ଅବଦାନ ଅନେକ। ପ୍ରାୟ ୨୦ ଦେଶରେ କବାଡ଼ି ଖେଳର ପ୍ରଚାର ପ୍ରସାର କରିଛନ୍ତି। ତାଙ୍କର ୨୦ ବର୍ଷର ପ୍ରଶିକ୍ଷଣରେ ଭାରତ ସବୁବେଳେ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହି ଆସିଛି। ଏଥିପାଇଁ ତାଙ୍କୁ ୨୦୦୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ପ୍ରଥମ କବାଡ଼ି ପ୍ରଶିକ୍ଷକ ଭାବେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି। ଚାକିରି ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ସେ ବିଶାଖାପାଟଣାରେ ରହୁଥିବା ବେଳେ ବିଶ୍ୱ କବାଡ଼ି ସଂଘ ଓ ପ୍ରୋ-କବାଡ଼ି ଲିଗ୍‌ର ବୈଷୟିକ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏତେସବୁ ଯଶର ଅଧିକାରୀ ଜଣେ ଓଡ଼ିଆ ବୋଲି ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ବ୍ରହ୍ମପୁରର ମୂଳ ବାସିନ୍ଦା ରାଓ ସାର୍‌ ଭାବେ ପରିଚିତ ପ୍ରସାଦ ରାଓ କଟକ ଜବାହାରଲାଲ୍‌ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତାରୁ ପ୍ରତିଭାବାନ୍‌ ଖେଳାଳି ଅନେ୍ଵଷଣରେ ଆସିଥିଲା ବେଳେ ‘ସମ୍ବାଦ’କୁ ଦେଇଥିଲେ ସ୍ୱତନ୍ତ୍ର ସାକ୍ଷାତକାର।
ପ୍ର: ଦୀର୍ଘ ୩୮ ବର୍ଷ ପରେ ପୁଣିଥରେ ଓଡ଼ିଶାକୁ ଫେରିଛନ୍ତି। କେମିତି ଲାଗୁଛି?
ଉ: ଓଡ଼ିଶା ମୋର ଜନ୍ମଭୂମି। ବାପା ଚନ୍ଦ୍ରଶେଖର ରାଓ ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟ କରୁଥିଲେ। ଏଠାରେ ସ୍କୁଲ୍‌, କଲେଜ ଶିକ୍ଷା ଶେଷ କରିଛି। ଶାରୀରିକ ଶିକ୍ଷାରେ ଡିପ୍ଲୋମା ପାସ୍‌ କରିବା ପରେ ୧୯୭୫ରେ ଓଡ଼ିଶା ଶିକ୍ଷା ବିଭାଗ ଅଧିନରେ କୋରାପୁଟରେ ନିଯୁକ୍ତି ମିଳିଥିଲା। ସେତେବେଳେ ବାଙ୍ଗାଲୋରରେ ଏନ୍‌ଆଇଏସ୍‌ରେ ପ୍ରଶିକ୍ଷଣ ନେବାକୁ ରାଜ୍ୟ ସରକାର ପଠାଇଥିଲେ। ପରୀକ୍ଷାରେ ଶୀର୍ଷସ୍ଥାନ ହାସଲ କରିବା ପରେ ସେହିଠାରେ ହିଁ ନିଯୁକ୍ତି ପାଇଁ ସୁଯୋଗ ମିଳିଥିଲା। ତେଣୁ ଓଡ଼ିଶା ସରକାରଙ୍କ ନିଯୁକ୍ତିରୁ ଅବସର ନେଇଥିଲି। ତାହାପରଠୁ ପ୍ରଶିକ୍ଷଣ ଜୀବନ ଆରମ୍ଭ ହୋଇଥିଲା ଏବଂ ଓଡ଼ିଶା ଛାଡ଼ିଦେଇଥିଲି। ଏବେ ପୁଣି ଓଡ଼ିଶା ଫେରିଥିବାରୁ ବହୁତ ଖୁସି ଲାଗୁଛି। ଓଡ଼ିଶାରେ ତାଲିମ ଦେବାକୁ ଆଗ୍ରହ ଅଛି, କିନ୍ତୁ ସେଭଳି ସୁଯୋଗ ମିଳିପାରିନି।
ପ୍ର: ଭାରତୀୟ ଦଳ ସହ ୨୦ ବର୍ଷ ରହିଛନ୍ତି, କିଛି ବିଶେଷ ଅନୁଭୂତି?
ଉ: ୧୯୮୨ ମସିହାରେ ଏନ୍‌ଆଇଏସ୍‌ର ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ସେହିବର୍ଷ ଏସୀୟ କ୍ରୀଡ଼ାରେ ଭାରତର ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ପ୍ରତ୍ୟେକ ବର୍ଷ ଭାରତ ବିଜେତା ହେଉଥିଲେ ବି ୨୦୦୨ରେ କୋରିଆର ବୁସାନ୍‌ଠାରେ ହୋଇଥିବା ଏସୀୟ କ୍ରୀଡ଼ା ମୋ ପାଇଁ ସ୍ମରଣୀୟ ରହିବ। ୧୨ ଜଣିଆ ଭାରତୀୟ ଦଳରେ ମୋ’ଠୁ ପ୍ରତ୍ୟକ୍ଷ ଭାବେ ପ୍ରଶିକ୍ଷଣ ନେଇଥିବା ୬ ଖେଳାଳି ସ୍ଥାନ ପାଇଥିଲେ। ପ୍ରଶିକ୍ଷକ ଭାବେ ଏହା ମୋର ଶ୍ରେଷ୍ଠ ସଫଳତା ଥିଲା। ଏଥିପାଇଁ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ୍‌ କଲାମଙ୍କଠୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ମଧ୍ୟ ମିଳିଥିଲା।
ପ୍ର: ମାଟିର କବାଡ଼ିକୁ ମ୍ୟାଟ୍‌ରେ ପହଞ୍ଚାଇବାରେ ଆପଣଙ୍କର ମୁଖ୍ୟ ଅବଦାନ ରହିଛି, ଏହି ପରିକଳ୍ପନା କେମିତି ସମ୍ଭବ ହେଲା?
ଉ: ଭାରତୀୟ ଦଳର ପ୍ରଶିକ୍ଷକ ହେବା ସହିତ ପ୍ରାୟ ୨୦ଟି ଦେଶରେ କବାଡ଼ିର ପ୍ରସାର ଓ ପ୍ରଶିକ୍ଷଣ ଦେବାର ସୁଯୋଗ ମିଳିଛି। ବିଦେଶରେ ସମସ୍ତେ ପରିଷ୍କାର ପରିଚ୍ଛନ ରହିବାକୁ ଅଧିକ ପସନ୍ଦ କରୁଥିବାରୁ ମାଟିରେ ଖେଳିବାକୁ ପସନ୍ଦ କରୁନଥିଲେ। ତେଣୁ କୋରିଆରେ ଥିବାବେଳେ ମ୍ୟାଟ୍‌ ପରମ୍ପରା ଆରମ୍ଭ କରାଯିବାକୁ ଯୋଜନା କରିଥିଲି। ତେଣୁ ପରୀକ୍ଷାମୂଳକ ଭାବେ ଜୁଡୋ, ଭଲିବଲ୍‌, କୁସ୍ତି, ମୁଷ୍ଟିଯୁଦ୍ଧ, ଟାଏକୋଣ୍ଡୋ ଇତ୍ୟାଦିର ମ୍ୟାଟ୍‌କୁ ନେଇ ପରୀକ୍ଷା କରାଯାଇଥିଲା। କବାଡ଼ି ସେସବୁଠୁ ଭିନ୍ନ ହୋଇଥିବାରୁ ମ୍ୟାଟ୍‌ର ଚଉଡ଼ା ଓ କଠିନତାକୁ ବଢାଯାଇଥିଲା। ଆହତ ଜନିତ ସମସ୍ୟାକୁ ଦୂର କରିବାକୁ ମଧ୍ୟ ଏହା ଅନ୍ୟତମ ଯୋଜନା ଥିଲା। ବିଦେଶୀ ଖେଳାଳିମାନେ ଖେଳିବା ପରେ ସିଧାସଳଖ ଶୌଚାଳୟକୁ ଯାଉଛନ୍ତି। ସେମାନେ ଖାଲିପାଦରେ ଯାଉନଥିବାରୁ, ସେଥିପାଇଁ ଖେଳିବାବେଳେ ଜୋତାର ପ୍ରଚଳନ ହୋଇଥିଲା। ୨୦୦୨ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମ୍ୟାଟ୍‌ ବ୍ୟବହାର ହୋଇଥିଲା। ଏବେବି ଅନେକ ପରୀକ୍ଷଣ ଜାରି ରହିଛି। କବାଡ଼ିରେ ବିଜ୍ଞାନକୁ ଭରପୂର ଉପଯୋଗ କରାଯିବାକୁ ଚିନ୍ତା କରାଯାଉଛି।
ପ୍ର: କବାଡ଼ିରେ ବିଜ୍ଞାନର ପ୍ରୟୋଗ କିପରି କରାଯିବ?
ଉ: ବର୍ତ୍ତମାନ ପ୍ରତ୍ୟେକ ଖେଳକୁ ଡିଜିଟାଲ୍‌ ସହ ଯୋଡ଼ାଯାଉଛି। କ୍ରିକେଟ, ଫୁଟବଲ୍‌ ପରି କବାଡ଼ିରେ ମଧ୍ୟ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବାକୁ ବିଚାର କରାଯାଉଛି। କବାଡ଼ିର ସୀମାରେଖା ଓ ଅନ୍ୟାନ୍ୟ ଲାଇନ୍‌ଗୁଡ଼ିକୁ ଏଲ୍‌ଇଡିରେ ଆଲୋକିତ କରିବାକୁ ଚିନ୍ତା କରାଯାଉଛି। ପୁରୁଷ ଓ ମହିଳାଙ୍କ ପଡ଼ିଆର ଆକାରକୁ ସମାନ କରାଯିବ, ନିୟମଗୁଡ଼ିକୁ ମଧ୍ୟ ଆକର୍ଷଣୀୟ କରିବାକୁ ଚେଷ୍ଟା କରାଯିବ। ମୋଟାମୋଟି ଭାବେ ଲୋକଙ୍କ ମନରୁ ଦୂରେଇ ଯାଇଥିବା କବାଡ଼ିକୁ ଅଧିକ ଲୋକାଭିମୁଖୀ କରିବାକୁ ଉଦ୍ୟମ ହେବ।
ପ୍ର: କ୍ରିକେଟର ଲୋକପ୍ରିୟତା ଭିତରେ କବାଡ଼ି ପ୍ରତି ଆଗ୍ରହ ବଢାଇବା କେତେ ସମ୍ଭବ?
ଉ: ଅସମ୍ଭବକୁ ବର୍ତ୍ତମାନ ସମ୍ଭବ କରାଯାଉଛି। ପ୍ରୋ-କବାଡ଼ି ଭଳି ପେସାଦାର ପ୍ରତିଯୋଗିତା ଦ୍ୱାରା ଏହାକୁ ଅଧିକ ଆକର୍ଷଣୀୟ କରାଯାଇପାରିଛି। ଏକ ସର୍ବେକ୍ଷଣ ଅନୁଯାୟୀ କ୍ରିକେଟ୍‌ ପରେ କବାଡ଼ିକୁ ସର୍ବାଧିକ ରେଟିଂ ଦିଆଯାଇଛି। ପୂର୍ବରୁ ଆନ୍ତର୍ଜାତିକ ପଦକ ପାଉଥିଲେ ବି ବିମାନବନ୍ଦରରେ କେହି ପଚାରୁନଥିଲେ। କିନ୍ତୁ ବର୍ତ୍ତମାନ ପ୍ରୋ-କବାଡ଼ି ଖେଳାଳିଙ୍କ ପାଇଁ ଲୋକଙ୍କ ଭିଡ ଜମୁଛି। ହରିଆନାର ଗାଁ-ଗାଁରେ ଏକାଡେମି ଗଢି ଉଠିଲାଣି। ଲୋକଙ୍କୁ ପୁଣି ମନେପକାଇ ଦେବାକୁ ପଡ଼ିବ ଯେ କବାଡ଼ି ହେଉଛି ଆମର ନିଜ ଖେଳ, ସଂପୂର୍ଣ୍ଣ ଦେଶୀ ଖେଳ।
ପ୍ର: ଓଡ଼ିଶାରୁ ଜାତୀୟସ୍ତରର ଖେଳାଳି ବାହାରିବାରେ କି ସମସ୍ୟା ଦେଖୁଛନ୍ତି?
ଉ: ଓଡ଼ିଶାରେ ଭରପୂର ପ୍ରତିଭା ଅଛନ୍ତି। ଭିତ୍ତିଭୂମି ମଧ୍ୟ ରହିଛି। କିନ୍ତୁ କାହିଁକି ଖେଳାଳି ବାହାରୁନାହାନ୍ତି ତାହା ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି। କେବଳ ପୁରୀ ଛାତ୍ରାବାସରେ କବାଡ଼ି ରହିଛି। ରାଜ୍ୟର ୪ ଜୋନ୍‌ରେ ୪ଟି କବାଡ଼ି ଛାତ୍ରାବାସ ରହିବା ଉଚିତ୍‌। ଓଡ଼ିଶାରୁ ୪ ଜଣ ଝିଅଙ୍କୁ ମୋ ନିଜସ୍ୱ ଏକାଡେମିରେ ପ୍ରଶିକ୍ଷଣ ଦେବାପରେ ସେଥିରୁ ରଶ୍ମିତା ସାହୁ ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିଲେ। ଖେଳାଳିମାନେ ଚାକିରି ଓ ଟଙ୍କା ପାଇଁ ବ୍ୟସ୍ତ ହେଉଛନ୍ତି। ବର୍ତ୍ତମାନ ପ୍ରୋ-କବାଡ଼ିରେ ଜଣେ ଖେଳାଳି ୯୩ ଲକ୍ଷ ଟଙ୍କାରେ କିଣାଯାଇପାରୁଛି। ତେଣୁ ଭଲ ଖେଳିଲେ ଟଙ୍କା ଆପେଆପେ ଆସିବ। ଖେଳାଳିଙ୍କୁ ସେମାନଙ୍କ ଲକ୍ଷ୍ୟ ବିଷୟରେ ବୁଝାଇବାକୁ ହେବ। ସେଥିପାଇଁ ପ୍ରଶିକ୍ଷକ ସହିତ ସଂଘ ଓ ସରକାର ମଧ୍ୟ ଉଦ୍ୟମ କରିବା ଦରକାର।

ସମ୍ବନ୍ଧିତ ଖବର