କାର୍ତିକ ୬ ନମ୍ବରରେ ବ୍ୟାଟିଂ କଲେ କୁଲଦୀପଙ୍କ ପାଇଁ ସୁଯୋଗ–ସୁନୀଲ ଗାଭାସ୍କର

ବର୍ଷ ଯେତେ ବେଳେ ଆରମ୍ଭ ହେଲା, ଭାରତୀୟ କ୍ରିକେଟ୍‌ ଦଳ ସମ୍ମୁଖରେ ତିନିଟି ବିରାଟ ଆହ୍ଵାନ ଉପନୀତ ହୋଇଥିଲା। ସେମାନେ ଯଦି ସେଗୁଡ଼ିକୁ ସଫଳତାର ସହ ଅତିକ୍ରମ କରି ପାରିବେ, ତାହାଲେ ନିର୍ଦ୍ୱନ୍ଦ୍ୱରେ ସମଗ୍ର କ୍ରିକେଟ୍‌ ଜଗତ ଆଖିରେ ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ଦଳ ହୋଇପାରିବେ। ସେମାନେ ଯଦି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ହରାଇ ପାରିଲେ, ଅନ୍ୟ କୌଣସି ଭାରତୀୟ ଦଳ ଯାହା କରିପାରିନାହିଁ, ତାହା କରି ଦେଖାଇବେ।
ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତିବା ପରେ ଯାଇ ଏବେକାର ଭାରତୀୟ ଦଳ ବିଶ୍ୱର ଶ୍ରେଷ୍ଠ ଟେଷ୍ଟ୍‌ ଦଳ ବୋଲି ଦାବି କରି ପାରିବେ। ଅବଶ୍ୟ ପ୍ରଥମ ଲକ୍ଷ୍ୟରେ ସେମାନେ ବିଫଳ ହୋଇଥିଲେ। ଏହାର କାରଣ ଦୂରଦୃଷ୍ଟି ହୀନ ଖେଳ ସୂଚୀ ଥିଲା ବୋଲି କହିପାରିବା। ପ୍ରଥମ ଟେଷ୍ଟ୍‌ ଖେଳିବାର ମାତ୍ର ସପ୍ତାହକ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ପହଞ୍ଚି ଥିଲା। ସେଥିପାଇଁ ଦଳ ଛୋଟିଆ ବିଜୟ ଲକ୍ଷ୍ୟକୁ ବି ହାସଲ କରି ପାରିଲା ନାହିଁ। ଦ୍ୱିତୀୟ ଟେଷ୍ଟ୍‌ରେ ଭାରତ ପୁନର୍ବାର ହାରିଲା, ଏଥର ବ୍ୟାଟ୍ସମ୍ୟାନ୍‌ ନିରାଶ କଲେ। ତୃତୀୟ ଟେଷ୍ଟ୍‌ ପହଞ୍ଚିଲା ବେଳକୁ କିନ୍ତୁ ବିରାଟ ବାହିନୀ ଭଲ ପ୍ରସ୍ତୁତି କରି ନେଇଥିଲା। ଅତିରିକ୍ତ ଉଚ୍ଛାଳ ଥିବା ପିଚ୍‌ରେ ସୁନ୍ଦର ଭାବେ ବ୍ୟାଟିଂ କରିବା ସହ ଭାରତୀୟ ବୋଲର ଦକ୍ଷିଣ ଆଫ୍ରିକାକୁ କ୍ଲିନ୍‌ ସୁଇପ୍‌ କରିବାର ସୁଯୋଗ ଦେଇ ନଥିଲେ।
ଇଂଲଣ୍ଡରେ ଭାରତୀୟ ଖେଳାଳି ଏକମାସରୁ ଅଧିକ ସମୟ ହେବ ଖେଳୁଛନ୍ତି। ସେଥିପାଇଁ ଧଳା ବଲ୍‌ରେ ଓ ପରବର୍ତିତ ପରିସ୍ଥିତିରେ କେମିତି ଖେଳିବାକୁ ହୁଏ ସେକଥା ଜାଣି ସାରିଲେଣି। ଏହି ଅଭିଜ୍ଞତା ଲାଲ୍‌ ବଲ୍‌ରେ କେତେଦୂର ଉପଯୋଗୀ ହେବ, ତାହା କେବଳ ଦେଖିବାର ଅଛି। କିଛି ଦିନ ହେବ ଇଂଲଣ୍ଡର ପାଗ ଓ ପରିବେଶ ଭାରତ ଭଳି ଥିଲା। ଗତ ଦୁଇ ଦିନ ହେବ ଏଥିରେ ଆଶିଂକ ପରିବର୍ତନ ହୋଇଛି। ବର୍ଷା ହେବା ସହ ପାଗ କୋହଲା ରହିଛି। ସ୍ଥିତି ଅପରିବର୍ତିତ ରହିଲେ ନୂଆ ବଲ୍‌ ବୋଲର ଏହାକୁ ମନଭରି ଉପଭୋଗ କରିବେ। ବଲ୍‌ ଘୂରିବା ସହ ସେମାନେ ଲମ୍ବା ସ୍ପେଲ୍‌ ପକାଇ ପାରିବେ।
ପ୍ରଥମ ଟେଷ୍ଟ୍‍ରୁ ହିଁ ଅବଶିଷ୍ଟ ଶୃଙ୍ଖଳାର ଗତି ନିର୍ଧାରିତ ହୋଇଥାଏ। ସେଥିପାଇଁ ଦଳୀୟ ସନ୍ତୁଳନ ହିଁ ଭାରତ ପାଇଁ ଏବେ ଚିନ୍ତାର କାରଣ ହୋଇଥିବ। ୫ ବୋଲର, ୬ ବ୍ୟାଟ୍ସମ୍ୟାନ୍‌ ଖେଳାଇବେ ନା ଦୁଇ ଜଣ ସ୍ପିନର ସପକ୍ଷରେ ଯିବେ, ସେକଥା ଭାରତୀୟ ଶିବିରରେ ମୁଖ୍ୟ ଚର୍ଚାର ବିଷୟ ହୋଇଥିବ। ଅଶ୍ୱିନ ଏବଂ ପାଣ୍ଡ୍ୟା ଟେଷ୍ଟ୍‌ ଶତକ ହାସଲ କରି ସାରିଛନ୍ତି। ଦୀନେଶ କାର୍ତିକ ମଧ୍ୟ ଭଲ ବ୍ୟାଟିଂ କରି ପାରିବେ। କାର୍ତିକ ଷଷ୍ଠ ସ୍ଥାନରେ ବ୍ୟାଟିଂ କଲେ ଏବଂ ଅଶ୍ୱିନ ଓ ପାଣ୍ଡ୍ୟା ତାଙ୍କ ପରେ ଆସିଲେ, କୁଲଦୀପ ଯାଦବ ଦ୍ୱିତୀୟ ସ୍ପିନର ଭାବେ ଦଳରେ ରହି ପାରିବେ। ଅବଶ୍ୟ ଏହା ପିଚ୍‌ର ସ୍ୱଭାବ ଉପରେ ଅଧିକ ନିର୍ଭରଶୀଳ ରହିବ। ପିଚ୍‌ରେ ଘାସ ଥିଲେ ଭାରତ କୁଲଦୀପଙ୍କୁ ବାଦ୍‌ ଦେଇ ଜଣେ ଅତିରିକ୍ତ ନୂଆ ବଲ୍‌ ବୋଲରଙ୍କୁ ଖେଳାଇବ। ଦଳୀୟ ସମନ୍ଵୟ ଯେମିତି ହେଉନା କାହିଁକି! ପ୍ରଥମ ଟେଷ୍ଟ୍‌କୁ ଭାରତ ନହାରିବା ଅଧିକ ମହତ୍ୱପୂର୍ଣ୍ଣ। ନଚେତ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ତୀକ୍ଷ୍ଣ ପାହାଡ଼ର ଶିଖର ଆରୋହଣ ଭଳି କଷ୍ଟକର ହେବ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର