ସେମିରେ କେର୍ବର-ଓସ୍ତାପେଙ୍କୋ, ସେରେନା-ଜୁଲିଆ

ଲଣ୍ଡନ୍‌: ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କେର୍ବର, ଦ୍ୱାଦଶ ମାନ୍ୟତା ଜେଲିନା ଓସ୍ତାପେଙ୍କୋ, ତ୍ରୟୋଦଶ ମାନ୍ୟତା ଜୁଲିଆ ଜର୍ଜେସ୍‌ ଏବଂ ୨୫ତମ ମାନ୍ୟତା ସେରେନା ଓ୍ଵିଲିୟମ୍‌ସ ଚଳିତ ଓ୍ଵିମ୍ବଲ୍‌ଡନ୍‌ ପ୍ରତିଯୋଗିତାର ମହିଳା ଏକକ ସେମିଫାଇନାଲ୍‌ରେ ନିଜ ନିଜ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର କ୍ୱାର୍ଟର୍‌ ଫାଇନାଲ୍‌ରେ ୨୦୧୬ ଫାଇନାଲିଷ୍ଟ ଏକାଦଶ ମାନ୍ୟତା କେର୍ବର ସିଧାସଳଖ ୬-୩, ୭-୫ ସେଟ୍‌ରେ ଚତୁର୍ଦଶ ମାନ୍ୟତା ରୁଷିଆର ଦାରିଆ କାସାତ୍‌କିନାଙ୍କୁ ପରାସ୍ତ କରିଥିଲା ବେଳେ ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଓସ୍ତାପେଙ୍କୋ ୭-୫, ୬-୪ ସିଧାସଳଖ ସେଟ୍‌ରେ ଅଣମାନ୍ୟତା ସ୍ଲୋଭାକିଆର ଡୋମିନିକା ସିବୁଲ୍‌କୋଭାଙ୍କୁ ହରାଇ ପ୍ରଥମ ଲାଟିଭିଆ ଖେଳାଳି ଭାବେ ସେମିରେ ପହଞ୍ଚିଛନ୍ତି। ସେହିପରି ଜର୍ମାନିର ଜୁଲିଆ ୩-୬, ୭-୫, ୬-୧ ସେଟ୍‌ରେ ନେଦରଲାଣ୍ଡ୍‌ର କିକି ବର୍ତେନ୍‌ସଙ୍କୁ ଏବଂ ପୂର୍ବତନ ଶୀର୍ଷ ମାନ୍ୟତା ଆମେରିକାର ସେରେନା ଓ୍ଵିଲିୟମ୍‌ସ ୩-୬, ୬-୩ ଓ ୬-୪ ସେଟ୍‌ରେ ଇଟାଲିର କାମିଲା ଗିଓର୍ଗିଙ୍କୁ ପରାସ୍ତ କରି ସେମିଫାଇନାଲ୍‌ରେ ଅବତୀର୍ଣ୍ଣ ହୋଇଛନ୍ତି। ସେମିଫାଇନାଲ୍‌ରେ କେର୍ବର-ଓସ୍ତାପେଙ୍କୋ ଏବଂ ସେରେନା-ଜୁଲିଆ ମୁହାଁମୁହିଁ ହେବେ।
ସୋମବାର ଅଧାରୁ ବନ୍ଦ ରହିଥିବା ପୁରୁଷ ଏକକର ଏକ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ ମଙ୍ଗଳବାର ଶେଷ ହୋଇଛି। ଏଥିରେ ପଞ୍ଚମ ମାନ୍ୟତା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ପୋଟ୍ରୋ ୭-୬, ୭-୬, ୫-୭, ୭-୬ ସେଟ୍‌ରେ ଅଣମାନ୍ୟତା ସ୍ପେନ୍‌ର ଗାଇଲ୍‌ସ ସିମୋନ୍‌ଙ୍କୁ ପରାସ୍ତ କରିଥିଲେ। ୨୦୧୩ ପରେ ଓ୍ଵିମ୍ବଲ୍‌ଡନ୍‌ରେ ଆର୍ଜେଣ୍ଟିନା ତାରକା ଡେଲ୍‌ପୋଟ୍ରୋଙ୍କ ଏହା ପ୍ରଥମ କ୍ୱାର୍ଟର୍‌ ଫାଇନାଲ୍‌ ପ୍ରବେଶ। କ୍ୱାର୍ଟର୍‌ରେ ଡେଲ୍‌ପୋଟ୍ରୋଙ୍କ ଭେଟ ଦ୍ୱିତୀୟ ମାନ୍ୟତା ସ୍ପେନ୍‌ର ରାଫେଲ୍‌ ନାଦାଲ୍‌ଙ୍କ ସହ ହେବ।

ସମ୍ବନ୍ଧିତ ଖବର