ମହାନତା: କନ୍ଧମାଳ ଲୋକସଭା ବିଏସପି ପ୍ରାର୍ଥୀ ପ୍ରଚାର ବନ୍ଦ କରି ଗର୍ଭବତୀ ମହିଳାଙ୍କୁ ଆଣିଲେ ଡାକ୍ତରଖାନା

ଫୁଲବାଣୀ (ବଟକୃଷ୍ଣ ବିହାରୀ) ଆମ୍ବୁଲାନସ ଆସିବାରେ ବିଳମ୍ବ ହେବ। ଗର୍ଭବତୀ ଓ ପେଟରେ ଥିବା ଶିଶୁର ଅବସ୍ଥା କଣ ହେବ। ଏଭଳି ଆଶା ଆଶଙ୍କାରେ ପରିବାର ଲୋକ ଥିବା ବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ କନ୍ଧମାଳ ଲୋକସଭା ବିଏସପି ପ୍ରାର୍ଥୀ ଅମୀର ନାୟକ। ପ୍ରଚାର ବନ୍ଦ କଲେ। ନିଜ ଗାଡିରେ ଗର୍ଭବତୀ ମହିଳାଙ୍କୁ ବାଲିଗୁଡାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ଏଭଳି ମହାନତା କାମକୁ ନେଇ ଅମୀରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ବାଲିଗୁଡା ବଡଗାଁର ଦିପକ ଦିଗାଲ ପତ୍ନୀ ରେଣୁକାକୁ ଗର୍ଭ ଯନ୍ତ୍ରଣା ହେବାରୁ ସୋମବାର ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ସେବା ନିମନ୍ତେ ଅପରାହ୍ନ ୪ଟାରେ ଡାକ୍ତର ରେଣୁକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ ହେଲେ ସେ ସମୟରେ ଆମ୍ବୁଲାନସ ସୁବିଧା ନଥିଲା। କେଣସି ଜରୁରୀ କାମରେ ଆମ୍ବୁଲାନସ ବାହାରକୁ ଯାଇଥିଲା। ରେଣୁକା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ନେବାକୁ କେଣସି ଉପାୟ ନଥିଲା। ଏହି ସମୟରେ ସେହି ବାଟ ଦେଇ ନିଜ ଗାଡିରେ ପ୍ରଚାର କରିବାକୁ ଯାଉଥିବା ଅମୀରଙ୍କ କାନରେ ଏହି କଥା ପଡିଥିଲା। ସେ ସଂଗେ ସଂଗେ ପ୍ରଚାର ଗାଡିରୁ ସମର୍ଥକ ଓ କର୍ମୀଙ୍କୁ ଓହ୍ଲାଇ ଦେଇଥିଲେ। ତାପରେ ନିଜ ଗାଡିରେ ରେଣୁକା ଓ ତାଙ୍କର ପରିବାର ଲୋକଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକତ୍ସାଳୟାରେ ପହଞ୍ଚାଇଥିଲେ।

ରେଣୁକାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଅଧିକ ବିଳମ୍ବ ହୋଇଥିଲେ ଅସୁବିଧା ହୋଇଥାନ୍ତା ବୋଲି ଡାକ୍ତର କହିଛନ୍ତି। ରେଣୁକାଙ୍କ ପାଇଁ ଦେବଦୂତ ସାଜି ମହାନତା ଦେଖାଇଥିବା ଅମୀରଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଛି।ଏମିତି କି ରେଣୁକା ଓ ତାଙ୍କ ସ୍ୱାମୀ ଦିପକ ଅମୀରକୁ ଦ୍ଵିତୀୟ ଭଗବାନ ବୋଲି କହିବା ସହ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର