ଇଣ୍ଡିଆ ଓପନ୍‌ ସେମିରେ କାଶ୍ୟପ, ଶ୍ରୀକାନ୍ତ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ୍‌ରେ ଭାରତୀୟ ମହିଳା ତାରକା ପିଭି ସିନ୍ଧୁଙ୍କ ସହ ପୁରୁଷ ଖେଳାଳି କିଦାମ୍ବି ଶ୍ରୀକାନ୍ତ, ପରୁପଲ୍ଲୀ କାଶ୍ୟପ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ହେଲେ ଏଚ୍‌ଏସ୍‌ ପ୍ରଣୟ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ପ୍ରଣୟ ପୁରୁଷ ଏକକ ମୁକାବିଲାରେ ଦ୍ବିତୀୟ ମାନ୍ୟତା ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନ୍‌ଙ୍କ ନିକଟରୁ ୧୦-୨୧ ଓ ୧୬-୨୧ ସିଧାସଳଖ ଗେମ୍‌ରେ ହାରି ଯାଇଥିଲେ। ତେବେ ମହିଳା ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତା ସିନ୍ଧୁ ୨୧-୧୯ ଓ ୨୨-୨୦ ସିଧାସଳଖ ଗେମ୍‌ରେ ଅଷ୍ଟମ ମାନ୍ୟତା ଡେନ୍‌ମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ପରାସ୍ତ କରିଥିଲେ। ‌ପୁରୁଷ ଏକ‌କରେ ତୃତୀୟ ମାନ୍ୟତା ଶ୍ରୀକାନ୍ତ ୨୧-୨୩, ୨୧-୧୧, ୨୧-୧୯ରେ ନିଜ ଦେଶର ବି ସାଇ ପ୍ରଣୀତଙ୍କୁ, କାଶ୍ୟପ ୨୧-୧୬, ୨୧-୧୧ରେ ଚାଇନିଜ୍‌ ତାଇପେର ୱାଙ୍ଗ୍‌ ଟିଜୁ ୱିଙ୍କୁ, ପୁରୁଷ ଯୁଗଳରେ ଷଷ୍ଠ ମାନ୍ୟତା ମନୁ ଅତ୍ରି-ବି ସୁମିତ ରେଡ୍ଡୀ ୨୧-୧୦, ୨୧-୧୨ରେ ଅନ୍ୟତମ ଭାରତୀୟ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଶିବମ ଶର୍ମାଙ୍କୁ ହରାଇ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ତେବେ ମହିଳା ଯୁଗଳରେ ଭାରତର ଅଭିଯାନ ଶେଷ ହୋଇଛି। ‌ଅଶ୍ବିନୀ ପୋନାପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ ୧୦-୨୧, ୧୮-୨୧ରେ ଶୀର୍ଷ ମାନ୍ୟତା ଇଣ୍ଡୋନେସିଆର ଗ୍ରିସିୟା ପୋଲି ଓ ଆପ୍ରିୟାନୀ ରାହାୟୁଙ୍କଠୁ ଏବଂ ଅର୍ପନା ବାଲାନ ଓ ସୃତି କେପି ୮-୨୧, ୧୧-୨୧ରେ ଦ୍ବିତୀୟ ମାନ୍ୟତା ଥାଇଲାଣ୍ଡର ଜଙ୍ଗକୋଲ୍‌ଫାନ୍‌ କିତିଥାରାକୁଲ ଓ ରାୱିନ୍ଦା ପ୍ରଜୋଙ୍ଗଜାଲଙ୍କଠୁ ହାରିଯାଇଥିଲେ।

ସମ୍ବନ୍ଧିତ ଖବର