କବୀରଙ୍କୁ ସମ୍ବର୍ଧିତ କଲା ପିଏନ୍‌ଭି

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଟେନିସ୍‌ ତାରକା କବୀର ହଂସଙ୍କୁ ଶୁକ୍ରବାର ପିଏନ୍‌ଭି ଫାଉଣ୍ଡେସନ୍‌ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପ୍ରେସ୍‌ କ୍ଲବ୍‌ ଓଡ଼ିଶାରେ ଆୟୋଜିତ ଏହି ସମ୍ବର୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ଓଲିଉଡ୍‌ ତାରକା କୁନା ତ୍ରିପାଠୀ ଯୋଗଦେଇ କବୀର ଆଗକୁ ଏଭଳି ସଫଳତାର ଶିଡ଼ି ଚଢ଼ନ୍ତୁ ବୋଲି କାମନା କରିଥିଲେ। ଏଥି ସହ ସେ ପିଏନ୍‌ଭିର ପ୍ରୋତ୍ସାହନ ଉଦ୍ୟମକୁ ପ୍ରଶଂସା କରିବା ସହ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ଓଡ଼ିଶା ଏବେ କ୍ରୀଡ଼ା ହବ୍‌ରେ ଗଣାଗଲାଣି। କବୀରଙ୍କ ଭଳି ଛୋଟ ପିଲା ଗୋଟିଏ ମାସରେ ତିନି ତିନିଟି ଅନ୍ତର୍ଜାତୀୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇଛନ୍ତି। ତାଙ୍କର ଏଭଳି ସଫଳତା ଯୋଗୁଁ ଆମେ କବୀରଙ୍କୁ ସମ୍ବର୍ଧିତ କରିଥିବାରୁ ବହୁତ ଖୁସୀ ବୋଲି ପିଏନ୍‌ଭିର ପ୍ରତିଷ୍ଠାତା ସତ୍ୟବ୍ରତ ସାନୁ ରଥ କହିଥିଲେ। ପିଏନ୍‌ଭି ଫାଉଣ୍ଡେସନ୍‌ ଏବେ ଉଦୀୟମାନ ତାରକାଙ୍କୁ ପ୍ରୋତ୍ସାହନର ହାତ ବଢ଼ାଇବା ସହ ସମ୍ମାନିତ କରିବା କାମ ଜାରି ରଖିବ ବୋଲି ଶ୍ରୀ ରଥ କହିଥିଲେ। ଅନ୍ୟପକ୍ଷରେ ପିଏନ୍‌ଭି ପକ୍ଷରୁ ମୋତେ ଏଭଳି ସମ୍ମାନ ମିଳିଥିବାରୁ ମୁଁ ବହୁତ ଖୁସି, ଏହି ସମ୍ମାନ ମୋତେ ଆଗକୁ ବଢ଼ିବାରେ ସହଯୋଗ କରିବ ବୋଲି କବୀର କହିଥିଲେ। ମୁଁ ସଂପ୍ରତି ଯୁଗଳ ବର୍ଗରେ ଭଲ କରୁଛି। ଏକକରେ ଭଲ କରିବାକୁ ଚେଷ୍ଠା କରିବି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୧୭ ବର୍ଷୀୟ କବୀର ପ୍ରଥମ ଓଡ଼ିଆ ଭାବେ ୧୮ ବର୍ଷରୁ କମ୍‌ ଜାତୀୟ ଓ ଅନ୍ତର୍ଜାତୀୟ (ଆଇଟିଏଫ୍‌) ଟେନିସ୍‌ ପ୍ରତଯୋଗିତାରେ ଟ୍ରଫି ଜିତିଥିଲେ। ଚେନ୍ନାଇରେ ଆୟୋଜିତ ଆଦିଦାସ ଜାତୀୟ କନିଷ୍ଠ ଏବଂ ଓ୍ଵାଇଏମ୍‌ସିଏ ଆଇଟିଏଫ୍‌ କନିଷ୍ଠ ପ୍ରତିଯୋଗିତାର ବାଳକ ଯୁଗଳରେ ବିଜେତା ହୋଇଥିଲେ। ଏଥିସହ ସେ ହାଇଦ୍ରାବାଦରେ ଅନୁଷ୍ଠିତ ଆଟିଏଫ୍‌ କନିଷ୍ଠ ପ୍ରତିଯୋଗିତାରେ ଉପ ବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର