ଖେଲୋ ଇଣ୍ଡିଆ: ୧୫ ପଦକ ସହ ଓଡ଼ିଶା ୧୮, ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ୟୁଥ୍‌ କ୍ରୀଡ଼ାର ଦ୍ବିତୀୟ ସଂସ୍କରଣ ରବିବାର ଶେଷ ହୋଇଛି। ଶେଷ ଦିନ ୨୧ ବର୍ଷରୁ କମ୍‌ ମହିଳା ହକିରେ ହରିଆନା ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଓଡ଼ିଶା କାଂସ୍ୟ ମୁକାବିଲା ହାରି ପଦକ ହାତଛଡ଼ା କରିଛି। ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ଓଡ଼ିଶା ୧-୨ ଗୋଲ୍‌ରେ ପଞ୍ଜାବ ନିକଟରୁ ହାରିଯାଇଛି। ୧୮ ମିନିଟ୍‌ରେ ରୋଜିତା କୁଜୁରଙ୍କ ଗୋଲ୍‌ ବଳରେ ଓଡ଼ିଶା ଅଗ୍ରଣୀ ପାଇଥିଲେ ମଧ୍ୟ ପଞ୍ଜାବ ପରେ ଦୁଇଟି ଗୋଲ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ୨୮ ମିନିଟ୍‌ରେ କାଜଲଙ୍କ ଗୋଲ୍‌ ପଞ୍ଜାବ ସ୍ଥିତି ୧-୧ କରିବା ପରେ ୫୧ ମିନିଟ୍‌ରେ ସେହି କାଜଲ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ କରି ଓଡ଼ିଶାକୁ ଖାଲି ହାତରେ ଯିବାକୁ ବାଧ୍ୟ କରିଥିଲେ। ଅନ୍ୟପକ୍ଷରେ ହରିଆନାଠୁ ଫାଇନାଲ୍‌ରେ ୦-୩ ଗୋଲ୍‌ରେ ହାରି ଝାଡ଼ଖଣ୍ଡ ରୌପ୍ୟ ପଦକ ପାଇଛି। ହକିରେ ୨୧ ବର୍ଷରୁ କମ୍‌ ବାଳିକା ହାରିଯିବା ପରେ ମୋଟ ୧୫ ପଦକ ସହ ଅଷ୍ଟାଦଶ ସ୍ଥାନରେ ଓଡ଼ିଶା ଅଭିଯାନ ଶେଷ କରିଛି। ଏଥିରେ ରହିଛି ୩ ସ୍ବର୍ଣ୍ଣ ସାଙ୍ଗକୁ ୬ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ। ଓଡ଼ିଶା ଏହି ପ୍ରତିଯୋଗିତାରେ ଆଥ୍‌ଲେଟିକ୍ସରେ ୨ (ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ), ଫୁଟ୍‌ବଲ୍‌ରେ ୧ (‌ରୌପ୍ୟ), ଜିମ୍ନାଷ୍ଟିକ୍ସରେ ୧ (ରୌପ୍ୟ), ହକିରେ ୩ ( ୧ ସ୍ବର୍ଣ୍ଣ, ୨ କାଂସ୍ୟ), ଜୁଡୋରେ ୧ (କାଂସ୍ୟ), ସନ୍ତରଣରେ ୨ (୧ ରୌପ୍ୟ, ୧ କାଂସ୍ୟ), ଭାରୋତ୍ତୋଳନରେ ୪ (୨ ସ୍ବର୍ଣ୍ଣ, ୨ ରୌପ୍ୟ), ଖୋଖୋରେ ୧ (କାଂସ୍ୟ) ପଦକ ହାସଲ କରିଛି।

ଖେଲୋ ଇଣ୍ଡିଆର ଏହି ସଂସ୍କରଣରେ କିନ୍ତୁ ସର୍ବାଧିକ ୨୨୮ ପଦକ ହାସଲ କରି ଆୟୋଜକ ମହାରାଷ୍ଟ୍ର ଦଳଗତ ବିଜେତା ହୋଇଛି। ମହାରାଷ୍ଟ୍ର ପ୍ରତିଯୋଗୀମାନେ ୮୫ ସ୍ବର୍ଣ୍ଣ, ୬୨ ରୌପ୍ୟ ସାଙ୍ଗକୁ ୮୧ କାଂସ୍ୟ ପଦକ ହାତେଇଛନ୍ତି। ଏହାର କ୍ରୀଡ଼ାବିତ୍‌ ଓ କର୍ମକର୍ତାମାନେ ମାନବ ସମ୍ବଳ ବିକାଶ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦ୍‌କରଙ୍କ ହାତରୁ ଟ୍ରଫି ଗ୍ରହଣ କରିଥିଲେ। ପୁନେର ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ୍‌ କଂପ୍ଲେକ୍ସରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର କ୍ରୀଡ଼ା ଓ ଯୁବ ମଙ୍ଗଳ ମନ୍ତ୍ରୀ ବିନୋଦ ତୱାଡେ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ପଛକୁ ମୋଟ ୧୭୮ (୬୨ ସ୍ବର୍ଣ୍ଣ, ୫୬ ରୌପ୍ୟ ଓ ୬୦ କାଂସ୍ୟ) ପଦକ ପାଇ ହରିଆନା ଦ୍ବିତୀୟ ଏବଂ ଦିଲ୍ଲୀ ୧୩୬ (୪୮ ସ୍ବର୍ଣ୍ଣ, ୩୭ ରୌପ୍ୟ ଓ ୫୧ କାଂସ୍ୟ) ପଦକ ସହ ତୃତୀୟ ସ୍ଥାନ ପାଇଛି। ଏହି ପ୍ରତିଯୋଗିତାରେ ସାରା ଦେଶରୁ ୧୦,୪୬୦ ପ୍ରତିଯୋଗୀ ଓ ଅଧିକାରୀ ଅଂଶ ଗ୍ରହଣ କରିଥିଲେ। ସେଥିରେ ୫୯୨୫ ଆଥ୍‌ଲେଟ୍‌, ୧୦୯୬ ସହକାରୀ ଅଧିକାରୀ, ୮୯୩ ବୈଷୟିକ ଅଧିକାରୀ, ୩୬ ଚିଫ୍‌ ଡି ମିସନ୍‌, ୧୦୧୦ ସ୍ବେଚ୍ଛାସେବୀ ଏବଂ ୧୫୦୦ ଅଧିକାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର