କ୍ରୀଡ଼ାବିତ୍ ଗଢ଼ିବାରେ ଲାଗିଛନ୍ତି କେଶବ, କ୍ରୀଡ଼ାବିତ୍‌ଙ୍କୁ ମିଳୁଥିବା ସମ୍ମାନ ଆନନ୍ଦିତ କରୁଛି

ଭୁବନେଶ୍ବର: ‌ମାର୍ଚ ମାସର ଏକ ସାଧାରଣ ସକାଳ। ବରଗଡ଼ ମିନି ଷ୍ଟାଡିୟମରେ ୨୦ରୁ ଅଧିକ ପିଲାଙ୍କୁ ବିଭିନ୍ନ ଶାରୀରିକ ଅଭ୍ୟାସ କରାଇବା ସହ ସେମାନଙ୍କୁ ଦୌଡ଼କୁଦ ପ୍ରଶିକ୍ଷଣ ଦେବାରେ ବ୍ୟସ୍ତ ଥାଆନ୍ତି ଜଣେ ପ୍ରୌଢ଼। ଆଶ୍ଚର୍ଯ୍ୟର କଥା ହେଲା ଏଇ ବୟସରେ ମଧ୍ୟ ସେ ଅଧିକାଂଶ ପ୍ରଶିକ୍ଷାର୍ଥୀଙ୍କୁ ପଛରେ ପକାଉଥିଲେ। ପିଲାମାନେ ଦୌଡ଼ ଶେଷ କରିବା ପୂର୍ବରୁ ସେ ଫିନିସିଂ ଲାଇନ୍ ପାର ହୋଇ ଯାଉଥିଲେ। ବଳିଷ୍ଠ ଶରୀର ସହ ଯୁବ ସୁଲଭ ଫିଟନେସ୍ ରଖିଥିବା ଏହି ବର୍ଷୀୟାନ କ୍ରୀଡ଼ା ପୃଷ୍ଠପୋଷକ ତଥା ପ୍ରଶିକ୍ଷକ ହେଉଛନ୍ତି ୪୦୦ ମିଟର ବାଧାଦୌଡ଼ର ପୂର୍ବତନ ରାଜ୍ୟ କୀର୍ତ୍ତିମାନଧାରୀ କେଶବ ଚନ୍ଦ୍ର ମିଶ୍ର। ପରିଣତ ବୟସରେ ବି କେଶବ କ୍ରୀଡ଼ାବିତ୍ ଗଢ଼ିବାରେ ଲାଗିଛନ୍ତି । ବୟସ ୮୦ ଚାଲିଛି ସତ, ହେଲେ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଆଗ୍ରହୀ ଥିବା ଉଦୀୟମାନ ଓ ପ୍ରତିଭା ସଂପନ୍ନ ଖେଳାଳିଙ୍କୁ ନିୟମିତ ଭାବେ ଓ ନିଃଶୁଳ୍କ ପ୍ରଶିକ୍ଷଣ ଦେଇ ଆସୁଛନ୍ତି ସେ। ଗତ ୨୨ ବର୍ଷ ଧରି କେଶବଙ୍କର ଏହି ପ୍ରଶିକ୍ଷଣ ଶିବିର ଜାରି ରହିଛି। ଏବେ ବି ସେ ନିଜେ ପାଖାପାଖି ୫ କିଲୋମିଟର ଦୌଡ଼ିବାର ଦକ୍ଷତା ରଖନ୍ତି। ବିଗତ ଦିନର ଏହି ପୁଲିସ ଅଧିକାରୀ ସଂପ୍ରତି ଓଡ଼ିଶାରେ କ୍ରୀଡ଼ା ପ୍ରତି ସୃଷ୍ଟି ହୋଇଥିବା ଭଲ ପାଇବା ଓ ପ୍ରୋତ୍ସାହନ ପାଇଁ ବେଶ୍ ଖୁସି ଅଛନ୍ତି। ସେହିଭଳି ଆଗାମୀ ଦିନରେ ଓଡ଼ିଶାରୁ ବହୁ ଅଲିମ୍ପିଆନ୍ ସୃଷ୍ଟି ହେବେ ବୋଲି ଆଶା ପ୍ରକାଶ କରିଛନ୍ତି। କେବଳ ପ୍ରଶିକ୍ଷଣ ନୁହଁ, ବୟସ୍କ କ୍ରୀଡ଼ାରେ ମଧ୍ୟ କେଶବ ଏବେ ବି ବେଶ୍ ସକ୍ରିୟ ଅଛନ୍ତି। ମାଲେସିଆରେ ୨୦୧୮ ମସିହାରେ ଆ‌ୟାଜିତ ଏସିଆ ପାସିଫିକ୍ ମାଷ୍ଟର୍ସ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା କେଶବ ସଂପ୍ରତି ମାଷ୍ଟର୍ସ ଗେମ୍ସ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଥିଲା ବେଳେ ଏଲିଟ୍ ସ୍ପୋର୍ଟସ ୱେଲଫେୟାର ଆସୋସିଏସନ୍ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଅଛନ୍ତି। ଯେମିତି ବାର୍ଦ୍ଧକ୍ୟ ଏବେ ବି ତାଙ୍କୁ ଆଦୌ ଛୁଇଁପାରି ନାହିଁ। ରାଜ୍ୟ ପୁଲିସରୁ ଡ୍ରିଲ୍ ଇନସପେକ୍ଟର ଭାବେ ଅବସର ନେଇଥିବା ଏହି ବର୍ଷୀୟାନ କ୍ରୀଡ଼ା ତାରକା ଖେଳ ପଡ଼ିଆକୁ ସଂପ୍ରତି ନିଜ କର୍ମସ୍ଥଳୀ କରିଛନ୍ତି। ସେଥିପାଇଁ କେବଳ ବରଗଡ଼ ନୁହେଁ ସମଗ୍ର ଓଡ଼ିଶା କ୍ରୀଡ଼ା ପାଇଁ ସେ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।

କ୍ରୀଡ଼ାବିତ୍‌ଙ୍କୁ ମିଳୁଥିବା ସମ୍ମାନ ଆନନ୍ଦିତ କରୁଛି
ସଂପ୍ରତି ଓଡ଼ିଶା କ୍ରୀଡ଼ାର ସ୍ଥିତି ଓ ଭିତ୍ତିଭୂମିକୁ ନେଇ କେଶବ ବହୁତ ଖୁସି ଅଛନ୍ତି। ଏଥିନେଇ ନିଜ ଭାବନା ବ୍ୟକ୍ତ କରିବାକୁ ଯାଇ ସେ କହିଛନ୍ତି ଯେ ମୁଁ ପ୍ରତିମା ମିଶ୍ର, ମିନତି ମିଶ୍ରଙ୍କ ଭଳି ‌ଖେଳାଳିଙ୍କ ସହ ଦୌଡ଼ିଛି, ସେମାନଙ୍କୁ ଦୌଡ଼ାଇଛି ମଧ୍ୟ। ଓଡ଼ିଶା ୧୯୭୪ରେ ଜାତୀୟ ଦୌଡ଼କୁଦରେ ଉପବିଜେତା ହେବା ବେଳେ ମୋ ସହ ଭୈରବ ମହାନ୍ତି, ବିଭୂତି ଦାସଙ୍କ ଭଳି ବ୍ୟକ୍ତିତ୍ବ ଆମ ଦଳରେ ଥି‌ଲେ। ସେତେବେଳେ ଆମକୁ ସେମିତି କିଛି ପ୍ରୋତ୍ସାହନ ମିଳୁ ନଥିଲା। ଏବେ କିନ୍ତୁ ଓଡ଼ିଶା ସରକାର ଖେଳାଳିଙ୍କ ପାଇଁ ଚାକିରି ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ମୋଟା ଅଙ୍କର ପ୍ରୋତ୍ସାହନ ରାଶି ଦେଉଛନ୍ତି। କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ଆଗ ଅପେକ୍ଷା ବହୁତ ବଢ଼ି ଯାଇଛି। ସମାନ୍ତରାଳ ଭାବେ ପ୍ରତିଦ୍ବନ୍ଦ୍ବିତାର ସ୍ତର ବି ବଢ଼ିଛି। ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ୍, ଜଉନା ମୁର୍ମୁଙ୍କ ସହ ଆହୁରି ଅନେକ ଖେଳାଳି ଓଡ଼ିଶା ପାଇଁ ଗର୍ବ ଓ ଗୌରବ। ଆଗକୁ ମଧ୍ୟ ଆମ ରାଜ୍ୟରୁ ବହୁ ଅଲିମ୍ପିଆନ୍ ସୃଷ୍ଟି ହେବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ମୁଁ ୧୯୪୦ ମସିହା ଜୁଲାଇ ପହିଲାରେ ଜନ୍ମଗ୍ରହଣ କରିଥିଲି। ଏବେ ମୋତେ ୮୧ ହେବାକୁ ଯାଉଛି। ତଥାପି ମୁଁ ପୂରା ଫିଟ୍ ଅଛି। ଜୀବନ ଥିଲା ଯାଏ ପିଲାଙ୍କୁ ପ୍ରଶିକ୍ଷଣ ଦେଇ ଚାଲିଥିବି। ଅବସରପ୍ରାପ୍ତ କ୍ରୀଡ଼ା ତାରକାଙ୍କୁ ରାଜ୍ୟର ଉଦୀୟମାନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାକୁ ଆଗେଇ ଆସିବାକୁ ମୁଁ ଆହ୍ବାନ କରୁଛି।

ରେଞ୍ଜରଙ୍କ ପୁଲିସ ଅଧିକାରୀ ପୁଅ
କେଶବଙ୍କ ପିତା ଫକିର ମୋହନ ମିଶ୍ର ଥିଲେ ଜଣେ ରେଞ୍ଜର। ବ୍ରିଟିଶ୍ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିଲା ବେଳେ କେଶବଙ୍କୁ ଖେଳାଖେଳି କରିବାକୁ ସେ ବରାବର ଉତ୍ସାହିତ କରୁଥିଲେ। ସପ୍ତମ ଶ୍ରେଣୀରେ ପଢ଼ୁଥିଲା ବେଳେ ବଲାଙ୍ଗୀରରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳ ହୋଇଥିଲେ ସେ। ଏହା ପରେ ୪୦୦ ଓ ୮୦୦ ମିଟର ଦୌଡ଼ରେ ନିଜକୁ ନିୟୋଜିତ କରିଥିଲେ କେଶବ। ୧୯୬୫ ମସିହାରେ ସେ ରାଜ୍ୟ ପୁଲିସ ବିଭାଗରେ ଯୋଗ ଦେଇଥିଲେ। ୧୯୬୫ରୁ ୧୯୭୮ ପର୍ଯ୍ୟନ୍ତ ଦୌଡ଼କୁଦର ଅତ୍ୟନ୍ତ କଷ୍ଟକର ବର୍ଗ କୁହାଯାଉଥିବା ୪୦୦ ମିଟର ବାଧାଦୌଡ଼ରେ ରାଜ୍ୟ ବିଜେତା ହୋଇଥିଲେ। ୧୯୭୪ରେ ଏହି ଇଭେଣ୍ଟରେ ସେ ସ୍ଥାପନ କରିଥିବା କୀର୍ତ୍ତିମାନ (୫୧.୮ ସେକେଣ୍ଡ) ଦୀର୍ଘ ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଅତୁଟ ରହିଥିଲା। ୧୯୭୪ରୁ ୭୬ ପର୍ଯ୍ୟନ୍ତ ସେ ଜାତୀୟ ଦୌଡ଼କୁଦରେ ଓଡ଼ିଶା ଦଳର ଅଧିନାୟକ ଥିଲେ। ୧୯୬୭ରେ ପୂର୍ବାଞ୍ଚଳ ଦୌଡ଼କୁଦରେ ସେ ପଦକ ଜିତିଥିଲେ। ସେହିଭଳି ଜାତୀୟ ଓପନ ଦୌଡ଼କୁଦର ୪୦୦ ମିଟର ବାଧାଦୌଡ଼ରେ ମଧ୍ୟ ସେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ପାରିବାରିକ ଚାପ ସହ ଅନ୍ୟାନ୍ୟ ବ୍ୟକ୍ତିଗତ କାରଣ ପାଇଁ ପରବର୍ତୀ ସମୟରେ ସେ ଖେଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ୫ ଝିଅ ଓ ଗୋଟିଏ ପୁଅକୁ ନେଇ ବଡ଼ ପରିବାରର ଆର୍ଥିକ ବୋଝି ସହ ଅଧିକାଂଶ କ୍ରୀଡ଼ା ପ୍ରତିଯୋଗିତାକୁ ନିଜ ଖର୍ଚରେ ଯିବା ହିଁ ଏହାର ମୁଖ୍ୟ କାରଣ ଥିଲା। କେଶବ ମଧ୍ୟ ନିଜ ଚାକିରି କାଳ ମଧ୍ୟରେ ଢେର କିଛି ବର୍ଷ ଓଡ଼ିଶା ପୁଲିସ ଦଳର ଅଧିନାୟକ ଥିଲେ। ପୁଲିସ ବିଭାଗରୁ ୧୯୯୮ରେ ଅବସର ନେବା ସରେ ସେ କିନ୍ତୁ କ୍ରୀଡ଼ା ପ୍ରୋତ୍ସାହନକୁ ନିଜ ବ୍ରତ କରି ନେଇଥିଲେ। ଦିଲ୍ଲୀରେ ୧୯୮୨ ମସିହାରେ ଆୟୋଜିତ ହୋଇଥିବା ଏସୀୟ କ୍ରୀଡ଼ାରେ ସଫଳତାର ସହ ଅଧିକାରୀ ଦାୟିତ୍ବ ତୁଲାଇଥିଲେ। ସେ ମଧ୍ୟ ରିଲାଏନ୍ସ କପ୍‌ ସଦସ୍ୟଙ୍କ ଲିଆଜିନିଂ ଅଧିକାରୀ ଭାବେ କାର୍ଯ୍ୟ ସଂପାଦନ କରିସାରିଛନ୍ତି।

ସମ୍ବନ୍ଧିତ ଖବର