ଭୁବନେଶ୍ବର: ଚଳିତ ଓଡ଼ିଶା ପୁରୁଷ ବିଶ୍ବକପ୍ରେରେ ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲ୍ଜିୟମକୁ ଯେ ଡ୍ରାଗ୍ ଫ୍ଲିକ୍ ଚିନ୍ତା ଘାରିଛି ଏହା କାହାକୁ ଅଛପା ନାହିଁ। କାରଣ ନିଜର ଦୁଇଟି ଯାକ ପୁଲ୍ ମ୍ୟାଚ୍ରେ ଆକ୍ରାମକ ହକି ଖେଳି ଏହି ୟୁରୋପୀୟ ଦେଶ ୧୦ଟି ପେନାଲଟି କର୍ନର ଅର୍ଜନ କରିଥିଲେ ବି ମାତ୍ର ଗୋଟିଏ ଗୋଲ୍ କରିଛି। କାନାଡ଼ା ବିପକ୍ଷରେ ୭ଟିରୁ ଗୋଟିଏ ବି ରୂପାନ୍ତର କରି ନପାରି ନିରାଶ ହୋଇଥିଲା। କିନ୍ତୁ ଦୁଇଟି ଫିଲଡ୍ ଗୋଲ୍ ବଳରେ ଦଳ ଅବଶ୍ୟ ଜିତିଯାଇଥିଲା। ରବିବାର ଭାରତ ବିପକ୍ଷରେ ବିଶ୍ବ ମାନ୍ୟତାର ଏହି ୩ ନମ୍ବର ଦେଶ ମଧ୍ୟ ତିନିଟି ଅର୍ଜନ କରି ଗୋଟିଏ ଗୋଲ୍ ଦେଇ ପାରିଥିଲା। ଅର୍ଥାତ୍ ୧୦ ପ୍ରତିଶତ ସଫଳତା ନିଶ୍ଚିତ ପାଇଁ ଦଳର ଚିନ୍ତାର କାରଣ ହୋଇଛି। ଏହି କାରଣରୁ ବେଲଜିୟମ୍ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ମଧ୍ୟାହ୍ନରେ କେବଳ ଝାଳ ବୁହାଇନଥିଲ। ଘଣ୍ଟାଏ ପାଖାପାଖି ଖାସ୍ ଡ୍ରାଗ୍ ଫ୍ଲିକ୍ ଅଭ୍ୟାସ କରିଥିଲା। ଦଳର ଦୁଇ ଗୋଲ୍ରକ୍ଷକ ଭିନ୍ସେଣ୍ଟ ବନାଂଶ ଏବଂ ଲୋଇକ୍ ଭାନ୍ ଡୋରେନ୍ଙ୍କୁ ପ୍ରଶିକ୍ଷକ ସେନ୍ ମ୍ୟାକଲିଓଡ୍ ଜୋରଦାର ଅଭ୍ୟାସ କରାଇଥିଲେ। ଦୁଇ ଭାଗରେ ବିଭକ୍ତ ଦଳର ଖେଳାଳିମ ପାର୍ଶ୍ବ ଗୋଲ୍ପୋଷ୍ଟରେ ଏଭଳି ଅଭ୍ୟାସ୍ କରି ନିଜର ପରବର୍ତୀ ମ୍ୟାଚ୍ ଲାଗି ପ୍ରସ୍ତୁତ କରିଛନ୍ତି। ବେଲଜିୟମ୍ ପରବର୍ତୀ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହିତ ଖେଳିବ। ସେହିଦିନ ଭାରତ ନିର୍ଣ୍ଣାୟକ ମ୍ୟାଚ୍ରେ କାନାଡ଼ା ସହ ଖେଳିବେ।
ଭାରତୀୟ ହକି ଯେ ଉତ୍ଥାନ ପଥରେ ରହିଛି ଏହାର ଆଉ ଏକ ଝଲକ ଦେଇଛି ଚଳିତ ବିଶ୍ବକପ୍। ଭାରତ ଅଦ୍ୟାବଧି ଖେଳିଥିବା ୨ ମ୍ୟାଚ୍ରୁ ୭ ଗୋଲ୍ ଦେଇ ୨ ବରଣ କରିଛି। କିନ୍ତୁ ଭାରତ ଯେ ଅଲରାଉଣ୍ଡ୍ ହକି ଖେଳୁଛି ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଛି ଏହାର ପ୍ରମାଣ ମିଳିଛି ଏକ ପରିସଂଖ୍ୟାନରୁ। ଚଳିତ ବିଶ୍ବକପ୍ର ଏକ ତୃତୀୟାଂଶ ତଥା ପ୍ରଥମ ୧୨ ମ୍ୟାଚ୍ ପର୍ଯ୍ୟନ୍ତ ବିଭିନ୍ନ ଦଳର ପ୍ରତିପକ୍ଷ 'ବଳୟ ପ୍ରବେଶ'ରେ ଭାରତ ରହିଛି ଆଗୁଆ। ମୋଟ୍ ସର୍କଲ ପେନେଟ୍ରେସନ (ବଳୟ ବିନ୍ଧାଣ)ରେ ଭାରତ ସର୍ବାଧିକ ୪୧ ଥର ଚଢ଼ଉ କରି ସବୁ ଦଳଠାରୁ ଆଗରେ ରହିଛି। ସର୍ବାଧିକ ଗୋଲ୍ରେ ଆର୍ଜେଣ୍ଟିନା (୭) ଏବଂ ସବୁଠୁ ରକ୍ଷଣାତ୍ମକ ଖେଳି ମାଲେସିଆ ୧୮ ଗୋଲ୍ ବଞ୍ଚାଇଛି। ସର୍ବାଧିକ ଗୋଲ୍ ଭଳି ସର୍ବାଧିକ ଉଦ୍ୟମ ମଧ୍ୟ ଆର୍ଜେଣ୍ଟିନା (୨୫ ଥର ଆକ୍ରମଣ) ନାମରେ ରହିଛି।
ଶନିବାର ନିଜର ଅନ୍ତିମ ଲିଗ୍ ଖେଳିବାକୁ ଢ଼େର ସମୟ ଥିବାରୁ ବେଲ୍ଜିୟମ୍ ଏବଂ ଦକ୍ଷିଣ ଆଫ୍ରିକା ଦଳ ମଙ୍ଗଳବାର ମଜା ମସ୍ତିରେ ସମୟ କାଟିଥିଲେ। ପ୍ରଶଂସକ ଗାଁ ପାଲଟିଥିବା ରଗ୍ବି ଆରେନାରେ ବେଲ୍ଜିୟମ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି ନିଜ ଭାଷାରେ ଗୀତ ଗାଇବା ସହିତ ନାଚ ଦୃଶ୍ୟକୁ ସ୍ଥାନୀୟ ପ୍ରଶଂସକମାନେ ବେଶ୍ ଉପଭୋଗ କରିଥିଲେ। ପରବର୍ତୀ ମ୍ୟାଚ୍ ପାଇଁ ନିଜକୁ ହାଲକା କରିବା ଏବଂ ଚାପ ହଟାଇବାର ଅନ୍ୟତମ ମାଧ୍ୟମ ହୋଇଛି ବୋଲି ମଧ୍ୟ ଖେଳାଳିମାନେ ପ୍ରକାଶ କରିଛନ୍ତି।