କାନପୁର ଜିତିଲେ ଲଗାତାର ୭

କାନୁପର: ଭାରତ-ନ୍ୟୁଜିଲାଣ୍ଡ ତିନି ଟିକିଆ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ ରବିବାର ଖେଳାଯିବ। ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରୁ ଗୋଟିଏ ଲେଖାଏଁ ଜିତି ଉଭୟ ଦଳ ସମାନ ସ୍ତରରେ ଥିବାରୁ କାନପୁର ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ରେ ଇତିହାସ ରଚିବାର ସୁଯୋଗ ରହିବ। କାନପୁରରେ ବିଜୟର ସ୍ୱାଦ ଚାଖିଲେ ଭାରତରେ ନ୍ୟୁଜିଲାଣ୍ଡ ପ୍ରଥମ ଦ୍ୱିପାକ୍ଷିକ ଶୃଙ୍ଖଳା ଜିତିବାର ସୌଭାଗ୍ୟ ଲାଭ କରିବ। ଅନ୍ୟ ପକ୍ଷରେ ଭାରତ ବିଜୟୀ ହେଲେ ଲଗାତାର ୭ ଶୃଙ୍ଖଳା ଜିତିବାର ଅନନ୍ୟ ସଫଳତା ପାଇବ।

ପ୍ରଥମ ଦିନିକିଆକୁ ହାରିବା ପରେ ଦ୍ୱିତୀୟକୁ ଜିତି ଭାରତ ଶୃଙ୍ଖଳାକୁ ଫେରିଛି। ତେବେ ଆସନ୍ତାକାଲିର ଲଢ଼େଇରେ କୋହଲି ବାହିନୀ ଅସଲ ପରୀକ୍ଷା ହେବାକୁ ଯାଉଛି। ମୁମ୍ବାଇରେ ପରାଜିତ ହେବା ପରେ ପୁନେରେ ଭାରତ କୁଲଦୀପ ଯାଦବଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଖେଳାଇଥିଲା। ସେହିଭଳି କାମଚଳା ସ୍ପିନର କେଦାର ଯାଦବ ମଧ୍ୟ ଢେର କିଛି ଓଭର ବୋଲିଂ କରିଥିଲେ। କାନପୁରର ଗ୍ରିନ୍‌ ପାର୍କ ପିଚ୍‌ରେ କୁଲଦୀପ ଫେରୁଛନ୍ତି ନା ଅକ୍ଷର ନିଜ ସ୍ଥାନ ବଜାୟ ରଖୁଛନ୍ତି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ହୋଇଛି। ସେହିଭଳି ପୁନେରେ ଦୀନେଶ କାର୍ତିକ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିଲେ। କାନପୁରରେ ସେ ସେହି ସ୍ଥାନରେ ଖେଳିବେ କି ନାହିଁ ? ତାହା ମଧ୍ୟ ପ୍ରଶଂସକଙ୍କ ପାଇଁ ଆଉ ଏକ ପ୍ରଶ୍ନ ଭାବେ ଉଭା ହୋଇଛି। ତେବେ ଚଳିତ ଶୃଙ୍ଖଳାରେ ପ୍ରରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏ ପର୍ଯ୍ୟନ୍ତ କିଛି କରି ପାରି ନଥିବାରୁ କୋହଲିଙ୍କ ପାଇଁ ସେ ଏକ ବଡ଼ ଚିନ୍ତା ଭାବେ ଉଭା ହୋଇଛନ୍ତି। କାନପୁରରେ ରୋହିତଙ୍କ ବ୍ୟାଟ୍‌ କଥା କହିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ସେପଟେ ନ୍ୟୁଜିଲାଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳ ବଦଳ କରିବା ସମ୍ଭାବନା ପ୍ରାୟ ନାହିଁ।

ଦୁଇ ବର୍ଷ ପୂର୍ବେ ଗ୍ରିନ୍‌ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୩୦୩ ରନ୍‌ର ବଡ଼ ସ୍କୋର କରିଥିଲା। ଭାରତ ସେହି ମ୍ୟାଚ୍‌ରେ ୨୯୮ ରନ୍‌ କରି ୫ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା। ସେହିଭଳି ଚଳିତ ବର୍ଷ ଜାନୁଆରି ମାସରେ ଏଠାରେ ଖେଳିଥିବା ଇଂଲଣ୍ଡ ବିପକ୍ଷ ଟେ୍ଵଣ୍ଟି-୨୦କୁ ମଧ୍ୟ ଭାରତ ହାରି ଯାଇଥିଲା। ଏଣୁ କୋହଲି ରବିବାର ବିଜୟୀ ହୋଇ ଏହି ଧାରାକୁ ରୋକିବା ସହ ଆଉ ଏକ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବେ। ଏହି ମ୍ୟାଚ୍‌ରେ ୮୩ ରନ୍‌ କରି ପାରିଲେ କୋହଲି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି ଏବଂ ମହମ୍ମଦ ଆଝାରୁଦ୍ଦିନଙ୍କ ପରେ ଷଷ୍ଠ ଭାରତୀୟ ଖେଳାଳି ଭାବେ ଦିନିକିଆରେ ୯,୦୦୦ ରନ୍‌ ପୂରଣ କରିବେ। ଭାରତ ଶେଷ ଥର ପାଇଁ ୨୦୧୫ରେ ଦ୍ୱିପାକ୍ଷିକ ଶୃଙ୍ଖଳା ହାରିଥିଲା।

ସମ୍ବନ୍ଧିତ ଖବର