ବିରାଟ ବାହିନୀର ପରାଜୟକୁ ନେଇ ଅସନ୍ତୋଷ ଝାଡ଼ିଲେ କପିଲ : ପ୍ରତି ମ୍ୟାଚରେ କାହିଁକି ବଦଳୁଛନ୍ତି ଖେଳାଳି, ରାହୁଲଙ୍କୁ ସୁଯୋଗ ମିଳୁ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ୱେଲିଙ୍ଗଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ ପରେ ଦଳର ରଣନୀତିକୁ ନେଇ ଟିମ୍ ଇଣ୍ଡିଆକୁ ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ କପିଲ ଦେବ । ସେ କହିଛନ୍ତି ‘ନ୍ୟୁଜିଲାଣ୍ଡ ଦଳର ପ୍ରଂଶସା କରିବାକୁ ହେବ, ସେମାନେ ଦମଦାର ପ୍ରଦର୍ଶନ କରୁଛନ୍ତି । ଦିନିକିଆ ସିରିଜ ପରେ ଟେଷ୍ଟରେ ମଧ୍ୟ କିୱି ଦଳ ଭଲ ଖେଳୁଛି ।’

କପିଲ ଦେବ କହିଛନ୍ତି, ଯଦି ମ୍ୟାଚର ବିଶ୍ଳେଷଣ କରାଯାଏ, ତେବେ ଦଳରେ ଘନଘନ ପରିବର୍ତ୍ତନକୁ ନେଇ ପ୍ରଶ୍ନବାଚୀ ଉଠିବା ସୁନିଶ୍ଚିତ । ପ୍ରତି ମ୍ୟାଚରେ ନୂଆ ଗୋଟିଏ ଟିମ୍ ମୈଦାନକୁ ଓହ୍ଲାଉଛି । ଫଳରେ ଦଳରେ କୌଣସି ଖେଳାଳିଙ୍କ ସ୍ଥାନ ସ୍ଥିର ହୋଇ ରହୁନାହିଁ । ଏହାର ପ୍ରଭାବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡୁଛି ।

ସବୁଠାରୁ ବଡ କଥା ହେଉଛି, ଟେଷ୍ଟ ଟିମରେ ଲୋକେଶ ରାହୁଲ ନଖେଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କପିଲ ଦେବ । ରାହୁଲ ଭଲ ଫର୍ମରେ ଥିବା ବେଳେ ତାଙ୍କୁ କାହିଁକି ବାଦ୍ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଉଭୟ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ମ୍ୟାଚରେ ବିଜୟ ହାସଲ କରିବା ଭାରତ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡାହୋଇଛି ।

ସମ୍ବନ୍ଧିତ ଖବର