କାର୍ତିକ ଛାଡ଼ିବା ଲୋକ ନୁହଁ: ସୁନୀଲ ଗାଭାସ୍କର

ରାଜସ୍ଥାନ ରୟାଲ୍‌ସ ନିଜ ପାଦରେ କୁରାଢ଼ୀ ମାରି ସେମିଫାଇନାଲ୍‌ ସଦୃଶ କ୍ୱାଲିଫାୟାର୍‌-୨ରୁ ବଞ୍ଚିତ ହେଲା। ଇଡେନ୍‌ ଗାର୍ଡେନ୍‌ସରେ ଖେଳାଯାଇଥିବା ଏହି ଗୁୁରୁତ୍ୱପୂର୍ଣ୍ଣ ମୁକାବିଲା ପାଇଁ ଦଳ ନିକଟରେ ଉପଯୁକ୍ତ ସମନ୍ଵୟର ଖେଳାଳି ନ ଥିଲେ। ଇଂଲିସ୍‌ ଯୋଡ଼ି ଜୋସ୍‌ ବଟଲର୍‌ ଏବଂ ବେନ୍‌ ଷ୍ଟୋକ୍‌ସଙ୍କୁ ହରାଇବା ଫଳରେ ଦଳ ଦୁର୍ବଳ ହୋଇଯାଇଥିଲା। ତାଙ୍କ ବିକଳ୍ପ ନ ପାଇ ଦଳ ଆଗକୁ ବଢ଼ିପାରିନଥିଲା। କ୍ଲାସେନ୍‌ ୪ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ନ ଥିଲେ କି ଷ୍ଟୁଆର୍ଟ ବିନି ତାଙ୍କ ପରେ ଆସିବା ଠିକ୍‌ ନ ଥିଲା। ଉଭୟ ୬ ଓ ୭ ନମ୍ବରରେ ଆସିବା କଥା। ରାହାଣେଙ୍କ ଆଉଟ୍‌ ପରେ ରାଜସ୍ଥାନ ପାଳି ତଳମୁହାଁ ହୋଇଥିଲା ଏବଂ ପରବର୍ତୀ ୫ ଓଭରରେ ଦଳ ମାତ୍ର ୨୫ ରନ୍‌ ଯୋଡ଼ିଥିଲା। ଏହା ହିଁ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ବିଜୟ ଲାଗି ସୁଯୋଗ ଦେଇଥିଲା। କୁଲଦୀପ୍‌ ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଭଲ ସ୍ଥିତିରେ ଥାଇ ୩୦ ରନ୍‌ରେ ହାରିବା ମଧ୍ୟ ପ୍ରମାଣ କରୁଛି ସେମାନେ କିଭଳି ଦିଗହରା ହୋଇଯାଇଥିଲେ। କହିବାକୁ ଗଲେ ଫ୍ରାଞ୍ଚାଇଜ୍‌ ଏବେ ହୃଦୟଙ୍ଗମ କରିବା କଥା ଜଣେ ଖେଳାଳି ଯଦି ସମ୍ପୂର୍ଣ୍ଣ ଋତୁ ଉପଲବ୍‌ଧ ନାହିଁ ତେବେ ତାଙ୍କୁ କିଣାଯିବା ଉଚିତ୍‌ ନୁହେଁ। ପ୍ଲେ ଅଫ୍‌ ବେଳକୁ ଉପଲବ୍‌ଧ ହେବେ ନାହିଁ ବୋଲି ଜାଣିଥିଲେ ମଧ୍ୟ ରାଜସ୍ଥାନ ସେମାନଙ୍କୁ ନେଇଥିଲା। ଅନ୍ୟମାନଙ୍କୁ ପରୀକ୍ଷା କରିବାକୁ ଦଳ ମଧ୍ୟ ସୁଯୋଗ ପାଇନଥିଲା। ନିଲାମ ପୂର୍ବରୁ ଯଦି ଖେଳସୂଚୀ ଘୋଷିତ ହୋଇ ଥାଆନ୍ତା ତେବେ ଫ୍ରାଞ୍ଚାଇଜ୍‌ମାନଙ୍କୁ ଖେଳାଳି ବାଛିବାରେ ସୁବିଧା ହୁଅନ୍ତା।

କୋଲ୍‌କାତା ଆଗକୁ ବଢ଼ିଗଲା କାରଣ ଦଳର ଅଧିନାୟକ ଦୀନେଶ କାର୍ତିକ ଛାଡ଼ିବା ଲୋକ ନୁହଁନ୍ତି, ସେ କେବେ ଆଶା ହରାଇନଥାନ୍ତି। ପ୍ରାରମ୍ଭିକ ଓ୍ଵିକେଟ୍‌ସବୁ ହରାଇବା ସତ୍ତ୍ୱେ ସେ ଢେର ଲଢ଼େଇ କରି ପାଳିକୁ ସଜାଡ଼ିଥିଲେ ଏବଂ ବିଳମ୍ବରେ ଆନ୍ଦ୍ରେ ରସେଲ୍‌ଙ୍କ ବିଧ୍ୱଂସୀ ବ୍ୟାଟିଂ ଦଳକୁ ଅଧିକ ୧୫/୨୦ ରନ୍‌ ଦେଇଥିଲା। ଏବେ କିନ୍ତୁ ଦଳକୁ ଚତୁର୍ଥ ବିଦେଶୀ ଖେଳାଳି ଭାବେ ମିଚେଲ ଜନ୍‌ସନ୍‌ କିମ୍ବା ଟମ୍‌ କୁରାନଙ୍କୁ ଚୂଡାନ୍ତ ଏକାଦଶକୁ ନେବାକୁ ପଡ଼ିବ। ସନ୍‌ରାଇଜର୍ସକୁ ଏବେ ପରାଜୟ ଧାରାରୁ ବାହାରିବା ଲାଗି ବଡ଼ ପ୍ରୟାସ ଆବଶ୍ୟକ। ଶେଷ ୪ ମ୍ୟାଚ୍‌ରେ ହାରିବା, ବିଶେଷ କରି ବିଜୟୀ ସ୍ଥିତିରେ ପହଞ୍ଚି ମଧ୍ୟ ଦୂରେଇଯିବା ନଜରକୁ ଆସିଛି। ସିଦ୍ଧାର୍ଥ କଉଲ୍‌ ନିଜର ପ୍ରଭାବୀ ପ୍ରଦର୍ଶନ ଜରିଆରେ ଭାରତୀୟ ଦଳରେ ସାମିଲ ହୋଇଗଲେ, କିନ୍ତୁ ପ୍ରତିଯୋଗିତାର ପ୍ରାରମ୍ଭିକ ଭାଗରେ ଯେଭଳି କରିଥିଲେ ତାହା ଶେଷ ଭାଗରେ ଜାରି ରଖିପାରିନାହାନ୍ତି। ରସିଦ୍‌ ଖାନ୍‌ ଏବଂ କେନ୍‌ ଓ୍ଵିଲିୟମ୍‌ସନ୍‌ ଦଳର ବିଶ୍ୱସ୍ତ ଖେଳାଳି। ଯଦି ଏମାନଙ୍କ ମଧ୍ୟରୁ ଜଣେ ବିଫଳ ହେଉଛନ୍ତି ତେବେ ସନ୍‌ରାଇଜର୍ସ ସୂର୍ଯ୍ୟ ଅସ୍ତମିତ ହୋଇଯାଉଛି। କେକେଆର୍‌ ନିକଟରେ ପ୍ରଶଂସକଙ୍କ ସମର୍ଥନର ଫାଇଦା ରହିଛି। ସନ୍‌ରାଇଜର୍ସ ଏବେ ସେମାନଙ୍କୁ ଚୁପ୍‌ କରିପାରିବେ କି ନା ଦେଖିବାର ଅଛି। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର