ରଶ୍ମିତା, ଅଶୋକାନନ୍ଦଙ୍କୁ କମଲ ଗାଙ୍ଗୁଲି ପୁରସ୍କାର

ଭୁବନେଶ୍ବର: ଓଡ଼ିଶାକୁ କ୍ରୀଡ଼ା ଶକ୍ତିଭାବେ ଗଢ଼ି ତୋଳିବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଅଢ଼େଇ ଦଶନ୍ଧି ଧରି ପୁରସ୍କୃତ କରି ଆସୁଥିବା ସହିଦ୍ ସ୍ପୋର୍ଟିଂର ଅନ୍ୟତମ ପ୍ରମୁଖ ଉତ୍ସବ ‘କମଲ ଗାଙ୍ଗୁଲି କ୍ରୀଡ଼ା ସମ୍ମାନ’ ରବିବାର ସମ୍ପନ୍ନ ହୋଇଛି। ରାଜ୍ୟ ମହିଳା କ୍ରିକେଟ୍‌କୁ ନୂଆ ଦିଶା ‌ଦେଇଥିବା ରଶ୍ମିତା ମହାନ୍ତି ଏବଂ ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଅଶୋକାନନ୍ଦ ଜେନାଙ୍କୁ ୨୦୧୮-୧୯ ମସିହା ପାଇଁ ପୁରସ୍କୃତ କରାଯାଇଛି। ରଶ୍ମିତାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଅଶୋକାନନ୍ଦଙ୍କୁ ଜୀବନବ୍ୟାପୀ ସେବା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି। ରବିବାର ସଂଧ୍ୟାରେ ସହିଦ ସ୍ପୋର୍ଟିଂ ଖେଳ ପଡ଼ିଆରେ ଅନୁଷ୍ଠିତ ବିଶେଷ ଉତ୍ସବରେ ବିଧାୟକ ବିଜୟ ମହାନ୍ତି, ମାରୁତି ଇଷ୍ଟେଟ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, କର୍ପୋରେଟର୍‌ ଶାଶ୍ବତୀ ମିଶ୍ର, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବୟସ ବର୍ଗରେ ରାଜ୍ୟ କ୍ରିକେଟ୍‌ ଦଳରୁ ପ୍ରତିନିଧିତ୍ବ କରିଥିବା ଶୁଭମ ଶତ୍ରୁଜିତ୍‌, ଜ୍ୟୋତି ରଂଜନ ବେହେରା, ମାନସ ରଂଜନ ବେହେରା, ଆଶୁତୋଷ ନାୟକ, ନିହାର ରଂଜନ ଭୂୟାଁ, ସନ୍ଦୀପ ଚୌହାନ, ଆର୍ଯ୍ୟ ଜେନା, ଆଶୁତୋଷ ଛୂରିଆ, ଶ୍ରେଷ୍ଠ ସିଂହ, ବିଶ୍ବ ବିଭବ ମୁଦୁଲି, ରାଜଦୀନ ରୋହନ ଦାସ ଏବଂ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରିଥିବା ପାର୍ଥ ସାରଥୀ ନାୟକ, ଆଶୁତୋଷ କୁମାର, ରାଜ୍ୟ କାଉନସିଲ୍ ଦଳରୁ ଖେଳିଥିବା ଆଶୁତୋଷ ଛୂରିଆ, ବାଦଲ ଦାସ, ଯୁକ୍ତ ୨ ପରିଦଷରୁ ଖେଳିଥିବା ରୋଶନ ଶର୍ମା, ଅନ୍ତଃଜୋନ୍‌ ବିଦ୍ୟାଳୟ କ୍ରିକେଟ୍‌ରୁ ଖେଳିଥିବା ସୁବୁନ ଜେନା, ଶ୍ରେଷ୍ଠ ସିଂହ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ସହିଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସଂବିତ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସୂଚନା‌ଯୋ‌ଗ୍ୟ, ୨୦୧୨ ମସିହାରୁ ଆରମ୍ଭ ହୋଇଥିବା କୋଚ୍‌ ପୁରସ୍କାରକୁ କିଶୋର ମାଣିଆ, ଜୋସ୍ ଜ୍ୟାକବ୍, ନନ୍ଦ କିଶୋର ପଟ୍ଟନାୟକ, ନୀଳମାଧବ ଦେଓ, ଅଶୋକ ମିଶ୍ର ଏବଂ ୨୦୧୪ରୁ ଆରମ୍ଭ ହୋଇଥିବା ଜୀବନବ୍ୟାପୀ ପୁରସ୍କାରକୁ ଯଥାକ୍ରମେ ମଦନ ମୋହନ ମହାନ୍ତି, ବିଜୟ ଶତପଥୀ, ଅରୂପାନନ୍ଦ ରାଉତରାୟ ପାଇଥିଲେ।

ସମ୍ବନ୍ଧିତ ଖବର