ଡିଏଲ୍‌ ନିୟମକୁ ନେଇ ଦ୍ୱନ୍ଦ୍ୱ: ପ୍ରଶ୍ନ ଉଠାଇଲେ କାର୍ତିକ

କୋଲ୍‌କାତା: ଚଳିତ ବର୍ଷ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ଡି/ଏଲ୍‌ ନିୟମକୁ ନେଇ ଅଧିକାଂଶ ଦଳର ଅଧିନାୟକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ନିୟମ ସମସ୍ତଙ୍କ ପାଇଁ ଯେତିକି ଅବୁଝା ସେତିକି ଆଶ୍ଚର୍ଯ୍ୟ ବୋଲି ଅଧିକାଂଶଙ୍କ ମତ। ପୂର୍ବରୁ ଦିଲ୍ଲୀ ଡେୟାର ଡେଭିଲ୍‌ସ ଅଧିନାୟକ ଗୌତମ ଗମ୍ଭୀର ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ ଏବେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଅଧିନାୟକ ଦୀନେଶ କାର୍ତିକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଇଡେନ୍‌ ଗାର୍ଡେନ୍‌ସରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ପରିବର୍ତିତ ଧାର୍ଯ୍ୟ ଲକ୍ଷ୍ୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି କାର୍ତିକ। ଏହି ମ୍ୟାଚ୍‌ରେ କୋଲ୍‌କାତା ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍‌ କରିଥିଲା। ଜବାବରେ ପଞ୍ଜାବ ୮.୨ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ୯୬ ରନ୍‌ କରିଥିଲା ବେଳେ ବର୍ଷା ଆସି ଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ବର୍ଷା ଛାଡ଼ିବାରୁ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ହେଲେ ସେତେବେଳକୁ ୨୮ ବଲ୍‌ରୁ ପଞ୍ଜାବକୁ ବିଜୟ ପାଇଁ ୨୯ ରନ୍‌ ଦରକାର ଥିଲା। ଅର୍ଥାଥ୍‌ ବର୍ଷା ନିୟମ (ଡି/ଏଲ୍‌) ଅନୁଯାୟୀ ୧୩ ଓଭରରୁ ୧୨୫ ରନ୍‌ର ପରିବର୍ତିତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିଭଳି ହିସାବ କରାଗଲା ତାହା ମୋତେ ବିସ୍ମିତ କରିଛି ବୋଲି କହିଛନ୍ତି କାର୍ତିକ। ଖେଳ ବର୍ଷା ଯୋଗୁଁ ବନ୍ଦ ହେଲାବେଳକୁ ପଞ୍ଜାବ ବିଜୟ ପାଇଁ ଓଭର ପିଛା ୮ରୁ ଅଧିକ ରନ୍‌ ଆବଶ୍ୟକ କରୁଥିଲା। ହେଲେ ଡିଏଲ୍‌ ନିୟମ ଅନୁଯାୟୀ ଅଚାନକ ଏହା ୬ ରନ୍‌ରୁ କମିଯାଇଥିଲା। ଏହା ହିଁ ସବୁଠୁ ଆଶ୍ଚର୍ଯ୍ୟ ବୋଲି କହିବା ସାଙ୍ଗକୁ କାର୍ତିକ ଏହି ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ମଧ୍ୟ ଡି/ଏଲ୍‌ ବଦଳରେ ଅନ୍ୟ କିଛି ବିକଳ୍ପ ନିୟମ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଡିଏଲ୍‌ ବଦଳରେ ଭିଜେଡି ( ଭି ଜୟଦେବନ୍‌) ପ୍ରଣାଳୀ ପ୍ରଣୟନ କରିବାକୁ ବିଚାର କରାଯାଉ ବୋଲି କାର୍ତିକ ପ୍ରସ୍ତାବ ବାଢ଼ିଥିଲା ବେଳେ ଅବୁଝା ଡିଏଲ୍‌କୁ ସେଇଥିପାଇଁ ସମସ୍ତେ ସହଜରେ ଗ୍ରହଣ କରିପାରୁନଥିବା କହିଛନ୍ତି।

ସମ୍ବନ୍ଧିତ ଖବର