କଳିଙ୍ଗ କୁରମା:ଏକ ସଙ୍ଗରେ ହରେନ୍ଦ୍ର-ସିଗି

0 103

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଫ୍ୟାନ୍ ଭିଲେଜ (ପ୍ରଶଂସକଙ୍କ ଗାଁ)ରେ ସୋମବାର ଢେର ମଜା ଉଠାଇଥିଲେ ଖେଳାଳି, ପ୍ରଶଂସକ ଏବଂ ପ୍ରଶିକ୍ଷକମାନେ। ବିଶେଷ କରି ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଏବଂ ଜାପାନ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ସିଗଫ୍ରାଏଡ ଆଇକମ୍ୟାନ୍ (ସିଗି) ମିଳିତ ଭାବେ କେତେକ କେନ୍ଦ୍ର ବୁଲିବାର ‌ନଜରକୁ ଆସିଥିଲା। ମାସ୍କଟ ଓଲି ଏବଂ କିଛି ପ୍ରଶଂସକଙ୍କ ସହ ସେଲଫି ନେଇଥିଲେ। ଭାରତୀୟ ଦଳର ପ୍ରଦର୍ଶନରେ ହରେନ୍ଦ୍ର ବେଶ୍‌ ପ୍ରୀତ ଥିବାବେଳେ ସିଗି ବି ସାଥ୍‌ ସାଥ୍ ବୁଲୁଥିଲେ। ଆଉ କିଛି ପ୍ରଶଂସକଙ୍କ ସହ ମଧ୍ୟ ଓଲି ବଲିଉଡ୍ ସଂଗୀତର ତାଳେ ତାଳେ ନାଚିଥିଲେ। ଏଥି ସହିତ ଅନ୍ୟ ପ୍ରଶଂସକମାନେ ବି ସାମିଲ ହୋଇଥିଲେ। କିଛି କାନାଡ଼ା ଓ ଆମେରିକୀୟ ପ୍ରଶଂସକ ବି ଏକତ୍ର ଭାରତୀୟ ଖାଦ୍ୟର ମଜା ନେଇଥିଲେ।

ଶିଖିବା ଲକ୍ଷ୍ୟରେ ଜାପାନ ପ୍ରଶିକ୍ଷକ
ଚଳିତ ବିଶ୍ବକପ୍‌ରେ ଜାପାନ ଅଂଶଗ୍ରହଣ କରିନାହିଁ। କିନ୍ତୁ ଜାପାନ ଜାତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ସିଗ୍‌ଫ୍ରାଏଡ୍‌ ଆଇକମ୍ୟାନ (ସିଗି)ଙ୍କ ଉପସ୍ଥିତି ପ୍ରଶଂସକ ଗାଁରେ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ‘ସମ୍ବାଦ’ ଏହି କୃଷ୍ଣକାୟ ଡଚ୍‌ ଚେହେରା ବ୍ୟକ୍ତିଙ୍କୁ ଭେଟିବା ପରେ ଜଣାପଡ଼ିଥିଲା ‌ଜାପାନକୁ ହକିରେ ଅଧିକ ଉଚ୍ଚକୁ ନେବା ଅଭିଳାଷ ରଖି ଟୋକିଓରୁ ସେ ଭୁବନେଶ୍ବର ଆସିଛନ୍ତି। ପ୍ରତି ଦଳର ପ୍ରଦର୍ଶନକୁ ନୀରିକ୍ଷଣ କରୁଛନ୍ତି ଏବଂ ଏହାକୁ ଏକ ଶିକ୍ଷଣୀୟ ଗସ୍ତ ଭାବେ ନେଇଛନ୍ତି। ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ରଙ୍କ ସହ ତାଙ୍କ ଭଲ ବଂଧୁତା ରହିଛି ବୋଲି ମଧ୍ୟ ସ୍ବୀକାର କରିଥିଲେ। ଜାପାନକୁ ଅଲିମ୍ପିକ୍ସ ଯୋଗ୍ୟତା ଦେବା ଅସଲ ଲକ୍ଷ୍ୟ ବୋଲି ମଧ୍ୟ କହିଥିଲେ ସିଗି। ସୂଚନାଯୋଗ୍ୟ, ୪ ଥର ବିଶ୍ବକପ୍ ଖେଳିଥିବା ଜାପାନ କିନ୍ତୁ ଶେଷ ଥର ପାଇଁ ୨୦୦୬ ବିଶ୍ବକପ୍‌ରେ ପ୍ରତିନିଧିତ୍ବ କରିଥିଲା। ଚଳିତ ବର୍ଷ ଜାକର୍ତାରେ ଆଶ୍ଚର୍ଯ୍ୟଜନକ ଭାବେ ସିଗିଙ୍କ ଦଳ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତି ନେଇଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଆୟୋଜକ ଭାବେ ଖେଳିବ। ଏଥି ପାଇଁ ଆମେ ପ୍ରସ୍ତୁତ ହେଉଛୁ ବୋଲି କହିଥିଲେ ସିଗି। ପୂର୍ବତନ ନେଦରଲାଣ୍ଡ ଖେଳାଳି ତଥା ପ୍ରଶିକ୍ଷକ ସିଗି ୨୦୦୯ରୁ ଜାପାନ ପୁରୁଷ ହକି ଦଳର ଦାୟିତ୍ବ ତୁଲାଇ ଏବେ ସଫଳତା ପାଇବା ଆରମ୍ଭ କରିଛନ୍ତି।

ନୂଆ ଏକାଡେମି, ନୂଆ ଅଭିଜ୍ଞତା
କଳିଙ୍ଗ ଷ୍ଟାଡିୟମ୍ ପ୍ରଶଂସକ ଗାଁ ଏବଂ ହକି ଷ୍ଟାଡିୟମ୍‌ରେ‌ ସୋମବାର ଯୋଡ଼ି ହୋଇଥିଲେ ଏକ ନିଆରା ଜର୍ସିର ଦଳ। ନୂଆ ନୂଆ ହକି ଶିଖୁଥିବା ଏହି ଯୁବ ପ୍ରତିଭାମାନେ ଆସିଥିଲେ ଟାଟା ଷ୍ଟିଲ୍‌ର ନାଭାଲ ଟାଟା ହକି ଏକାଡେମିରୁ। ଭାରତୀୟ କ୍ରୀଡ଼ାକୁ ଟାଟା ଷ୍ଟିଲ୍‌ର ଗୁରୁତ୍ବପର୍ଣ୍ଣ ଅବଦାନ ରହିଥିଲେ ମଧ୍ୟ ମାତ୍ର ଗତବର୍ଷଠାରୁ ହକି ଏକାଡେମି ପ୍ରତିଷ୍ଠିତ ହୋଇଛି। ନାଭାଲ ଟାଟା ହକି ଏକାଡେମିର ୨୮ ଜଣ ଅନ୍ତେବାସୀଙ୍କୁ ନେଇ ଆସିଛନ୍ତି ଏହାର ପ୍ରଶାସନିକ ଅଧିକାରୀ ଜି ଏମ୍ ଶରଣ। ବିଶେଷ କରି ଝାଡ଼ଖଣ୍ଡ ଅଞ୍ଚଳରୁ ଏହି ଖେଳାଳିଙ୍କୁ ନିଆଯାଇଛି ଏବଂ ଭବିଷ୍ୟତରେ ଓଡ଼ିଶାରୁ ମଧ୍ୟ ନିଆଯିବ ବୋଲି ‘ସମ୍ବାଦ’ ସହିତ କଥା ହେବା ବେଳେ ସୂଚନା ଦେଇଥିଲେ ଶ୍ରୀ ଶରଣ। ଏହି ଯୁବ ପ୍ରତିଭାମାନେ ମଧ୍ୟ ‌େସ‌ାମବାର ଦୁଇ ବିଶ୍ବକପ୍ ମ୍ୟାଚ୍ ଦେଖି ଅନେକ କିଛି ଶିଖିଛନ୍ତି ଏବଂ ଉତ୍ସାହିତ ‌ବୋଲି କହିଥିଲେ।

ହକି ବିଶ୍ବ କପ୍‌ରେ ଭିନ୍ନକ୍ଷମ ଦିବସ

ଭୁବନେଶ୍ବର: ଡିସେମ୍ବର ୩ ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ସାରା ବିଶ୍ବରେ ପାଳିତ ହେଉଛି। ଭୁବନେଶ୍ବରରେ ଆୟୋଜିତ ହକି ବିଶ୍ବକପ୍‌ରେ ମଧ୍ୟ ଭିନ୍ନକ୍ଷମ ଦିବସର ପ୍ରଚାର ପ୍ରସାର କରାଯାଇଛି। ବିଶ୍ବକପ୍‌ର ଅତିଥି ଭାବେ ସୋମବାର କନିଷ୍ଠ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାର ସ୍ବର୍ଣ୍ଣ ବିଜୟିନୀ ଜୟନ୍ତୀ ବେହେରା ଏବଂ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳର ଅଧିନାୟକ ଜାଫର ଇକ୍‌ବାଲ୍‌ ଯୋଗଦେଇଥିଲେ। କନ୍ଧମାଳ, ଗଞ୍ଜାମ ଏବଂ‌ ଢେଙ୍କାନାଳ ଜିଲ୍ଲାର ୨୯ ଜଣ ଭିନ୍ନକ୍ଷମ ପିଲାଙ୍କୁ ସୋମବାର ହକି ମ୍ୟାଚ୍‌ ଦେଖିବାର ସୁଯୋଗ ମଧ୍ୟ ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ଏଥିଲାଗି ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆ‌େ‌ୟୋଜନ ହୋଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.